Unknown

 

 

 

 

 

 

 

 

 

 

ସାରଳା ମହାଭାରତ

ଅଶ୍ୱମେଧପର୍ବ

ଆଦିକବି ସାରଳା ଦାସ

 

ବିଷୟ

 

୧।

ବନ୍ଦନା

୨।

ଯଦୁବଂଶ

୩।

ବ୍ରାହ୍ମଣର ମୃତପୁତ୍ର ଆନୟନ

୪।

କଦମ୍ବାସୁରର ଯୁଦ୍ଧଯାତ୍ରା

୫।

କଦମ୍ବାସୁର ବଧ

୬।

ଯୁଧିଷ୍ଟିରଙ୍କର ଅଶ୍ୱମେଧ ଯାଗ

୭।

ଅଶ୍ୱ ସହିତ ଅର୍ଜୁନର ଚତୁର୍ଦ୍ଦିଗ ଭ୍ରମଣ ଏବଂ ବବ୍ରୁବାହନ ସହ ଯୁଦ୍ଧ

୮।

ମୋଢ଼ାସୁର ଯୁଦ୍ଧ

 

ବନ୍ଦନା

 

ଜୟ ତୁ ବିଶ୍ୱନାଥ ପଞ୍ଚଇ ବଦନ

ସଦ୍ୟ ବାମ ଘୋର ତତପୁରୁଖ ମୁଖ ଯେ ଈଶାନ।୧।

ସଙ୍ଗମ ମେଖଳୀ ପିଙ୍ଗଳ ନନ୍ଦକ ଉଦେକ ପଞ୍ଚୁଜଟା

ଦିଗାମ୍ୱର ପୁରୁଷ ଲାଙ୍ଗଟା ଭୂକୁଟା।୨।

ସେବକ ଲୋକଂକୁ ଅମର ପଦଦେଇ

ଆପଣେ ଅଭାଗୀନାଥ ବସିଲୁ ତୁନି ହୋଇ।୩।

ପରମାନନ୍ଦ ନାଥ ତୁ ଦୁଖେ ଦୁଖୀ

ସମସ୍ତ ଭୋଳେ ଦେଇ ନାଥ ନଥୋଇଲୁ କିଛି।୪।

ଶଇଳଜାର ବଲ୍ଲଭ ଚରଣେ ନମସ୍ତେ

ଦୁସହ ଦୁସ୍ତରୁ ନାଥ ଉଦ୍ଧରି ଧର ମୋତେ।୫।

ମୁହିଂ ମୂର୍ଖମତି ଗ୍ୟାନ ମୋର କିସ

ପାବକ କୁଣ୍ଡଳୀ ନାଥ ଭୂତ ଯେ ଭବିଷ୍ୟ।୬।

ସୁଗନ୍ଧ ଦୂର କରି ବିଭୂତି ଭୂଷଣ କାୟେ

ନିକଳଂକ ନିର୍ମଳ ଶୁଦ୍ଧ ସଷ୍ଟିକର ପ୍ରାୟେ।୭।

ଯାବତ ଜୀବଜନ୍ତୁ ତାବତ ଶିବଦେବା

ନିର୍ଭୟେ ନିରାକୁଳ ଅବାନ୍ଧବ ବାନ୍ଧିବା।୮।

ସ୍ୱାମୀ ପ୍ରାଣ ଅପାନ ଅଲୋକ୍ୟ ଶିରୀ ଦ୍ୟନ୍ତା

ନିରେଖି ଜନ ନିସ୍ତାରଣ ନାଥ ଅନାସ୍ତ ଜନ ଉଦ୍ଧାରନ୍ତା।୯।

ତ୍ରଇଲୋକ୍ୟ ଉଦ୍ଧାରଣେ ନାଥ ଗଣ୍ଡୁଷ କାଳକୂଟ

ଗଣ୍ଡସ୍ଥଳେ କଳଂକ ତୋ ନାମ ନୀଳକଣ୍ଠ।୧୦।

ସ୍ୱାମୀ ଭାସ୍କରତୀର୍ଥେ ରାମେଶ୍ୱର ଲିଙ୍ଗ ଦେଖି

ସଜ୍ଜନ ସଙ୍ଗତେ କାଳ ଯେ ଉପେକ୍ଷି।୧୧।

ଶ୍ରୀରାମେଶ୍ୱର ଲିଙ୍ଗ ଚରଣେ ମୁହିଂ ସେବି

ନମଇଂ ଶୂଦ୍ରମୁନି ସାରୋଳାଦାସ କବି।୧୨।

ଯେବଣ ମହାଭାର୍ଥ ଚାରିବେଦର ଅର୍ଥ

ମୁହିଂ ତାହା ସଞ୍ଚପି କି କହିବାକୁ ସାମରଥ।୧୩।

 

 

ଯଦୁବଂଶ ଧ୍ୱଂସ ବିବରଣ

 

ୟେଥୁ ଅନନ୍ତରେ ବିଲଂକ ନୃପବର

ଅନେକ ପୂଜାକଲେ ମୁନିଂକ ପୟର।୧।

ଭୋ ମୁନିୟେ ଜନ୍ମର ପାପ ମୁଂ ଦହିଲି

ତୁମ୍ଭର ଶ୍ରୀମୁଖରୁ ଅଗ୍ନିପର୍ବ ସ୍ତିରୀପର୍ବ ବ୍ୟାସପର୍ବ ମୁଂ ଶୁଣିଲି।୨।

ଯୁଝେଷ୍ଠି ରାଜ୍ୟ କରି ରହିଲେ ହସ୍ତିନା ରାଜ୍ୟେଣ

ୟେଥୁଂ କେବଣ କଥା କହିବା ମୁନି ପୁଣ।୩।

ଶୁଣ ବଇବସୁତ ମନୁ ବଦୟନ୍ତି ଅଗସ୍ତି

ୟେଥୁ ଅନନ୍ତରେ ଅଶ୍ୱମେଧ ଯାଗର ଯେ ରୀତି।୪।

କୃଷ୍ଣଂକୁ ବୋଲନ୍ତି ଯେ ବସୁଦେବ ହଳୀ

ଅନେକ ହତ୍ୟା ଆମ୍ଭେ କଲୁଂ ମହାସ୍ଥଳୀ।୫।

ସେ ଦୋଷମାନ ପାର ହୋଇବାର ନିମନ୍ତେ

ଅଶ୍ୱମେଧ ଯାଗ ବାବୁ କର ହୋ ଜଗନ୍ନାଥେ।୬।

ବଦୟନ୍ତି ବଳଦେବ ଯାଗ କରୁ ତୁ ହୋ ସୁଖେ

ଯାଗଶାଳ ରକ୍ଷା କରିବଇଂ ମୁହିଂ ୟେକେ।୭।

ଚଉରାଶି ଗୁଣ ଲକ୍ଷଣେ ଅଶ୍ୱ ୟେକ ଆଣି

ଶରୀରେ ଆଭରଣ କଲେ କୋଟିୟେ କିରଣ ମଣି।୮।

ଶ୍ରୀକୃଷ୍ଣ ବୋଇଲେ ଅକ୍ରୁର ତୁ ଯାଅ ଇନ୍ଦ୍ରପ୍ରଶସ୍ତେ

ପଞ୍ଚ ପାଣ୍ଡବନ୍ତ ଘେନିଣ ତୁ ଆସିବୁ ତୁରିତେ।୯।

ସୋହୋଦ୍ରା ଦ୍ରୋପତୀଂକି ଯେ ଘେନିଆସ ବେଗେ

ବୋଲିବୁ ଶ୍ରୀକୃଷ୍ଣ କରୁଛନ୍ତି ଅଶ୍ୱମେଧ ଯାଗେ।୧୦।

ଶ୍ରୀକୃଷ୍ଣଂକ ଆଗ୍ୟାଂୟେ ଯେ ଅକ୍ରୁର ଗବନ ବହନ

ଇନ୍ଦ୍ରପ୍ରଶସ୍ତେ ଯାଇଂଣ ପ୍ରବେଶ ଯୁଝେଷ୍ଠିଂକ ଆସ୍ତାନ ସନ୍ନିଧାନ।୧୧।

ପ୍ରଣପତ୍ୟ ହୋଇଣ ସେ କହିଲା ସକଳ

ଶୁଣିମା ସାନନ୍ଦ ଯେ ହୋଇଲେ ପଣ୍ଡୁବାଳ।୧୨।

ଅକ୍ରୁର ବୋଇଲା ଅଶ୍ୱମେଧର ଯେ କଥା

ଦଣ୍ଡସା ଜିଅଇଲେ ପାଣ୍ଡବ ସାମରଥା।୧୩।

ଆସିଣ ଦ୍ୱାରିକା ଭୁବନେ ହୋଇଲେ ପରବେଶ

ଅନେକ ପୂଜା ତାଂକୁ କଲେ ଋଷୀକେଶ।୧୪।

ଦ୍ରୋପତୀ ସତ୍ୟଭାମାର ବଢ଼ିଲା ଅନେକ ପୀରତି

ଆନନ୍ଦେ ରହିଲେ ଅଶ୍ୱମେଧ ଯାଗ କରିବେ ଶ୍ରୀପତି।୧୫।

ବଦୟନ୍ତି ଶ୍ରୀପତି ଶୁଣହୋ ନରେନ୍ଦ୍ର

ତୁମ୍ଭର ଆସନ୍ତେ ଆମ୍ଭର ପରମ ଆନନ୍ଦ।୧୬।

ପଞ୍ଚଭାଇ ତୁମ୍ଭେ ଥିବଟି ନିଚିନ୍ତେ

ବଦୟନ୍ତି ଯୁଝେଷ୍ଠି ଗୋବିନ୍ଦକଇଂ ୟେକାନ୍ତେ।୧୭।

ଅଶ୍ୱମେଧ ଯାଗ କରି ବସିଥାଅ ତୁମ୍ଭେ

ତହିଂର ସମସ୍ତ ଚରଚା କରୁଥିବୁଂ ଆମ୍ଭେ।୧୮।

ଯାଗଶାଳ ଦେବ ତୋଳାବନ୍ତି ବେଗେ ବେଗେ

ସୁମରନ୍ତେ ସମସ୍ତ ଋଷି ଆସି ମିଳିଲେକ ଗୋବିନ୍ଦଂକ ଆଗେ।୧୯।

ଋଷିମାନନ୍ତ ଯେ କହିଲେ ନାରାୟଣ

ତୁମ୍ଭେ ଋଷିୟେ ଯାଗ ଆରୋହଣ।୨୦।

ବଶିଷ୍ଠ ପଉଲସ୍ତି ମାରକଣ୍ଡ ଅଗସ୍ତି

ସୋମଶ ପରମେଶ୍ୱର ଭାରାଦ୍ୱାଦଶ ଯତି।୨୧।

ବିଭାଣ୍ଡକ ଋଷ୍ୟଶୃଙ୍ଗ କଣ୍ଡୁ କଶ୍ୟପ ସତ୍ୟପା

ଜନକ ଅଷ୍ଟବକ୍ର ଉତ୍ତଂକ କପିଳ ଅଜପା।୨୨।

ବ୍ୟାସ ବଲମ୍ୱୀକ ଯେ ବିଶ୍ୱାମିତ୍ର ମୂଳେ

ସମସ୍ତ ପ୍ରବେଶ ହୋଇଲେକ ଅଶ୍ୱମେଧ ଶାଳେ।୨୩।

ଦ୍ୱାର ରକ୍ଷା କରିବାକୁ ରଖିବାକ କାହା

ଭୋ ଦେବ ଯୁଝେଷ୍ଠିର ୟେ କାର୍ଯ୍ୟକୁ ହୋଇବେକ ସାହା।୨୪।

ଧର୍ମରାୟେ ବୋଇଲେ ଅର୍ଜୁନ ବୀର ଥାଉଂ

ୟେ ଦ୍ୱାର ରଖିବାକୁ ଆନ ଅଛି ଅବା କେହୁ।୨୫।

ବୋଲନ୍ତି ଶ୍ରୀଅର୍ଜୁନରେ ୟେ ଦ୍ୱାର ନୋହିବ ରକ୍ଷିତ

ଯାଗ ସମାପତ କରି ନୁଆରିବୁ ଆମ୍ଭେ ତ।୨୬।

ଅର୍ଜୁନ ବୋଇଲେ ସ୍ୱାମୀ ଆପଣେ ତୁମ୍ଭେ ସବୁ ଜାଣ

କିମ୍ପାଇଂ ୟେହା ମୋତେ ବୋଇଲ ନାରାୟଣ।୨୭।

ମାଇଲଇଂ ମୁହିଂ ଭୀଷ୍ମ ଦ୍ରୋଣ କର୍ଣ୍ଣ ମୂଳେ

ୟେଗାର କ୍ଷଉଣୀ ବଳ ସଂହାରିଲି ହେଳେ।୨୮।

ମୋହର ପ୍ରାକ୍ରମ ୟେ ଥିଲାକ ତେତେବେଳେ

ତବ ଦ୍ୱାର ରଖିଲେ ଯୋଗ୍ୟ ନୋହିଲି ୟେତେବେଳେ।୨୯।

ୟେ ବଚନ ଶୁଣି ଭଗବାନ ମନେ ବିଚାରଇ

ଦ୍ୱାରେ ନରଖିଲେ ୟେ କରିବନା କୋପଇଂ।୩୦।

ଗୋବିନ୍ଦେ ବୋଇଲେ ଯେବେ ପାରିବୁନି ବର୍ତ୍ତି

ଦ୍ୱାରପାଳ ହୋଇ ରହ ତୁମ୍ଭେ ବିଚିତ୍ରବୀର୍ଯ୍ୟର ନାତି।୩୧।

ଦ୍ୱାରରକ୍ଷା ପାଳନ ସେ ହୋଇଲାକ ବୀର ପାଥେ

ଲକ୍ଷେ ବଳ ଗାଣ୍ଡିମଧନୁ ପଶୁପତ୍ତ ବାଣ ହାଥେ।୩୨।

ଲକ୍ଷେଷାଠିୟେ ସହସ୍ର ଅଶିୟେ ନନ୍ଦନ

ଚଉଦ ଲକ୍ଷ ଅଛନ୍ତି ଯାଦବ ବଳସଇନ।୩୩।

ଅନ୍ଧେକ ବଳ ଭୋପାଳ ହରିହର ଭୋଜବଂଶ

ୟେ ବିଧି ଛପନ କୋଟି ଯାଦବନ୍ତ ଘେନିଣ ଋଷିକେଶ।୩୪।

ବତିଶ ସହସ୍ର ଶତେ ଅଷ୍ଟପାଟ ବଂଶୀ

ଦିବ୍ୟ ଅବତାର ହୋଇ ଯାଗଶାଳେ ବସି।୩୫।

କୃଷ୍ଣ ବୋଲନ୍ତି ଅର୍ଜୁନ ତୁ ଥିବୁ ଯାଗଶାଳ ଦ୍ୱାରେ

ବିନା ଅଗ୍ୟାଂୟେ କେହି ଯେହ୍ନେ ନପଶିବ ଭିତରେ।୩୬।

ଆମ୍ଭେ ସମସ୍ତେ ବିଶହସ୍ର ତୁହି ଯେ ଶହସ୍ରଧାରୀ

ଯେ ବଳାତ୍କାରେ ପଶିବ ତାକୁ ପକାଇବୁ ମାରି।୩୭।

ଯାଗନିକମାନେ ଯେ ପିନ୍ଧିଲେ ଝୀନବାସ

ଧଉର୍ଯ୍ୟବନ୍ତ ହୋଇଣ ବସିଲେ ହୃଷିକେଶ।୩୮।

କପିଙ୍ଗଳ ଛାଲରେ ବସିଲେ ଦେବହରି

କଟିମେଖଳା ଓଢ଼ିଆଣୀ କୃଷ୍ଣାଜିନ ଚଉଂରୀ।୩୯।

ବ୍ରାହ୍ମଣନ୍ତ ଭୋଦନ ଯେ ଦିଅନ୍ତି ଅନେକ

ଅଗ୍ନି ଆରୋପଣ ଯେ କରନ୍ତି ଯାଗନିକ।୪୦।

ମକର ମାସ ଶୁକଳ ପକ୍ଷ ଦ୍ୱିତୀୟାର ତିଥି

ଶ୍ରବଣା ନକ୍ଷତ୍ର ସେ ଯେ ବାର ବୃହସ୍ପତି।୪୧।

ସିଦ୍ଧି ନାମେ ଯୋଗ ଯେ ବାଳବ ନାମେ କରଣ

ସେହିଦିନ ହୋଇଲା ଯାଗ ଆରୋପଣ।୪୨।

******

 

ବ୍ରାହ୍ମଣର ମୃତପୁତ୍ର ଆନୟନ

 

ୟେଥୁ ଅନନ୍ତରେ ଶୁଣ ତୁହୋ ରାଜଶିଷ

ଯାଗ ତିନିଦିନ ହୋଇଲାକ ପରବେଶ।୧।

ସେ ନଗ୍ରେ ଥାଇଂ ରହି ବସୁକଳ୍ପ ନାମେ ଦ୍ୱିଜା

ଶ୍ରୀୟା ନାମେଣ ଯେ ତାହାର ଭାରିଯା।୨।

ଛଡ଼ ଗୋଟି ପୁତ୍ର ତାହାର ହୋଇଲାକ ଯାୟେ

ଅନ୍ତୁଡ଼ି ଶାଳରୁ ଅଦଭୁତେ କେଣେ ଯାୟେ।୩।

ବଡାଇ ବଇକୁଲ୍ୟ ହୋଇଲାକ ଦ୍ୱିଜବର

ବଇଷ୍ଣବୀ ଚକ୍ର ବୁଲଇ ଯହିଂ ସହସ୍ରେକ ଧାର।୪।

ଯମ ଦେବତା ଯହିଂ ପଶିତେ ନୁଆରଇ ଭୟେକରି

ଅନ୍ତୁଡ଼ିଶାଳରୁ କେ ମୋ ପୁତ୍ରକଇଂ ନିୟେ ହରି।୫।

କେବଣ ମତେ ଚରିତ ବୁଝିବି

ଭାଳଇ ବ୍ରାହ୍ମଣ ମୁଂ କେମନ୍ତେ କରିବି।୬।

କେହୁ ମୋତେ ୟେଥୁଂ କରିବ ପ୍ରତିକାର

ଅନ୍ତୁଡ଼ିଶାଳ ମଧ୍ୟରୁ କେ ପୁତ୍ର ନିଅଇ ମୋହୋର।୭।

ବ୍ରାହ୍ମଣୀକି ବୋଇଲା ଚାଲ ୟେଥୁଂ ଯିବା ପୋଡୁ ୟେ ଦ୍ୱାରକା

ୟେ ବିଷ୍ଣୁର ଭୁବନେ ମୁଂ ପାତକ କଲି ୟେକା।୮।

ବ୍ରାହ୍ମଣୀ ବୋଇଲା ପଣ୍ଡାୟେ ନୁହ ତୁମ୍ଭେ ବିକଳ

ଦୁଖ ପାର ହୋଇବ ଆମ୍ଭର କୃଷ୍ଣଂକ ଯାଗଶାଳ।୯।

ଦ୍ୱାରିକା ଯାଇ ତୁମ୍ଭେ ବେଳେକ ବଚନମାଗ

ଅବଶ୍ୟ ଦେବାକ ସେ ନୁହଇ ବିଯୋଗ।୧୦।

ୟେଥୁ ଅନନ୍ତରେ ଯାଗ ତୃତୀୟ ଦିବସ ହୋୟେ

ଭାରିଯା ବୋଇଲା ତୁମ୍ଭେ ଯାଅ ଯା ପଣ୍ଡାୟେ।୧୧।

ଯେ ଯାହା ମାଗନ୍ତି ଅବିଚ୍ଛନ୍ନେ ଦିଅନ୍ତି ସେ ଦାନ

ତୁମ୍ଭେ ୟେବେ ଯାଅ ଆହୋ ମାଗ ପୁତ୍ର ଦାନ।୧୨।

କଲେ ତିରଣ ଘେନିଣ ବସୁକଳ୍ପ ବେଦଧ୍ୱନି କରି

ଯାଗଶାଳ ଦ୍ୱାରେ ଯାଇଂ କହଇ ଗୁହାରି।୧୩।

ୟେସନେର ଅନୀତି ଯେ କୃଷ୍ଣ ତୋର ପୁରୀ

ଛଡବେଳ ବ୍ରାହ୍ମଣୀ ପୁତ୍ର ପ୍ରସବଇ କେ ନିଅଇ ହରି।୧୪।

ତୋହୋର ରାଜ୍ୟେ ହରି ୟେସନେକ ଅରଷ୍ଟି

ପୁତ୍ର ଦେଇ ମୋହୋର ଯେ ମନ କର ତୁଷ୍ଟି।୧୫।

ବୋଲଇ ବିନୟ ଭାବେ ବୀର ଫାଲଗୁନି

ୟେଥେଂ ବ୍ରାହ୍ମଣ ତୁ ଚହଳ ନକରନି।୧୬।

ମୋତେ ଦ୍ୱାରେଣ ଥୋଇ ଦେବହରି

ଯାଗଶାଳେ ବସିଛନ୍ତି ଦେବ ଯେ ମୁରାରି।୧୭।

କେବଣ ଆରତ ସେ କହସି ଦ୍ୱିଜବର

କେବଣ କୃତେ ଗୁହାରି ଅଛଇ ତୁମ୍ଭର।୧୮।

ତୋହୋର ବେଦନା ଦ୍ୱିଜ କହ ମୋହୋର ଆଗେ

ମୁହିଂ କିରିବି ତାହା କୃଷ୍ଣଂକ ଅନୁରାଗେ।୧୯।

ବୋଲଇ ବ୍ରାହ୍ମଣ ତୁକୁଇ ଶକ୍ୟ ନାହିଂ

କିସ କରିବଇଂ ତୋହୋର ଆଗେ କହି।୨୦।

ତୁହୋ ପ୍ରତାପ କି ନଜାଣୁ ମୋହୋର ଦ୍ୱିଜବର

ମୁହିଂ ସେ ସକଳ ଦୁଷ୍ଟଂକ ଦର୍ପହର।୨୧।

ଅବନୀ ଭାରା ନିବାରଣେ ଯେ ମୋହର ବଳଥିଲା

ତୋହୋର କେଉଂଣ କଥାଟି ମୋହୋର ଶକ୍ୟ ଯେ ନୋହିଲା।୨୨।

ଦ୍ରୁପଦ ରାୟେ କଲେକ ସୟମ୍ୱର

ଲକ୍ଷେ ନୃପତି ମିଳିଲେ ତାହାର ମନ୍ଦିର।୨୩।

ଲାଖ ବିନ୍ଧି ତହିଂ ଦ୍ରୋପତୀଂକି ଆଣିଲି

କୁରୁବଳ ସଇନିଂକି ମୁଂ ୟେକା ନିବାରିଲି।୨୪।

ବିରାଟ ରାଜ୍ୟେ ମୁଂ ନପୁସଂକ ଯେ ହୋଇଲି

ଅନ୍ତେଶ୍ୱରେ ବୃହନ୍ନାରୀ ମୁହିଂ ବୋଲାଇଲି।୨୫।

ଗୋଧନ ହରଣେ ରାଜା ଦ୍ରିଯୋଧନ ଆୟେ

ଶୁଣିଣ ଉତ୍ତରକୁମାର ପଡଇ ମୋହୋର ପାୟେ।୨୬।

ତାହାର ରଥେ ମୁଂ ସାରଥି ହୋଇଗଲି

ତାହାର ନିଉନେ ରଥୀ ହୋଇ ମୁଂ ସକଳ ସନ୍ୟ ନିବାରିଲି।୨୭।

କୁରୁପାଣ୍ଡବେ ବଳ ଯେ ସମର ହୋଇଗଲା

ଅନେକ ବଳ ମୋହୋର ହାଥରେ ପଡ଼ିଲା।୨୮।

ମାଇଲି ଭୀଷ୍ମ ଦ୍ରୋଣ କର୍ଣ୍ଣ ଶଲ୍ୟ ଜଦ୍ୟରଥ ମୂଳେ

ୟେଗାର କ୍ଷଉଣୀ ବଳ ସଂହାରିଲି ହେଳେ ରୋଳେ।୨୯।

ୟେ ବଚନ ଶୁଣିଣ ଦ୍ୱିଜବର ଉପହାସ କାୟେ

ଶୁଣିଣ ଅର୍ଜୁନ କୋପେ ଗୁରୁତର ହୋୟେ।୩୦।

ଅର୍ଜୁନ ବୋଲଇ ମୁହିଂ ତୋହୋର କାର୍ଯ୍ୟ କରଇ ପାରି

କହସି ବ୍ରାହ୍ମଣ ହୋ ୟେବେ ଆଗରେ ମୋହୋରି।୩୧।

ଆହୋ ଦ୍ୱିଜବର କେହୁ ଅଟଇ ଫାଲଗୁନି

ଭାରା ନିବାରଣେ ଆମ୍ଭେ ଜନ୍ମିଲୁ ମାନବ ଦେହ ଘେନି।୩୨।

ଶୁଣିଣ ବ୍ରାହ୍ମଣ ଯେ ବୋଲଇ ତାର ଆଗେ

ଯାଇଣ ଫାଲଗୁନି ହୋ ଜଣାଅ କୃଷ୍ଣେ ବେଗେ।୩୩।

କେ ମୋହର ଛଡ ବେଳେ ପୁତ୍ର ହରିନେଲା

ୟେବେ ବ୍ରାହ୍ମଣୀର ପ୍ରସବ ନିକଟ ହୋଇଲା।୩୪।

ଦଶମାସ ସମ୍ପୂର୍ଣ୍ଣ ନିକଟ ହୋଇଲାନି ଆସି

ନପୁଣ ପୁତ୍ର ଜନ୍ମକାଳେ ସେହୁ ନିୟେ ଆସି।୩୫।

ବୋଲଇ ଅର୍ଜୁନ ହୋ ଶୁଣ ଦ୍ୱିଜବର

ତୋର ଆଗେ କିସ କହିବି ପହିଜ ମୋହୋର।୩୬।

ୟେ ଘାନ୍ତି ପ୍ରସବ କାଳେ ରଖିବି ତୋର ବଳା

ବୋଲଇ ଦ୍ୱିଜବର ହୋ ବହନ ୟେଥୁଂ ପଳା।୩୭।

ତୋହୋର ପୁତ୍ର ଯେବେ ନୁଆରଇ ରଖିତ

ଅଗ୍ନି ଜାଳି ମରିବି ଯେ ମୋହର ସତ୍ୟ ସତ୍ୟ।୩୮।

ୟେ ଛାର କଥାକୁ କିମ୍ପେ ତୋହୋର ୟେଡେ ଡର

ଚାଲ ହୋ ବ୍ରାହ୍ମଣ ଯିବା ତୁମ୍ଭର ସେ ଘର।୩୯।

ଆଗେଣ ଦ୍ୱିଜବର ପଛେ ଚଳଇ ଅର୍ଜୁନ

ଯାଇଣ ପ୍ରବେଶ ହୋଇଲେ ବ୍ରାହ୍ମଣ ଘର ସନ୍ନିଧାନ।୪୦।

ଭିତରକୁ ଆସ ବୋଲି ବିପ୍ର ବୋଇଲେ ଅରଜୁନେ

କେମନ୍ତେ ଯିବି ତୋହୋର ପ୍ରସବର ଥାନେ।୪୧।

ବ୍ରାହ୍ମଣ ବୋଲଇ ତୁ କରିବୁନା ମିଥ୍ୟା

ସନ୍ନିଧ୍ୟେ ଦେଖିବୁ ନା ହରଣ ବ୍ୟବସ୍ଥା।୪୨।

ବ୍ରାହ୍ମଣ ବଇକୁଲ୍ୟେ ପାଥ ପଶିଲା ଭିତରେ

ଧନୁ ଶହସ୍ର ଧରି ପାଥ ଜଗି ବସିଲାକ ଦ୍ୱାରେ।୪୩।

ପୁତ୍ରେକ ବ୍ରାହ୍ମଣୀର ସେ ପ୍ରସବ ହୋଇଲା

ନାଭି ତାଟି କରି ଆଣି ଅର୍ଜୁନକୁ ଦେଖାଇଲା।୪୪।

ସ୍ରାହାନ କରାଇ ଅନ୍ତୁଡ଼ିଶାଳେ ଶୁଆଇଲା ବାଳ

ଜନ୍ମ ଉତ୍ସବ ଦେଖି ହୁଳହୁଳି ଦିଅନ୍ତି ଯୁବତୀ ସକଳ।୪୫।

ଚତୁର୍ଥ ହୁଳହୁଳି ଦ୍ୱିଜଘରେ ଶୁଭିଲା ଶବଦ

ପଞ୍ଚମ ହୁଳହଳିକି ପଡିଲା ପରମାଦ।୪୬।

ଅଦଭୂତେ ନନ୍ଦନ କେବଣ କତି ଗଲା

ହା ହା ପୁତ୍ର ବୋଲିଣ ବ୍ରାହ୍ମଣୀ ଶୋକ କଲା।୪୭।

କାନ୍ଦଇ ବ୍ରାହ୍ମଣ ବ୍ରାହ୍ମଣୀ ଅର୍ଜୁନ ମୁଖ ଚାହିଂ

ବିଶ୍ୱାସଘାତକ ତୁ ହୋଇଲୁ କିସ ପାଇଂ।୪୮।

କରେ କଟାର ଘେନି ବ୍ରାହ୍ମଣ ବ୍ରାହ୍ମଣୀ

ତୋହୋର ଉପରେ ୟେ ହୋଇବୁ ଆମ୍ଭେ ହାଣି।୪୯।

ଧିକ ଧିକ ଅର୍ଜୁନ ତୋହୋର ଛତ୍ରୀ ପଣ

ଛତ୍ରୀଂକର ମଧ୍ୟେ ତୁହୋ ଅଟୁ ହୀନଜନ।୫୦।

ଧିକ ଧିକ ତୋହୋର ଅକ୍ଷ ଯେ ତ୍ରୋଣ ପଶୁପତ୍ର ଶର

ଧିକ ଧିକ ହୋଉ ଯେ ଗାଣ୍ଡିମ ଧନୁ ତୋର।୫୧।

ୟେଡେ ବଡ ପ୍ରତଗ୍ୟାଂୟେ କରିଣ ଅଇଲୁ

ସଞ୍ଚୟେ ପୁତ୍ର ମୋହୋର ରଖିତ ନୁଆରିଲୁ।୫୨।

ୟେଡ଼େକ ଭରସା ଯେ ଅଇଲୁ ପୁତ୍ର ରଖି

ୟେବେ ମୋହୋର ହତ୍ୟା ଘେନ ମୁଂ ପୁତ୍ର କଷ୍ଟେ ଦୁଖୀ।୫୩।

ଶୁଣିଣ ଅର୍ଜୁନ କପାଳେ ତାଡଇ ନିଜ ହାଥ

ଅଭାବିତ କର୍ମ ମୋର ଦଇତ ପରାକୃତ।୫୪।

ଶୁଷ୍କକାଠ ଆଣିଣ ପାଥ ସଞ୍ଚିଲାକ ରୋଇ

ପ୍ରତିକ୍ଷଣ କରିଣ ସେ ପଶିତେ ଲୋଡଇ।୫୫।

ଡଗର ଯାଇ ଶ୍ରୀକୃଷ୍ଣ ଆଗେ ଜଣାଇଲା

ଧର୍ମର ବେଳେ ଆଜ ପ୍ରମାଦ ପଡିଲା।୫୬।

ଅର୍ଜୁନ ହୁତାଶନେ ପଶଇ ଦେବହରି

ବ୍ରାହ୍ମଣ ପୁତ୍ରକଇଂ ସେ ରଖିତ ନୁଆରି।୫୭।

ଭାଳନ୍ତି ଶ୍ରୀକୃଷ୍ଣ ଯେ କିସ କରିବା ଉପାୟେ

କେମନ୍ତେ ଅର୍ଜୁନ ଯେ ଅଗ୍ନିରେ ଝାସ ନ ଦିୟେ।୫୮।

ୟେ ମୋହୋର ଯାଗତ ପ୍ରାପତ ନୋହିଲା

ୟେବେ ସେଇ ଶାପ ତ ପ୍ରାପତ ହୋଇଲା।୫୯।

ୟେତେ ବୋଲିଣ ଆସନ ତେଜି ଉଠିଲେ ଦେବହରି

ବ୍ରାହ୍ମଣ ମନ୍ଦିରେ ଯାଇଂ ବିଜୟେ ଦେବ କରି।୬୦।

ଅଗ୍ନିରେ ଅର୍ଜୁନ ପଶନ୍ତେ ଧଇଲେ ଦେବ କୋଳେ

କିମ୍ଭୂତ କାରଣେ ମୋତେ ଝିଂଘାସୁ ୟେତେବେଳେ।୬୧।

ଅର୍ଜୁନ ବୋଇଲେ ଦେବ ବ୍ରାହ୍ମଣ କେ ନିଅଇ ହରି

ତେଣୁକରି ଦ୍ୱାରେ ଯାଇ ସେ କଲାକ ଗୁହାରି।୬୨।

ମୁହିଂ ବୋଇଲି ଚହଳ ନ କର ଧର୍ମ ବେଳେ

ମୁହିଂ ତୋହୋର ପୁତ୍ର ରଖିବି ପ୍ରସବର କାଳେ।୬୩।

ମୋହୋର ଜଗନ୍ତେ କେହୁ ପୁତ୍ର ନେଲା ହରି

ଆବରେ ଜୀବନେ କିସ ପ୍ରିୟୋଜନ ମୋହୋରି।୬୪।

ବାଚା ବିଚଳିତ ହୁଅନ୍ତି ଯେଉଂଣ ପୁରୁଷା

ଆଉ ସେ ଲୋକଂକର ଦେବ ଜୀବନେ କିସ ଆଶା।୬୫।

ତାହା ଶୁଣିଣ କୃଷ୍ଣ ବୋଇଲେକ ହସି

ଆସ ହୋ ଅର୍ଜୁନ ୟେହାର ପୁତ୍ର ଆଣିମାସି।୬୬

ଶ୍ରୀକୃଷ୍ଣର ବଚନ ଅର୍ଜୁନ ବୀର ଶୁଣି

କେସନେକେ ବିପ୍ର ପୁତ୍ର ଦେବୁ ଶାର୍ଙ୍ଗ ପାଣି।୬୭।

ଆସ ଆସ ବୋଲିଣ ବୋଇଲେ ଜଗୁନାହା

ୟେହିକ୍ଷଣି ପୁତ୍ରକୁ ହୋ ଆଣିଦେବା ତାହା।୬୮।

ଶ୍ରୀକୃଷ୍ଣଂକ ବଚନେ ବରଷ ଅରଜୁନ

କେସନେକେ ପୁତ୍ର ତୁ ହୋ ନେବୁ ଜନାର୍ଦ୍ଦନ।୬୯।

ପୁଷ୍ୟେକ ଆରୋହିଣ ସେ ଦଇବକୀର ସୁତ

ତୁଲେଣ ବସିଅଛି ପାଣ୍ଡବ ବୀର ପାଥ।୭୯।

ଶ୍ରୀବଳଦେବଂକୁ ଯେ ବୋଲନ୍ତି ଦେବହରି

ମୋହୋ ଆସିବା ଯାୟେ ଦ୍ୱାର ଥିବଟି ଆବରି।୭୧।

ଋଷିମାନେ ବସି ହାଦେ ୟେଥି କରୁଥାନ୍ତୁ ଯାଗ

ଅର୍ଜୁନ ପ୍ରତଗ୍ୟାଂ ସିଦ୍ଧ କରି ଆସଇ ମୁଂ ବେଗ।୭୨।

ରଥ ଚଢି ବିଜୟେ ଧନୁର୍ଜୟେ

ପାତାଳବିମ୍ୱରେ ଯାଇ ପଶିଲେ ଦେବରାୟେ।୭୩।

ଶ୍ରୀହରି ବୋଇଲେ ରଥ ଯାଇତ ନୁଆରି

ପଶିଲେ ଦୁଇଜଣ ରଥଦ୍ୱାରେ ଥୋଇକରି।୭୪।

ମହାଘୋର ଅନ୍ଧାର ନଦିଶଇ ବାଟଘାଟ

ବେନିଜନେ ପଶିଲେ ସେ ଦୃସହ ସଂକଟ।୭୫।

ଅର୍ଜୁନର କର ଧରି କେତେହେଂ ଧୂର ଯାୟେ

ଅନ୍ଧାର ପୁରୀ ଜିଣି ଦେଖିଲେ ସୁବର୍ଣ୍ଣପୁରୀ ଗୋଟିୟେ।୭୬।

ଅର୍ଜୁନ ବୋଇଲେ ଯେ ଶ୍ରୀକୃଷ୍ଣ ମୁଖ ଚାହିଂ

ଅଦଭୁତେ ଭୁବନେ ଦେବ ପଶିଲୁ କିସ ପାଇଂ।୭୭।

ବୋଲନ୍ତି ମାଧବ ଆହେ ଅର୍ଜୁନ ତୁମ୍ଭେ ଶୁଣ

ୟେ ସେ ବାରସ୍ୱତୀ ଭୁବନ ନିରିବାଣ।୭୮।

ଅନେକ ପୁଣ୍ୟ କରିଥିଲେ ୟେହୁ ପୁର ହାଦେ ପାଇ

ଲକ୍ଷେ ଯାଗ କରିଥିଲେ ହାଦେ ୟେ ପୁର ସେ ଦେଖଇ।୭୯।

କୃଷ୍ଣର ବଚନେ ଯେ ବୋଲନ୍ତି ଧନୁର୍ଜୟେ

ଆକାଶ ଭୁବନେ ଯେ ବସନ୍ତି ଦେବରାୟେ।୮୦।

ବଦୟନ୍ତି ଶ୍ରୀକୃଷ୍ଣ ଶୁଣ ହୋ ଫାଲଗୁନ୍ୟ

ତିନି ଭୁବନେ ସେ ଦେବତାଂକ ଥାନ।୮୧।

ଈଶ୍ୱରଂକର ୟେହି ମତେ ଅଛଇ ତିନିପୁର

ଯେ ବିଷ୍ଣୁ ସେ ଶଂକର ୟେଥେ ହେଂ ନାହିଂନା ବିକାର।୮୨।

ପାତାଳ ଭୁବନେହିଂ ହଟକେଶ୍ୱର କପିଳାସ

ନିଅଡ଼ କପିଳାସ ମଧ୍ୟସ୍ୱର୍ଗ ବାସ।୮୩।

କଣୟ କପିଳାସ ଭୁବନ ଆକାଶ

ୟେ ତ୍ରିୟମ୍ୱକ ନାଥଂକର ଯେ ତିନିସ୍ୱର୍ଗେ ବାସ।୮୪।

ଶ୍ରୀବିଷ୍ଣୁନାଥଂକର ୟେ ବଇକୁଣ୍ଠ ପୁରୀ

ମଞ୍ଚେଣ ଦ୍ୱାରିକାପୁର ବୋଲି ଅବତରି।୮୫।

ସ୍ୱର୍ଗେ ବାରସ୍ୱତୀ ଭୁବନ ନିର୍ବାଣ

ୟେ ବିଧି ତ୍ରିଭୁବନ ଯେ ବିଷ୍ଣୁନାଥଂକର ଜାଣ।୮୬।

ଚଉଦ ଲକ୍ଷ ଜୁଣ ଉଚ୍ଚେ ବିଷ୍ଣୁପୁର ଗୋଟି

ତହିଂ ଲକ୍ଷେ ଯୋଜନ ଉପରେ ଅନନ୍ତ ଶୟନଟି।୮୭।

ଆମ୍ଭନ୍ତ ଦେଖିଣ ତାଂକ ମନରେ ହରଷ

ବିଷ୍ଣୁକଳା ଲୋକ ୟେ ଅଟନ୍ତି ଅଭ୍ୟାସ।୮୮।

ଶଂକର କଳା ଲୋକ ୟେ ଅଟଇ ଶିବଦାସ

ବିଷ୍ଣୁଂକର ଭଗତ ଯେ ଅଟଇ ବିଷ୍ଣୁଦାସ।୮୯।

ମହା ପୁଣ୍ୟବନ୍ତ ୟେ ଅଟନ୍ତି ବେନି ଜନ

ୟେହାଂକର ତୁଲେ ଆଜ ପାଇବ ଦରଶନ।୯୦।

ଭୋ ରାଜନ ରତ୍ନପୁରେ ଯେ ସୁବର୍ଣ୍ଣ କୋଣକାଣ୍ଡ

ହୀରା ମାଣିକ୍ୟ ଖମ୍ୱରେ ଶେଣୀ ଖଣ୍ଡ।୯୧।

ଦିବ୍ୟ ପୋୟେଳାୟେ ହୋୟେ ଓରା ରୁଅ ପନ୍ତି

ସୁବର୍ଣ୍ଣ ରସାମଣି ପୀଢ଼ା ପଞ୍ଚୁରତ୍ନେ ସଞ୍ଚି ଅତି।୯୨।

ଦେଖିକରି ଅର୍ଜୁନ ଉତସଲ୍ୟ ଗାତ୍ରହିଂ

ପବିତ୍ର ଭୁବନ ୟେ ଦେଖିଲାତ ମୋର ନାହିଂ।୯୩।

ଗୋବିନ୍ଦେ ବୋଲନ୍ତି ହୋ ଜୟେ ଯେ ବିଜୟେ

ଜଣାଅ ମଧ୍ୟଭୁବନୁଂ ଆସିଛନ୍ତି କୃଷ୍ଣ ଧନୁର୍ଜୟେ।୯୪।

ଯାଇ ବିଜୟେ ଜଣାଇଲା ଶ୍ରୀବିଷ୍ଣୁନାଥର ଆଗେ

ଶୁଣିଣ ସାନନ୍ଦ ହେଲେ ଦେବ ଶିରୀରଙ୍ଗେ।୯୫।

ଆଗ୍ୟାଂ ହୋଇଲା ସେ ଆସନ୍ତୁ ଆଗହୋଇ

ଶୁଣିଣ ବିଜୟ ତାଂକୁ କହିଲା ବେଗେ ଯାଇ।୯୬।

ଆଗ୍ୟାଂ ହୋଇଲା ସେ ଆସନ୍ତୁ ତୁରିତ

ଶୁଣିକରି ସନ୍ତୋଷ ହୋଇଲେ ଶ୍ରୀକୃଷ୍ଣ ପାଥ।୯୭।

ଆଗ୍ୟାଂ ପାଇ ଯାଇଣ ଭିତର ପୁରେ ପଶି

କଣୟ ଆସ୍ତାନେ ଯେ ବିଷ୍ଣୁ ଛନ୍ତି ବସି।୯୮।

ସୁବର୍ଣ୍ଣର ସିଂଘାସନେ ମର୍କତ ଜଡ଼ିଲା

ହୀରା ନୀଳା ମାଣିକ୍ୟ ବଇଡ଼ୁର୍ଯ୍ୟ ଖଞ୍ଜିଲା।୯୯।

ଯୋଗଧ୍ୟାନ ନିମନ୍ତେ ବସିଅଛନ୍ତି ଶ୍ରୀପୁରୁଷୋତ୍ତମ

ଦେଖିଣ ହରଷ ତାଂକୁ ଶ୍ରୀହରି ଅରଜୁନ।୧୦୦।

ଶ୍ରୀବିଷ୍ଣୁର ଭୁଜ ନୀଳଉତ୍ପଳ ବିରାଜଇ

ପୀତବାସ ପରିହରଣ ଦେବଂକ ଦେବ ରାଜଇ।୧୦୧।

ଶଙ୍ଖ ଚକ୍ର ଗଦା ପଦ୍ମ କଉମୁଦୀ କଉସ୍ତୁଭ ଆଦି

ଆସ୍ତାନ କରିଅଛନ୍ତି ବିଜୟେ ଶତ୍ରଭେଦୀ।୧୦୨।

ପ୍ରଳମ୍ୱିତ ହୋଇ ତାଂକୁ ସ୍ତୁତି କଲେ ବେନି

ଉଠି ଉଭା ହୋଇ ପୁଣି କରନ୍ତି ଦୟିନୀ।୧୦୩।

ଯୋଗ ଧ୍ୟାନ ଭାଞ୍ଜିଲା ସେ ଦେବ ନାରାୟଣ

ଦେଖିଣ ବୋଲନ୍ତି ବେନି ଜନେୟେ ଆପଣେ।୧୦୪।

ବିଷ୍ଣୁ ବୋଲନ୍ତି ଶୁଣ ହୋ ପୁରୁଷୋତ୍ତମ

ଅର୍ଜୁନ ଘେନି ଅଇଲୁ ନାହିଂ ତ ବଳରାମ।୧୦୫।

ତୁମ୍ଭେ ଗଲ ପାଶୋରିଲ ୟେ ଭୁବନ

ତୁମ୍ଭେ ସିନା ଗଲ ହୋ ହରି ବଳରାମ।୧୦୬।

ନର ନାରାୟଣ ଅଟ ତୁମ୍ଭେ ବେନି

ଭାରା ନିବାରଣେ ତୁମ୍ଭେ ଉପୁଜିଲ ମେଦିନୀ।୧୦୭।

ପୃଥିବୀ ସହି ନୁଆରିଲା ଅସୁର ପାଦଭାର

ମୋହୋର ତହିଂକି ଆସିଲେ ତ୍ରିଦଶ ଅମର।୧୦୮।

କ୍ଷୀର ସମୁଦ୍ର ଭିତରେ ଥିଲୁ ଯୋଗଧ୍ୟାୟେ

ତହିଂ ମିଳିଲେ ଆସି ତ୍ରିଦଶ ଦେବତାୟେ।୧୦୯।

ଅନେକ ବିନୋୟୀ କହିଲେକ ଭାଳି

ପୃଥିବୀ ଭାରାଭର ନିବାରିବେ ବନମାଳୀ।୧୧୦।

ଶୁଣି କରି ଆମ୍ଭର ଶରୀରକୁ ଚାହିଂଲୁ

ଶୁକଳ କଳା ଯେ ଦୁଇ ରୁମ ଉପାଡ଼ିଲୁ।୧୧୧

ମଥୁରା ନଗ୍ରେ ଅଛନ୍ତି ଦେବକୀ ଦଇବକୀ

ବସୁଦେବର ପୁତ୍ର ତୁମ୍ଭେ ହୁଅ ଯାଇଂ ଭୁବିକି।୧୧୨।

ଯେ ସେ ଶୁକଳ ହେବ ବଳରାମ ରୂପ

ଯେହୁ ସେ କଳାବର୍ଣ୍ଣ ତୁମ୍ଭେ ସେ ଶ୍ରୀକୃଷ୍ଣ ସରୂପ।୧୧୩।

ଯେବଣ କୃତ୍ୟକଇଂ ମୁଂ ପଠିଆଇଲି ତୁମ୍ଭନ୍ତ

ସେ କାର୍ଯ୍ୟ ସାରି କିମ୍ପେ ରହିଲ ନିଚିନ୍ତ।୧୧୪।

ମଧ୍ୟ ଭୁବନରେ ଭୋଗ ପାଇ ସର୍ବ ଯେ ପାଶୋରିଲ

ୟେବେ ଯାଇଂ ବେଗେ ଆସ ନୋହି ତିମ୍ଭେ ଭୋଳ।୧୧୫।

ମୁହିଂ ସେ ବିଷ୍ଣୁନାଥ ଅଠଇ ୟେକଯୋଗ

ମଞ୍ଚେଣ ଆଉ କେତେ କରିବି ବଇଭୋଗ।୧୧୬।

ବୋଲନ୍ତି ଶ୍ରୀକୃଷ୍ଣଚନ୍ଦ୍ର କୃତ ଆଞ୍ଜୋଳି ହୋଇ

ଆମ୍ଭନ୍ତ ଅଗୋଚର ଜାଣିବୁ ଆମ୍ଭେ କାହିଂ।୧୧୭।

ୟେବେ ତୁମ୍ଭ ଆଗ୍ୟାଂୟେ ଆସିବୁ ଚଉବାହା

ଆସିବଇଂ ଶୀଘ୍ରେ ଦେବ ଜଗୁଜନ ନାହା।୧୧୮।

ସକଳ ଭାରାତ ନିବାରିଲ ମେଦିନୀ

ଆସିବ ଯାଅ ବେଗେ ବଳରାମଂକୁ ସଙ୍ଗେ ଘେନି।୧୧୯।

ଶ୍ରୀକୃଷ୍ଣ ବୋଇଲେ ଯେତେକ ଯାଦବ ଅଛନ୍ତି ମୋର ବଂଶ

ଆସିବାର ବେଳେ ତାହା କରିବଇଂ ନାଶ।୧୨୦।

ବାହୁଡ଼ି ଯାଅ ବୋଲି ବିଷ୍ଣୁନାଥ ଦିଲେ ଆଗ୍ୟାଂ

ସ୍ୱାମୀ ତୁମ୍ଭର ବଚନ କେ କରିବ ଅବଗ୍ୟାଂ।୧୨୧।

ବହନ ଯାଅ ବୋଲି ବିଷ୍ଣୁନାଥ ବୋଲି

ଶ୍ରୀକୃଷ୍ଣ ପ୍ରଣମ୍ୟ କରି ଶୁତିଲେ ଗଡ଼ଘାଲି।୧୨୨।

ଯେବଣ କାର୍ଯ୍ୟେ ଆମ୍ଭେ ଅଇଲୁ ଗୋସାଇଂ

ସେ ବଚନ ଗୋଟି ଛାମୁରେ କହଇ ନିର୍ଭାଇ।୧୨୩।

ମୋହୋର ନଗ୍ରରେ ଦେବ ୟେକଇ ଦ୍ୱିଜବର

ପୁତ୍ର ଗୋଟିୟେ ଜନ୍ମ ଯେ ହୋଇଲା ତାହା ଘର।୧୨୪।

ଜନମ ହୋଇ ଅନ୍ତୁଡ଼ିରେ ଶୁଆଇଲେ ଯେବେ

ଅନ୍ତର୍ଦ୍ଧାନେ ସେହି ଗଲା କେଉଂଣ ଯେ ଠାବେ।୧୨୫।

ମୁହିଂ ଯାଗଶାଳେ ଦେବ ଥିଲାଇଂ ଦେବ ବସି

ବ୍ରାହ୍ମଣ ମୋର ଦ୍ୱାରେ ଗୁହାରି କଲା ଆସି।୧୨୬।

ଅର୍ଜୁନକୁ ଜଗାଇଥିଲି ଯାଗ ଦ୍ୱାରେ

ବ୍ରାହ୍ମ ଗୁହାରି କଲା ଅତି ଆରତରେ।୧୨୭।

ଯାଗର ବେଳେ ଯେ ଯିସ ମାଗଇ

ଅବଶ୍ୟ ଦେଉଂ ଯାହା ମନାସଇ।୧୨୮।

କହିଣ ବ୍ରାହ୍ମଣ ସେ ସତ୍ୟ ମନାଇଲା

ତାହାର ଆଗେ ଅର୍ଜୁନ ବହୁ ପ୍ରତଗ୍ୟାଂ ଯେ କଲା।୧୨୯।

ତୋହୋର ପୁତ୍ର ଯେବେ ରଖିତ ନୁଆରଇ

ନିଚୟେ ସତ୍ୟ ମୋର ଅଗ୍ନି ଜାଳି ମରିବଇଂ।୧୩୦।

ତାହାର ପୁତ୍ରକୁ ୟେତ ରଖି ନୁଆରିଲା

ଅନ୍ତୁଡ଼ିରେ ଶୁଆନ୍ତେ ପୁତ୍ର କେହୁ ହରିନେଲା।୧୩୧।

ନ ଦେଖିଣ ବ୍ରାହ୍ମଣ ଯେ କଲାକ କୋପଇଂ

ତାହାର ଆଗେ ଅର୍ଜୁନ ଅଗ୍ନି ଆରୋପଇ।୧୩୨।

ଦ୍ୱାରପାଳେ ମୋତେ ଯେ କହିଲେ ବେଗେ ଯାଇଂ

ଅର୍ଜୁନ ଅଗ୍ନିରେ ପଶୁଅଛି ହୋ ଗୋସାଇଂ।୧୩୩।

ୟେହା ଶୁଣି ଦେବ ବଡ ପାପ ଯେ ପାଇଲି

ଆସିଣ ବ୍ରାହ୍ମଣକୁ ଯେ ମୁଂ ବଚନ ବୋଇଲି।୧୩୪।

ସକଳ ବୃତ୍ତାନ୍ତ କହିଲା ବିପ୍ରବର

ରଥ ଆରୋହି ଦେବ ଅଇଲୁ ପାତାଳ ପୁର।୧୩୫।

ଆସନ୍ତେଣ ଦେବ ତୁମ୍ଭ ଭୁବନ ପାଇଲି

ଅନେକ ଜନ୍ମର ମୁଂ ସୁକୃତ ଲଭିଲି।୧୩୬।

ୟେଥିର ଚରିତ ମୋତେ କହିବା ବହନ

ଯେହେନେକେ ଅଗ୍ନିରେ ନପଶଇ ଅର୍ଜୁନ।୧୩୭।

ଶୁଣିଣ ପରମ ବିଷ୍ଣୁ କହିଲେ କୃଷ୍ଣକଇଂ

ସେ ବ୍ରାହ୍ମଣ ପୁତ୍ରକୁ ହୋ ଆଣିଲାଇ ମୁହିଂ।୧୩୮।

ତୁମ୍ଭର ଆସିବା ନିମନ୍ତେଣ ଦେବ ହରି

ସେ କାରମେ ଆମ୍ଭେ ୟେସନେକ ଉପାୟେ ଯେ କରି।୧୩୯।

ଘେନି କରି ଯାଅ ବୋଲି କୃଷ୍ଣଂକୁ ଆଗ୍ୟାଂ ଦିଲେ

ଦ୍ୱାପର ଶେଷେ କଳି ପ୍ରବେଶ ହୋଇଲେ।୧୪୦।

ତୁମ୍ଭନ୍ତ ଥାଆନ୍ତେ କାହିଂ କଳିଯୁଗ ହେବଭୋଗ

ରାମକୁ ଘେନି ତୁମ୍ଭେ ଦୁହେଂ ଆସ ହୋଇ ବେଗ।୧୪୧।

ହରିତୋହୋରେ ବଂଶ ଅତଳିତ ପୃଥ୍ୱୀକି ହୋଇଅଛି ଭାରା

ତାହାଂକର ପାଦଭାର ନ ସହଇ ବସୁନ୍ଧରା।୧୪୨।

ତାହାନ୍ତ ଭିନ୍ନେ କରି ଚଳସି ଆକାଶେ

ତୋତେ ବାଟ ଚାହିଂ ବସିଅଛନ୍ତି ତ୍ରିଦଶେ।୧୪୩।

ୟେ ସାତ ପୁତ୍ରନ୍ତ ଘେନିଚଳି ଯାଅ ବେଗେ

ବ୍ରାହ୍ମଣ ପୁତ୍ରନ୍ତ ଦିଅ ବ୍ରାହ୍ମଣର ଲାଗେ।୧୪୪।

ଯେତେକ ଆଉ ସେ ପୃଥ୍ୱୀକି ଛନ୍ତି ଭାରା ହୋଇ

ସକଳ ନାଶି ତୁମ୍ଭେ ଆସ ବେଗେ ଯାଇ।୧୪୫।

ନପୁଣ ମଞ୍ଚପୁରେ ଭୋଗ ପାଇଣ ନୁଆସ

ଯାଅ ୟାଅ ବୋଲି ବିଷ୍ଣୁ ଦିଲେକ ଆଦେଶ।୧୪୬।

ସାତପୁତ୍ର ଦିଲେ ଦେବ ତାହାର ଯେ ଆଣି

ଦେଖିଣ ନମସ୍କାର କଲେ କୃଷ୍ଣ ଫାଲଗୁନି।୧୪୭।

ଜୟ ତୁ ନୀଳଗିରି ସ୍ୱାମୀ ହେ ପୀତବାସ

ଜନ୍ମେ ଜନ୍ମେ ମୁହିଂ ତୋହୋର ଦାସର ଯେଦାସ।୧୪୮।

ମୁହିଂ ଅଭ୍ୟାସଇ ଶ୍ରୀକୃଷ୍ଣ କେଳିଲୀଳା

ଯାବତ ଚନ୍ଦ୍ରରେ ହୋୟେ ଦିନ କର କଳା।୧୪୯।

କଳି କାଳ ଜନ୍ମେ ମୋର ବହୁତ ହୀନ ବୁଦ୍ଧି

କିଛି କିଛି ବଞ୍ଚାଇଲି ସଜ୍ଜନ ଜନ ବୋଧି।୧୫୦।

ଅଗାଦ ସାଗର ୟେ ମହାଭାରଥ କଥା

ଗଣନ୍ତେଣ ସିନ୍ଧୁ ବାଲି ଯେହ୍ନେ ନସରେ ସର୍ବଥା।୧୫୧।

କୃପାଜଳ ନନ୍ଦିନୀ ନାମ ଭଦ୍ରକାଳୀ

ସେ ମୋର ହୃଦୟରେ ନୀଳଉତ୍ପଳ ମାଳି।୧୫୨।

ତାହାର ପ୍ରସନ୍ନେ କହିବି ଶ୍ରୀହରିର ରୀତି

ପିବନ୍ତେ ଅମୃତ ଯେ ଶୁଣନ୍ତେ ଲଭିବ ସଦଗତି।୧୫୩।

ଜଙ୍ଖେରପୁର ବାସିନୀକି ବିନୟେ ଭାବ ନିତ୍ୟେ

ବଦୟନ୍ତି ସାରୋଳା ଶୂଦ୍ରମୁନି ଶ୍ରୀମହାଭାରଥେ।୧୫୪।

******

 

କଦମ୍ୱାସୁରର ଯୁଦ୍ଧଯାତ୍ରା

 

ଜୟ ତୁ ପାରେଶ୍ୱର ନନ୍ଦନ ମୁନିବ୍ୟାସ

ଯାହାର ଆଦି ସଜ୍ଜନେ ଶ୍ରୀମହାଭାରଥ ପ୍ରକାଶ।୧।

ବିଷ୍ଣୁର ଆଦେଶ ଆତ୍ମା ବିଷ୍ଣୁର ଅଂଶେଣ ଜାୟେ

କୋଟିୟେ କଳ୍ପ ବଞ୍ଚାଇଲି ଯେବଣ ମୁନିଧ୍ୟାୟେ।୨।

ପୃଥିବୀ ଆପ ତେଜ ବାୟିବ୍ୟ ଆକାଶ

ସଞ୍ଚିତ ପଞ୍ଚ ଧାତୁ ୟେକ ଲୟେ ବାସ।୩।

ନାଉକା ବିମାନେ ଯାହାର ଜ୍ୟୋତିକାନ୍ତି

ମହାବ୍ରହ୍ମ ଭେଦୀ ଯେବଣ ମହାତ୍ମା ଉତପତ୍ତି।୪।

ସେ ମୁନିର ପ୍ରସାଦେ କହିବି ଶ୍ରୀମହାଭାରଥ

ଅଶ୍ୱମେଧ ଯଗ୍ୟଂ ୟେହି ଶ୍ରୀକୃଷ୍ଣ ଚରିତ।୫।

ଶ୍ରୀକୃଷ୍ଣ ଅର୍ଜୁନ ଗଲେ ପାତାଳ ବଇକୁଣ୍ଠକୁ

ବ୍ରାହ୍ମଣର ସାତପୁତ୍ରନ୍ତ ଘେନି ଆସିବାକୁ।୬।

ଅଶ୍ୱମେଧ ଯଗ୍ୟଂ ଦ୍ୱାର ରଖିତ କେହି ନାହିଂ

ବସୁଦେବ ଆଗ୍ୟାଂ ଦିଲେ ଉଦ୍ଧବ ଶକ୍ରାଜିତକଇଂ ରାଇ।୭।

ପାତାଳ ଭୁବନକଇଂ ଗଲେ ଶ୍ରୀକୃଷ୍ଣ ଅରଜୁନ

ଦ୍ୱାରିକା ଦ୍ୱାର ବାବୁ ହୋଇଲାକ ଶୂନ୍ୟ।୮।

ତୁମ୍ଭେ ଦୁହେଂ ଯାଇଂ ୟେବେ ଦ୍ୱାର ରକ୍ଷାକର

କାହାକଇଂ ପଶିତେ ନଦେବ ଯାଗଶାଳା ଭିତର।୯।

ବସୁଦେବ ଯହୁଂ କହିଲେ ଉଦ୍ଧବ ଶକ୍ରାଜିତକୁ

ଦ୍ୱାର ରକ୍ଷାକର ନିରୋଧ କର ସବୁଂକୁ।୧୦।

ଶୁଣ ହୋ ରାଜନ ମାରକଣ୍ଡ ବଶିଷ୍ଠେ କରନ୍ତି ଆହୂତି

ବେଦ ଧୁନି ଶବଦେ କମ୍ପଇ ବସୁମତୀ।୧୧।

ନାରଦ ବିଚାରିଲେ ହରିର ୟେ କେବଣ ଚରିତ

ଅଶ୍ୱମେଧ ଯଗ୍ୟଂ କଲେ ଆଣି ଋଷିଗଣ ସମସ୍ତ।୧୨।

ମୋତେ ନ କହିଲେ ୟେ କେବଣ ଯୁଗତେ

ଜାଣିମା ଯାଗ ସମାପତ ୟେ କରଇ କେମନ୍ତେ।୧୩।

ୟେତେକ ବିଚାରି ଚିତ୍ତେ ସେ ପିତାମହଂକ ସୁତ

ଶୋଣିତ ନଗ୍ରେ ଯାଇଂ ମିଳିଲେ ତୁରିତ।୧୪।

ଦେଖିଣ କଦମ୍ୱାସୁର ମୁନିଂକି କଲା ପାଦପୂଜା

ଶତସହସ୍ର ଦଣ୍ଡ ପ୍ରଣମ୍ୱ ହୋଇ ସୁତିଲା ଦତ୍ୟରାଜା।୧୫।

ବସନ କୁଣ୍ଡଳ ରତ୍ନମାଳ ଦେଇ କଲାକ ପୂଜାବିଧି

ପଚାରଇ ହେ ବ୍ରହ୍ମାସୁତ କେବଣ ଭୁବନେ କେବଣ ଉପାଧି।୧୬।

ନାରଦେ ବୋଇଲେ ତୁ ହୋ ଶୁଣ ଅସୁରେଶ୍ୱର

ଅଶ୍ୱମେଧ ଯାଗ କରନ୍ତି ଦେବ ଦାମୋଦର।୧୭।

ଯୁଗତେ କୃଷ୍ଣ ତୋର ବଂଶର ବଇରି

ପିତାକଇଂ ତୋର ବଧକଲା ଦେବହରି।୧୮।

ମୀନ ରୂପ ଧରି ଶଙ୍ଖାସୁରକୁ ବଧକଲା

ଶଙ୍ଖାସୁର ପୁତ୍ର ଅବନି ଦଇତକୁ କୂରୁମ ରୂପେ ମାଇଲା।୧୯।

ଅବନୀର ପୁତ୍ର ଯେ ହୋଇଲା ହିରଣାକ୍ଷ

ବରେହା ରୂପେ ତାହାକୁ ବଧ କଲା ଶ୍ରୀବତ୍ସ।୨୦।

ତାହାର ଭ୍ରାଥ ଯେ ହୋଇଲା ହିରଣ୍ୟକଶିପୁ

ନରସିଂଘ ରୂପେ ତାର ବିଦାରିଲା ବୁକୁ।୨୧।

ହିରଣ୍ୟକଶିପୁର ପୁତ୍ର ହୋଇଲା ପ୍ରହଲାଦ

ଶ୍ରୀକୃଷ୍ଣେ ଭକତି ହୋଇ ସେ ରଖିଲା ସମ୍ପଦ।୨୨।

ପ୍ରହଲାଦର ନନ୍ଦନ ହୋଇଲା ବଇଲୋଚନ ବୀର

ସ୍ତିରୀ ରୂପେ ତାହାକୁ ମାଇଲା ଚକ୍ରଧର।୨୩।

ବଇଲୋଚନର ପୁତ୍ର ହୋଇଲାକ ବଳୀ

ବାମନ ରୂପେ କଉତୁକେ ପାତାଳେ ତାକୁ ଚାପିଲା ବନମାଳୀ।୨୪।

ବଳୀର ନନ୍ଦନ ହୋଇଲା ବାଣାସୁର

ନବଶତ ଅଠାନବେ ଭୁଜ ଚ୍ଛେଦିଲା ଚକ୍ରଧର।୨୫।

ବାଣାସୁର ନନ୍ଦନ ମୋଢାସୁର ନୃପତି

ଅର୍ଜୁନ ହାଥେ ବଧ କରାଇଲେ ଶ୍ରୀପତି।୨୬।

ତୁହିତ ମହାରାଜା ଧାର୍ମିକ ମହାଯୋଧୀ

ବଳବୀର୍ଯ୍ୟ ଥିଲେ ପିତାଶତ୍ରୁ ନିରୋଧି।୨୭।

ପୁତ୍ର ହୋଇ ଯେବେ ପିତାକୁ କାରଣ କରନ୍ତି

ଯମର ଭୁବନେ ସେ ଦଣ୍ଡ ନପାବନ୍ତି।୨୮।

ପିତାକଇଂ କାରଣ ନକରନ୍ତି ଯେବଣ ନନ୍ଦନ

ଆପଣେ ଯାଇଂ ସେ ନର୍କେଣ ପତନ।୨୯।

ଋଷିମାନେ ଅଛନ୍ତି ମହା ଯାଗଶାଳେ

ହରିଅର୍ଜୁନ ଯାଇ ଅଛନ୍ତି ପାତାଳେ।୩୦।

ବ୍ରହ୍ମାଂକର ବରେ ତୁମ୍ଭେ ଅସଂଖ୍ୟ ବଳବନ୍ତା

ପାରୁ ଯେବେ ଦଣ୍ଡ ଘେନି ଅସୁରେଶ୍ୱର ମହାରଥା।୩୧।

ନାରଦଂକ ବଚନ ଶୁଣି ଅସୁର ମହାତାପ

ଯଷ୍ଟିର ପ୍ରହାରେ ଯେହ୍ନେ ଗର୍ଜଇ କାଳସର୍ପ।୩୨।

କରେଣ ସହସ୍ର ଧରି ଅସୁରେଶ୍ୱର ଗଳଗାଜି

ଶୁଣି ମହାରାଜା ତାର ପ୍ରତଗ୍ୟାଂ ବଳସାଜି।୩୩।

ଦଶପଦ୍ମ ଯୋଦ୍ଧା ଘେନିଣ ଦଣ୍ଡଧାରୀ

ଦୁନ୍ଦୁଭି ଶବଦେ କମ୍ପଇ ବସୁନ୍ଧରୀ।୩୪।

ଗଦା ମୁଦୁଗର ଯେ ଅଶି ପତ୍ର ପାଣି

କୋନ୍ତ ଖଡଗ ଯଷ୍ଟି ରଥେ ଥୋଇଲେକ ଆଣି।୩୫।

ତର୍ଜନ୍ତି ଗର୍ଜନ୍ତି ଅସୁର ବଳ ଯେ ସଇନି

ପାଦେ ଧାମନ୍ତି କରେ ଶାଳଶିଳ ଘେନି।୩୬।

ଯେସନେକେ ସିନ୍ଧୁ ଉଛୁଳଇ ପୂର୍ବେ

ଦିଗାମ୍ୱର ରୂପେ ଘୋଟିଲେ ପ୍ରତଗ୍ୟାଂ ଦାନବେ।୩୭।

କହିଣ ନାରଦେ ଯେ ଗଲେ ଅନ୍ତର୍ଦ୍ଧାନେ

ଦ୍ୱାରିକା ସନ୍ନିଧ୍ୟେ ଯାଇ ଗୋପ୍ୟ ହୋଇଲେକ ଶୂନ୍ୟେ।୩୮।

ୟେଥୁ ଅନନ୍ତରେ ତୁ ହୋ ଶୁଣ ଦଣ୍ଡଧାରୀ

ଦ୍ୱାରିକା ସିନ୍ଧୁ ତଟେ ଯାଇ ଅସୁରେ ଉଭାରି।୩୯।

ଯାନନ୍ତ ତେଜ୍ୟୋ କରି ଅସୁରେ ହୋଇଲେ କାମରୂପୀ

ପଶିଲେ ସିନ୍ଧୁର ଉତ୍ତର ତଟଯାକ ବ୍ୟାପି।୪୦।

ଆକାଶେଣ ମଥା ଯେ ଲାଗିଲା କଉଣୋପେ

ସିନ୍ଧୁ ଘୁଞ୍ଚିଗଲା ଅସୁରଂକ ମହାଦର୍ପେ।୪୧।

ଦ୍ୱାରିକା ଭୁବନ ଦ୍ୱାରେଣ ହୋଇଲେ ପ୍ରବେଶ

ଉଦେ ଗିରି ପ୍ରାୟେ ସେ ଦିଶନ୍ତି ରାକ୍ଷସ।୪୨।

ଉଦ୍ଧବ ଶକ୍ରାଜିତ ଦେଖିଲେ ୟେହୁ ବେନି

ଦୁହେଂ ବାହାର ହୋଇଲେ କରେ ଶସ୍ର ଘେନି।୪୩।

ଶ୍ରୀକୃଷ୍ଣ ସାଦ୍ରିଶରେ ଦିଶନ୍ତି ବେନି ବୀର

ବଜ୍ର ମୁଦୁଗର ଆଣି କଲେକ ପ୍ରହାର।୪୪।

ଦେଖିଣ ଦଇତ୍ୟେ ପାତିଲେ ବାମହାଥ

ପଡିଣ ଶହସ୍ରେ ଯେ ହୋଇଲେ ଭଗନସ୍ତ।୪୫।

ପୁଣି ପ୍ରହାରନ୍ତେ ଶହସ୍ର ଗଲା ଭାଞ୍ଜି

ଦ୍ୱାରିକା ଭୁବନେ ପଶିଲେ ଦଇତ୍ୟେ ଗଳଗାଜି।୪୬।

ଲୋହଦଣ୍ଡ କାଳଦଣ୍ଡ ବୋଲି କଦମ୍ୱାସୁର ବେନି ସେନାପତି

ଲୋହସାର ଧନୁରେ ସେ ନାରାଜ ପୂରୋଇ ବିନ୍ଧନ୍ତି।୪୭।

ଦୁସହ ପ୍ରତଗ୍ୟାଂ ଯେ କରିଣ ଲୋହଦଣ୍ଡ

ଉଦ୍ଧବ ଉପରେ ଗଦା ପିଟିଲା ପ୍ରଚଣ୍ଡ।୪୮।

ଅସୁର ଗଦାଘାୟେ ଉଦ୍ଧବ କାୟା ଲୋଟି

ଅସିପତ୍ର ବିଘାତେ କାଟିଲେ ତାର ତୋଟି।୪୯।

ଉଦ୍ଧବର ନିଧନ ଦେଖିଣ ଶକ୍ରାଜିତ

ବଜ୍ରାବଳି ଗଦାଘେନି ଧାମଇଂ ତୁରିତ।୫୦।

ଶହସ୍ର ବୁଲାବନ୍ତେ କମ୍ପଇ ଆକାଶ

ଦେଖି ଲୋହଦଣ୍ଡ ସୁଖେ ପ୍ରହାର କଲା ରୋଷ।୫୧।

ଅସୁର ମୁଥଘାତେ ପଡ଼ିଲା ଉତ୍ତାନଶାୟୀ

କରଲଖଘାତେ ଲୋହଦଣ୍ଡ ବିଦାରିଲା ତାରଦେହୀ।୫୨।

ଉଦ୍ଧବ ଶକ୍ରାଜିତ ସାଂଗ୍ରାମେ ଗଲେ ନାଶ

ଦ୍ୱାରିକା ଭିତରକୁ ପଶିଲେ ରାକ୍ଷସ।୫୩।

ପ୍ରତାପୀ ଦଇତ ସେ କାହାକଇଂ ନାହିଂ ଭୟେ

ଉଦେଗିରି ସାରିକ୍ଷେ ଦିଶନ୍ତି ସବୁଂକରି କାୟେ।୫୪।

ୟେମନ୍ତର ସମୟେ ଦ୍ୱାରିକାୟେ ବିଜୟେ ନାରଦ

ବୋଇଲେ ହୋ ବାସୁଦେବ କାହିଂ ଅଛଇ ତୋହୋର ଗୋବିନ୍ଦ।୫୫।

କଦମ୍ୱାସୁର ବାହିଲା ତୋହୋର ପୁରକୁ

ପ୍ରଥମ ଦ୍ୱାରେ ବଧକଲା ଉଦ୍ଧବ ଶକ୍ରାଜିତଂକୁ।୫୬।

ଶୁଣିଣ ଆଶ୍ରିଜ ଯେ ହୋଇଲେ ବାସୁଦେବ

କଦମ୍ୱାସୁରକ ବୋଲିଣ ସେ କେବଣ ଦାନବ।୫୭।

ବୋଲନ୍ତି ନାରଦ ହୋ ଶୁଣ ଯଦୁବଂଶୀ

ବ୍ରହ୍ମାଂକର ଅଂଶେ ଜାତ ଯେ ପାଠ ମହଋଷି।୫୮।

ସେ ପାଠ ମହଋଷି ଅଂଶେଣ ଜାତ ସିଂଘିକାରସୁତ

ତାର ତହୁଂ ଉପୁଜିଲା ଅସୁର କୁଳ ଗୋତ୍ର।୫୯।

ବାଣାସୁର ଦତ୍ୟ ଯେ ସେହି କୁଳେ ହୋଇଲାକ ଜାତ

କଦମ୍ୱାସୁର ବୋଲି ତାହାକ ନିଜ ସୁତ।୬୦।

ସେ ତୋର ଭୁବନକୁ ବାହିଲା କଉଣୋପ

ୟେହିକ୍ଷଣି ହରିବ ସେ ଦ୍ୱାରିକା ସର୍ବଦର୍ପ।୬୧।

ଶୁଣି ବିସରନ୍ତି ଯେ ଦେବ କାମପାଳ

ୟେହେନେକେ ଝିଂଘାସି ହୋଇଲା ଧର୍ମ ବେଳ।୬୨।

କରେଣ ଶସ୍ର ନାହିଂ ତପୋଧନ ବେଶ

ୟେହେନେକ ବେଳେ ଆସିହୋଇଲା ଝିଂଘାସ।୬୩।

ନାରଦେ ବୋଇଲେ ୟେହା ଛାଡ଼ ବଳରାମ

ଶତ୍ରୁ ଉପଗତେ ଆବର କିସ ଧର୍ମ।୬୪।

ନାରଦଂକ ବଚନ ଯେ ଦେବ କାମପାଳ ଶୁଣି

ରାଗେ ବଳରାମ ଯେ ଟେକିଲେ ସପ୍ତଫେଣୀ।୬୫।

ବାହାନାଦ କରି ଶ୍ରୀଭୁଜେ ବଜ୍ର ଯେ ଲାଙ୍ଗଳ

ଦକ୍ଷିଣ ଭୁଜେ ଶୋଭାବନ ସଉନନ୍ଦ ମୂଷଳ।୬୬।

ଯାଗ ତେଜ୍ୟା କରି ଯେ ଉଠିଲେ ନୀଳାମ୍ୱର

ଦ୍ୱାର ଆବୋରି ଅଛନ୍ତି ଦେଖିଲେ ଅସୁର।୬୭।

ଯେହେନେକ ଗିରିବର ହୋଅଇ ଜଳଶାହୀ

ଅସୁରବଳ ସମସ୍ତେ ଥୋକାୟେ ଦୂରେ ରହି।୬୮।

ହାଥରେ ଶସ୍ର ଧରି ଶ୍ରୀକୃଷ୍ଣଂକ ପୁତ୍ରମାନେ

ଯେ ଯାହାର ଶସ୍ରଧରି ଧାମନ୍ତି ବହନେ।୬୯।

ଯାଦବେ ଦାନବେ ଯହୁଂ ହୋଇଲେକ ଭେଟ

ଦେଖିଣ ପ୍ରତଗ୍ୟାଂ କରି ଧାମନ୍ତି ବଳିଷ୍ଠ।୭୦।

କୋପେଣ ଦୁରାନ୍ତେକେ ଧରିଣ ଆୟୁଧ

ଯାଦବେ ଦାନବେ ଯେ ହୋଇଲା ଗରୁଯୁଦ୍ଧ।୭୧।

ଶାମ ଗଦ ପ୍ରଦ୍ୟୁମ୍ନ ହୋଇଲେ ୟେକଯୋଗ

ବନ ବିଘାତେ ଯେହ୍ନେ ଗର୍ଜଇ ମତ୍ତନାଗ।୭୨।

ଲୋହଦଣ୍ଡ ବଜ୍ରଦଣ୍ଡ ବେନି ସେନାପତି

ଶାମ ଗଦ ପ୍ରଦ୍ୟୁମ୍ନ ତୁଲେ ହୋଇଲେ ୟେକମୂର୍ତ୍ତି।୭୩।

ଲୋହସାର ଧନୁୟେକ ଧରିଣ ବଜ୍ରଦଣ୍ଡ

ପ୍ରଦ୍ୟୁମ୍ନ ଉପରକୁ ବାଣ ବିନ୍ଧିଲା ହୋଇଣ ପ୍ରଚଣ୍ଡ।୭୪।

ଅସୁରଂକ ନିଷ୍ଠୁର ରଣ ଦେଖି ଅନଙ୍ଗ

ତୂକ୍ଷ ନାରାଜ ବିନ୍ଧିଲେ ହୋଇଣ ଅତିବେଗେ।୭୫।

ଦେଖିଲେ ଅସୁର ତହିଂ ରତ୍ନମୟ ପୁରୀ

ଦେଖିଣ କ୍ଷେପନ୍ତି ଯେ ମହାତେଜ ପରି।୭୬।

ବିଚାରନ୍ତି ଦାନବେ ଆଜ ମାରିବା ସମରେ

ମାଡି ବସିବା ୟେହୁ ରତ୍ନମୟ ପୁରେ।୭୭।

ୟେତେକ ବିଚାରି ଯେ ଯାହା ପରାକ୍ରମେ

ୟେକମୁଖ ହୋଇଣ ଲାଗିଲେ ସାଂଗ୍ରାମେ।୭୮।

ବିନ୍ଧନ୍ତି ଶହସ୍ର ଜ୍ୱାଳାବଳୀ ଜାଣି

ଶରଘାତେ ଯେସନେକ ବରଷଇ ପାଣି।୭୯।

କୋପେଣ କାଳଦଣ୍ଡ ବଜ୍ରେକ ବୁଲାଇ

ପ୍ରଦ୍ୟୁମ୍ନ ଉପରେ ପ୍ରହାର କଲା ସେହୁ ନେଇ।୮୦।

ଶହସ୍ର ବିଘାତ ଯେ ଦେଖିଣ ଅନଙ୍ଗ

କାମ୍ୟପ ଶର ଯେ ବିନ୍ଧିଲା ହୋଇ ଅତି ବେଗ।୮୧।

ଯେସନେକ ଆକାଶରୁ ବଜ୍ରସୁଚୀ

ଅସୁରକୁ ଅନ୍ଧକାରେ ନଦିଶଇ କିଛି।୮୨।

ଘାୟେଣ ନାରାଜ ବିନ୍ଧିଲା ତୀକ୍ଷମୁନା

ଧାତିକାରେ ଭେଦିଲା ଅସୁରର ବଜ୍ରସେହ୍ନା।୮୩।

ଶହସ୍ର ବିଘାତେ ପଡିଲା ଯେ ଦଇତାରି

ବହଇ ରୁଧିର ଯେ ରୋମେ ରୋମେ ଝରି।୮୪।

ପଦ୍ମନର ବିଘାତେ ଯେ ପଡ଼ିଲା ବଜ୍ରଦଣ୍ଡ

ଧାଇଂ ମୀନକେତନ ଯେ ଛେଦିଲା ତାର ମୁଣ୍ଡ।୮୫।

ଲୋହଦଣ୍ଡ ନାମେଣ ଯେ ଅସୁର ସେନାପତି

ଶାମ୍ୱକୁମାର ତୁଲେ ସମର ଅପ୍ରମିତି।୮୬।

ନବ ନିଶିକୁନ୍ତ ଘେନି ମାଇଲା ଲୋହଦଣ୍ଡ

ଘାୟେଣ ଭେଦିଲା ଶାମ୍ୱକୁମାରର ପିଣ୍ଡ।୮୭।

ଅସୁର ବିଘାତେ ଶାମ୍ୱକୁମର ନିଚେଷ୍ଟ

ଲୋହସାର ଗଦା ଘେନି ପ୍ରହାର କଲା ଦୁଷ୍ଟ।୮୮।

ସୋଦର ନିଧନ ଦେଖି ଶଅମ୍ୱର ଅଇରି

ଲୋହଦଣ୍ଡର ତୁଲେ ସମର ଆବୋରି।୮୯।

ଅବିଚ୍ଛନ୍ନେ ବାଣ ସେ ବିନ୍ଧଇ ମନସିଜ

ସହସ୍ରେ ପୁର କରି ବେଢିଲେ ଦନୁଜ।୯୦।

ସହସ୍ରେ ନାରାଜେ ଅହିବ୍ରତେକ ଶର ବିନ୍ଧି

ବାଣ ପଡ଼ନ୍ତେ ପଦନ ପବନୁଂ ବେଗେ ଚ୍ଛେଦି।୯୧।

ଲକ୍ଷେ ଷାଠିୟେ ସହସ୍ର ଅଶିୟେ ବାସୁଦେବଂକର କୁମାର

ୟେକ ମୁଖ ହୋଇ ସର୍ବେ ବିନ୍ଧିଲେକ ଶର।୯୨।

ଆକାଶେ ଅଦୃଶ୍ୟ ଯେ ଦିନକର ଜ୍ୟୋତି

କାଳାନଳ ଜାଣି ଅସୁରଂକର ତେଜକାନ୍ତି।୯୩।

ବିକଟ ଦଶନ ଖାଂକର କେଶ ଉର୍ଦ୍ଧ୍ୱେବାହୁ

ବୃନ୍ଦାଅର୍କ ଦେଖି ଯେହ୍ନେ ଘୋଟିଆସେ ରାହୁ।୯୪।

ପଦ୍ମନ ଲୋହଦଣ୍ଡର ସମର ମହାଘୋର

ଲୋହସାର ଗଦା ଘେନି ପଦ୍ମନକୁ ପ୍ରହାର କଲାକ ଅସୁର।୯୫।

ଫିଟିକାଇ ଗଦାବର ଗଲା ତାହା କାମ ବଞ୍ଚି

ପରଶୁ ମୁଦୁଗର ବେଗେ ପଦ୍ମନ ଆମଞ୍ଚି।୯୬।

ଅନଙ୍ଗର ବିଘାତେ ଯେ ପଡ଼ିଲା ଲୋହଦଣ୍ଡ

ପୁଣି ମୋହତେଜ କରି ଉଠିଲା ପ୍ରଚଣ୍ଡ।୯୭।

କଂକ ପକ୍ଷ ନାରାଜ ପରିଘ ତୀକ୍ଷମୁନା

ସହସ୍ରେକ ନାରାଜ ଛେଦିଲା ତାର ସେହ୍ନା।୯୮।

ପୁଣି ଲୋହଶର ବିନ୍ଧଇ ଶାମ୍ୱର ଅଇରି

ଘାୟେଣ ଲୋହଦଣ୍ଡ ପଡ଼ିଲା ଶହସ୍ର ନଧରି।୯୯।

କରେ ଧରିଣ ପଦ୍ମନ ଅମୋହ ଶକତି

ଲୋହଦଣ୍ଡ ହୃଦୟରେ ଭେଦିଲା ତତକ୍ଷଣାନ୍ତି।୧୦୦।

ଶୁଣ ଆହୋ ଚଇତନ ଶଅମ୍ୱର ପୁର ଦହିଲା ବାଳକାଳେ

ଶତେ କ୍ଷଉଣୀ ବଳ ଛେଦିଲା ଖେଳର କୁତୂହୋଳେ।୧୦୧।

ଛାମୁରେ ପଡନ୍ତି ତାର ଯେତକ ଦନୁଜ

ୟେକା ପ୍ରହାରକେ ତା ନାଶଇ ମନସିଜ।୧୦୨।

ପଡନ୍ତେ ଦୁରାନ୍ତେକ ଦେଖଇ କଦମ୍ୱା

ବଜ୍ରସେନା ଆବରଣେ ଧାମଇ ଅସୁରେଶ୍ୱର ଦେବା।୧୦୩।

କୁନ୍ତେକ ଧରି କଦମ୍ୱା ଅସୁର ପ୍ରହାରି

ଅସୁର ବିଘାତେ ଅସାଷ୍ଟାମେ ଶଅମ୍ୱର ଅଇରି।୧୦୪।

ମନସିଜ ସାରଥି ଯେ ନେଉଟାଇ ନେଲା ରଥ

ନିଜର ଭୁବନେ ନେଇ କଲାକ ଗୁପତ।୧୦୫।

ଧାମଇ କଦମ୍ୱାସୁର କରିଣ ମହାରୋଷ

ପଦ୍ମେକ ଯୋଦ୍ଧା ଗୋଡ଼ାବନ୍ତି ତାହାର ଯେ ପାଶ।୧୦୬।

ପ୍ରଳୟାନ୍ତି ମେଘ ଜାଣି ଅସୁରେ ଗଳଗାଜି

ବାହାର ଗଡ଼ ଜଗତୀ ପକାଇଲେ ଭାଞ୍ଜି।୧୦୮।

କୁମରେ ପଳାବନ୍ତେ ଦେଖନ୍ତି କାମପାଳ

ପଞ୍ଚଗଡ ଜୟକରି ଭିତରେ ପଶିଲେ ଦତ୍ୟବଳ।୧୦୯।

ଶୁଣହୋ ରାଜନେ ଦ୍ୱାରିକା ଭୁବନେ ଯେ ବିପତ୍ତିର କାଳେ

ଅକଳିତ ଭୁବନେ ପଶିଣ ଅଛନ୍ତି ଅସୁର ବୀର ଚାଣ୍ଡାଳେ।୧୧୦।

ଦୁରାପଦ ଦାନବ ବଳ ବଳରାମେ ଦେଖି

ଦ୍ୱାର ଆବୋରିଲେ ଯାଇଂ ଯାଗଶାଳ ଉପେକ୍ଷି।୧୧୧।

ଯେସନେକ ଗିରିବର ଉଠଇ ପାତାଳୁ

ସେହିପ୍ରକାରେ ଅସୁରେ ବଳ ଅପ୍ରମିତ ଦେଖି ବଳରାମ ହେଳୁହେଳୁ।୧୧୨।

ଦୁରାନ୍ତକ ବଳ ଦେଖି ଭୟକଲେ ସର୍ବଋଷି

ଯାଗ ତେଜ୍ୟା କରି ବଳରାମ ପାଖେ ବସି।୧୧୩।

ଅସୁରଂକ ଦର୍ପ ଦେଖି ରୋବନ୍ତି ସର୍ବନାରୀ

ବୋଲନ୍ତି କାହିଂକି ତେଜ୍ୟା କରିଗଲୁ ଦେବହରି।୧୧୪।

ସଞ୍ଚୟେ ଦ୍ୱାରିକା ଶିରୀ ଆସି ହୋଇଲାକ ଶେଷ

ଜାଣି ଅପସରି କେଣେ ଗଲୁ ହୃଷୀକେଶ।୧୧୫।

ଦ୍ୱାରିକା ଭୁବନେ ଯେ ଉଠଇ ଗୁରୁରୋଳ

ଭୋ ରାମ ରଖ ରଖ ବୋଲି ଶୁଭଇ ଚହଳ।୧୧୬।

ସ୍ତିରୀ ପୁରୁଷ ସବୁକଇଂ ଅଶ୍ରୁ ଜଳ ଆଖି

ତୋହୋର ଥାଆନ୍ତେ ଆମ୍ଭେ ହୋଇଲୁ ନିରିମାକ୍ଷୀ।୧୧୭।

ବୋଲନ୍ତି ବଳେବର କ୍ରୋଧ ନକର ହୋ ମାୟେ

ଆମ୍ଭର ଥାଆନ୍ତେ ତୁମ୍ଭର କିସ ଭୟେ।୧୧୮।

ଧଇବକୀ ବୋଇଲେ ବାବୁ ଥିଲେ ଦଇତାରି

ଦ୍ୱାରିକା ଭୁବନକୁ କେ ଦିଅନ୍ତା ଧାଡ଼ି।୧୧୯।

ମାତାଂକର ବିକଳ ଦେଖିଣ ନୀଳାମ୍ୱର

ଅସୁରନ୍ତ ଆବୋରନ୍ତି ଯାଇଂଣ ସିଂଘଦ୍ୱାର।୧୨୦।

କାଳଚକ୍ର ନୟନ ବାବୁ କୋପେଣ କୁଣ୍ଡଳୀ

ରଣ ରଙ୍ଗ ଧନ୍ଦୋଳେ ପଶିଲେ ଦେବହରି।୧୨୧।

ସିଂଘ ରଡ଼ି ଶବଦ କରିଣ ରାମ ଉଠି

ଦୁରାନ୍ତକ ଅସୁର ଉପରେ ଶହସ୍ରନ୍ତ ନେଇ ପିଟି।୧୨୨।

ପାଞ୍ଚ ପଦ୍ମ ସନ୍ୟ ଘେନି କଦମ୍ୱାସୁର ସେହ୍ନା

ବ୍ରହ୍ମା ଇନ୍ଦ୍ର ରୁଦ୍ରକଇଂ ଯେ ନକରେ ଗଣନା।୧୨୩।

ଲକ୍ଷେ ପୁର କରିଆସି ବଳରାମକଇଂ ବେଢ଼ି

ନିର୍ଘାତ ଶବଦ କରି କୋପେ ଶହସ୍ର ପ୍ରହାରି।୧୨୪।

ସାତୁକୀ ଅକ୍ରୁର ଶାମ୍ୱକୁମର ତୁଲେ ଚଉଦ ଯାଦବ ବୀର

ସମସ୍ତେ ମିଳିଲେ ଆସି ବଳରାଂକ ସଙ୍ଗତର।୧୨୫।

ଅସୁର ସଇନିଂକ ସେ ହୋଇଲେ ପଡ଼ିତୁଲ

ନଘୁଞ୍ଚନ୍ତି ଦାନବେ ସମରେ ମହାମଲ୍ଲ।୧୨୬।

ଗଦା ମୁଦୁଗର ଛେଲ ଖଣ୍ଡା ଚକ୍ରକାତି

ବିଜୁଳି ତେଜ ପ୍ରାୟେକସହସ୍ରେ ଝଲକନ୍ତି।୧୨୭।

ଆପଣେ କାମପାଳ ଉଠିଲେ ସମରେ

କୋପେ ପ୍ରହାର କରନ୍ତି ଅସୁରଂକ ଉପରେ।୧୨୮।

ପର୍ବତ ସମାନ ଯାହାର ମୂଷଳ

ପଡ଼ନ୍ତେ ଅସୁରବଳ ହୋଇଲେ ନାଶ ସ୍ଥଳ।୧୨୯।

ବଳରାମଂକ କୋପେ ଯେ ପଡ଼ିଲେ ସଇନି

ମୁଖ ରାବ ଶବଦେଣ କମ୍ପଇ ମେଦିନୀ।୧୩୦।

ଭାଞ୍ଜନ୍ତେଣ ବଳ ଯେ ଦେଖିଲା କଦମ୍ୱା

ଗର୍ଜନ ନାଦେ ଉଠଇ ଅସୁରେଶ୍ୱର ଦେବା।୧୩୧।

କଦମ୍ୱାସୁର ବଳରାମେ ହୋଇଲେ ଭେଟା ଭେଟି

ମେରୁ ମନ୍ଦିର ପ୍ରାୟେ ସାଂଗ୍ରାମେ ସମାନ ଦିଶନ୍ତି।୧୩୨।

ବଜ୍ରଶକତି ଯେ ଅମୋହ ଶକତି

କୋଠାର ଆୟୁଧ ଘେନି କଦମ୍ୱା ଧାଇଂଲା କୋପମୂର୍ତ୍ତି।୧୩୩।

କରେ ଆୟୁଧ ଘେନି ବାଣାସୁରର ସନ୍ତତି

ବଳରାମଂକ ଉପରେ ନେଇ ପିଟିଲାକ ଧାତି।୧୩୪।

ଦେଖିଣ କାମପାଳ ପାଡିଲେ ବଜ୍ର ଯେ ଲଙ୍ଗଳ

ପଡ଼ିଣ ଭାଞ୍ଜି ଯେ ହୋଇଲା ନାଶସ୍ଥଳ।୧୩୫।

ପୁଣ ଅମୋହ ଶକତି ଘେନି ଅସୁର ଦଇତାରି

ବଳରାମଂକ ଉପରେ ନେଇଣ କୋପେଣ ପ୍ରହାରି।୧୩୬।

ବଳରାମଂକ ଉପରେ ପଡ଼ିଲା ଶକତି

ଭାଞ୍ଜିଣ ଚୂର ସେହୁ ହୋଇଲାକ ଧାତି।୧୩୭।

ଦଇତର ପ୍ରହାର ଦେଖିଣ କାମପାଳ

କୋପେଣ ପ୍ରହାରକଲେ ଶଉନନ୍ଦ ମୂଷଳ।୧୩୮।

ବଳରାମଂକ ପ୍ରହାରେ ନୋହିଲା ତାହାର କିଛି

ଦେଖିଣ ସଂକ୍ରିଷେଣ ମନରେ ବିମୁଛି।୧୩୯।

ପୁଣି ବଜ୍ରଲଙ୍ଗଳ ପ୍ରହାର କଲେ କୋପେ

ରାମର ପ୍ରହାର ନ ମାନିଲା କଉଣୋପେ।୧୪୦।

ଚନ୍ଦ୍ରାବଳୀ ଗଦା ଯେ ଘେନିଣ କଦମ୍ୱାସୁର ବୀର

ଧାଇଂଣ ପିଟିଲା ଯେ ବଳରାମଂକ ଉପର।୧୪୧।

ବଞ୍ଚାଇ ବଳରାମ ପିଟିଲେ ବଜ୍ର ଯେ ମୂଷଳ

ଉପୁଡ଼ି ପଡ଼ିଲା ବାଜିଣ ଅସୁର ବକ୍ଷ ସ୍ଥଳ।୧୪୨।

ଶହସ୍ର ବିଘାତ ଯହୁଂ ନମାନିଲା ଅସୁର

ଶହସ୍ର ଭୂମିରେ ଥୋଇ ବିସରିଲେ ବଳେବର।୧୪୩।

ପୁଣ ପୁଣ ପ୍ରହାର କଲାକ ଦତ୍ୟବୀର

ରାମ ବକ୍ଷସ୍ଥଳେ ପଡ଼ି ଗଦା ହୋଇଲାକ ଚୂର।୧୪୪।

ସମରେ ଦୁରାନ୍ତକ ଜାଣିଣ ସହସ୍ରବାହୁ

ପୁଣ ପୁଣ ପ୍ରହାର କରଇ ଦତ୍ୟରାହୁ।୧୪୫।

ସମରେ ବଳରାମ ହୋଇଲେ ଅସାଷ୍ଟମ

ପୁଣ ପୁଣ ପ୍ରହାର କରଇ ଦତ୍ୟ ଶାନ୍ତି ନୋହଇ ମନ।୧୪୬।

ଯହୁଂ ସେ ନିଚେଷ୍ଟ ହୋଇଲେ ଦେବହଳୀ

କୋଳ କରି ଆକ୍ରେଷିଣ କଦମ୍ୱାସୁର ତୋଳି।୧୪୭।

ରାମକଇଂ କୋଳ କରି ସେ ପକାଇଲା କନ୍ଧେ

ରଣଜୟ କରିଣ ଦଇତ ବାହୁଡ଼ିଲା ମହାନାଦେ।୧୪୮।

ଦ୍ୱାରିକା ଭୁବନେ ପଶିଲା ଦଇତାରି

ଅନେକ ଧନଭଣ୍ଡାର ଆଣିଲା ଜୁରକରି।୧୪୯।

ଜୟସିଂଘର ରଡ଼ି ଦେଇ ବାହୁଡ଼ିଲା କଉଣୋପେ

ପଦ୍ମନ ଶାମ୍ୱ ଗଦ ତିନିକଇଂ ଧଇଲାକ କୋପେ।୧୫୦।

ଅନେକ ଯାଦବ ଯେ ପଡ଼ିଲେକ ରଣେ

ଦେଖିଣ ଆଶ୍ରିଜ ଯେ ହୋଇଲେ ଦେବଗଣେ।୧୫୧।

ଦ୍ୱାରିକା ଭୁବନୁଂ ଯେ ବାହାରେ ଦନୁଜେ

ମଣିନାଗ ପର୍ବତେ ରହିଲାକ ସର୍ବରାଜେ।୧୫୨।

******

 

Unknown

କଦମ୍ୱାସୁର ବଧ

 

ଅଗସ୍ତି କହିଲେ ସେ ବଇବସୁତ ମନୁ ଆଗେ

ଭଗନସ୍ତ ହୋଇଲା କୃଷ୍ଣର ଅଶ୍ୱମେଧ ଯାଗେ।୧।

ଭୋ ମୁନି କୃଷ୍ଣ ଗଲେ ଯେ ପାତାଳଭୁବନେ

ନିଚିନ୍ତେ ରହିଲେ ଦେବ ବିଷ୍ଣୁର ବାସ ସ୍ତାନେ।୨।

ଅଗସ୍ତି ବୋଇଲେ ଦେବ ଶୁଣ ବିଲଂକ ଆଧିପତି

ବ୍ରାହ୍ମଣର ସାତପୁତ୍ର ମାଗିଲେ ଶ୍ରୀପତି।୩।

ସେ ପୁତ୍ରନ୍ତ ଆଣିଲେକ ଦେବ ଚକ୍ରଧାରୀ

ବ୍ରାହ୍ମଣପୁତ୍ରନ୍ତ ଘେନି ଅଇଲେ ପାଥହରି।୪।

ପାତାଳ ସ୍ୱର୍ଗରୁ ଦେବ ହୋଇଲେ ବାହାର

କୃଷ୍ଣତିଆରନ୍ତି ଯେ ଅର୍ଜୁନ ଆଗର।୫।

ଯେବଣ କଥାମାନ ହୋଇଲା ବଇକୁଣ୍ଠେ

କାହାରି ଆଗେ ୟେହା ନକହିବୁଟି ବୀରପାଥେ।୬।

ନ ଜାଣିବେ ଯୁଝେଷ୍ଠି ଭୀମ ନକୁଳ ସହଦେବ

ସୋହୋଦ୍ରା ଦ୍ରୋପତୀ ଆଦିକରି ନଜାଣିମେଟି ସର୍ବ।୭।

ୟେ କଥା ଅର୍ଜୁନ ତୁ ଉଦିତ କରନ୍ତେ

ଯାବତ କାଳକଇଂ ପାଥ ନପାଇବୁଟି ମୋତେ।୮।

ୟେତେକ ତିଆରିଣ ସେ ଦେବ ଜାନର୍ଦ୍ଦନେ

ପ୍ରବେଶ ହୋଇଣ ଯାଇଂ ମଧ୍ୟ ଯେ ଭୁବନେ।୯।

ପାତାଳ ଭୁବନୁଂ ତେଣୁ ଆସନ୍ତି ଶ୍ରୀବତ୍ସି

ୟେସନେକ ସମୟେ ମୁନି ନାରଦେ ଯାଇଂ ପୁଚ୍ଛି।୧୦।

ତୁ ୟେଣେ ପାତାଳକୁ ଗଲୁ ବାସୁଦେବ

ତୁମ୍ଭର ପୁରକୁ ବାହିଲା କଦମ୍ୱାସୁର ଦାନବ।୧୧।

ଅନେକ ସଇନି ତୁଲେ ଅଇଲେ ଦାନବବଳ

ଭାଙ୍ଗିଣ ଦ୍ୱାରିକା ପୁର କଲେ ନବସ୍ତଳ।୧୨।

ଅନେକ ଯାଦବନ୍ତ ମାଇଲେ ସମରେ

ରଣେ ବଧଗଲେ ପଦ୍ମନ ଶାମ୍ୱ ଗଦ କୁମରେ।୧୩।

ଧନଭଣ୍ଡାର ସମସ୍ତ ନାଶ କଲେ ରାକ୍ଷସେ

ଭାଙ୍ଗିଲେ ମହାଯାଗ ତୁମ୍ଭର ଧର୍ମର ବିଶେଷେ।୧୪।

ବଳରାମଂକୁ ସେ ଧରି ଆଣିଲା ମହାକୋପେ

ମଣିନାଗ ପର୍ବତେ ରହିଅଛି କଉଣୋପେ।୧୫।

ନାରଦଂକ ମୁଖୁଂ ଯେ ୟେସନେକ ବାକ୍ୟ ଶୁଣି

ମନରେ ବସରିଲେ ଦେବ ଚକ୍ରପାଣି।୧୬।

ଅର୍ଜୁନ ବୋଲନ୍ତି ଦେବ ଦ୍ୱାରିକାରେ କିସ କାର୍ୟ୍ୟ

ମଣିନାଗ ପର୍ବତକୁ ବାଟ କଢାଅ ଦେବରାଜ।୧୭।

ଦେଖିବାନା ଦଇତଂକର କେସନେକ ମୂରତି

ବଳରାମଂକୁ ଜିଣିଲା କେମନ୍ତେ ସାମର୍ଥ ଦତ୍ୟୟପତି।୧୮।

ଶୁଣିକରି ଚିନ୍ତା ମନେ ବସିଲା ନାରାୟଣ

ମଣିନାଗ ପର୍ବତକୁ ଦେବ ବାହିଲେ ତତକ୍ଷଣ।୧୯।

ଦେଖନ୍ତି ରାକ୍ଷସ ବଳ ପୁରିତ ଗହଳ

ମହୁମାଂସ ଭୋଜନେ ମଦିରା ରସେ ଭୋଳ।୨୦।

ଟମକ ନିଶାଣ ବାଜେ ବିଜିଘୋଷ ସେ ଦାଉଣ୍ଡି

ମତାରସେ ନାଚନ୍ତି ଖେମଟା ନାଚଖଣ୍ଡି।୨୧।

ୟେମନ୍ତ ସମୟେ ଯେ ବିଜୟେ ଚକ୍ରଧାରୀ

ବିନତା ନନ୍ଦନ ଗରୁଡ଼କଇଂ ସୁମରଣା କରି।୨୨।

ରମ୍ୟକ ଦ୍ୱୀପେ ସେ ବସିଥିଲା ପଚ୍ଛୀରାଜ

ନିମିଷକେ ସନ୍ନିଧ୍ୟେ ଦ୍ରଶନ କଲା କଶ୍ୟପର ଆତ୍ମଜ।୨୩।

ଶଙ୍ଖ ଚକ୍ର ଗଦା ଶାରଙ୍ଗ ଧନୁପାଣି

ଅର୍ଜୁନର ହାଥେ ଯେ ଶହସ୍ର ଦିଲେ ଆଣି।୨୪।

ଗାଣ୍ଡିମ ଧନୁ ଯେ ପାଶୁପତ୍ର ଅକ୍ଷୟ ତ୍ରୋଣ ବେନି

ଦିବ୍ୟ ଅବତାର ବୀରବେଶ ଫାଲଗୁନି।୨୫।

ପାଞ୍ଚଜନ୍ୟ ଶଙ୍ଖ ଯେ ବାବନ୍ତି ଅଚ୍ୟୁତ

ତତକ୍ଷଣେ ବାହାନେ ଦେବ ଉଠିଲେ ବଇନେତ୍ର।୨୬।

ଶଙ୍ଖଧୁନି ଶବଦେ କମ୍ପଇ ବସୁନ୍ଧରା

ସମୋଦ୍ର ଉଛୁଳଇ ଟଳଇ ମହୀଭାରା।୨୭।

ଗନ୍ଧର୍ବ ପର୍ବତେଣ ଗରୁଡ଼କଇଂ ଦେଖି

ଗର୍ଜନ୍ତି ଦାନବେ ମତ୍ତଗଜ ଉପେଖି।୨୮।

ଶ୍ରୀକୃଷ୍ଣ ତେଜ ବିକଶିଲା ଆକାଶେ

ଦେଖିଣ କୋପାନଳେ ଧାଇଂଲେ ରାକ୍ଷାସେ।୨୯।

ନାରଦେ ବୋଲନ୍ତି ଶୁଣ କଦମ୍ୱାଅସୁର

ପ୍ରବେଶ ହୋଇଲେ ଆସି ଦେବ ଦାମୋଦର।୩୦।

ୟେହି ସେ ତୋହୋର ପିତାମହର ବଇରି

ୟେ ସେ ଅସୁରକୁଳକୁ ଅଟଇ ଶେଷକାରୀ।୩୧।

ବଳରାମକୁ ଧଇଲୁ ସେ ନଜାଣଇ କିଛି

ୟେହାକଇଂ ଜିଣିଲେ ସେ କାର୍ଯ୍ୟ ତୋତେଅଛି।୩୨।

ନାରଦ ବଚନ ଯହୁଂ ଶୁଣିଲା ରାକ୍ଷସ

ସଇନି ପଛ କରି ଆପଣେ ସାଂଗ୍ରାମେ ପ୍ରବେଶ।୩୩।

କଉମୋଦୀ ଗଦା ଧରିଣ ଯଦୁସାଇଂ

ଗରୁଡ଼ ପିଠିରୁ ଦେବ ପଡ଼ିଲେକ ଡେଇଂ।୩୪।

ପବନ ଗତି ଜାଣି ଗଦାବର ହାଥେ

ରାଗେଣ ପିଟିଲେ ଦେବ ଅସୁରର ଗାତ୍ରେ।୩୫।

ଗଦାବର ପଡ଼ନ୍ତେଣ ଧଇଲା କଉଣୋପ

ତିମ୍ୱୁର ଶହସ୍ରନ୍ତ ଘେନି କୃଷ୍ଣ କଲେ କୋପ।୩୬।

ଗଦାବର ବୁଲାଇ ପିଟନ୍ତେଣ ଦେବହରି

କଦମ୍ୱାସୁର ଧଇଲା କର ଯେ ପ୍ରସାରି।୩୭।

ଆକ୍ରେଷିଣ ବେନିକରେ କୃଷ୍ଣର ଭୁଜଧରି

କଉମୋଦକୀ ଗଦା ଯେ ଧରଇ ଉଛୁଡ଼ି।୩୮।

ସେହି ଗଦାବର ଯେ କୋପେଣ ବୁଲାଇ

ଶ୍ରୀକୃଷ୍ଣର ଉପରେଣ ପ୍ରହାର କଲା ନେଇ।୩୯।

ଆପଣାର ଗଦାବର ପଡ଼ନ୍ତେଣ କନ୍ଧେ

ମୃଚ୍ଛାଗତ ହୋଇଲେ ଦେବ ଯେ ଗୋବିନ୍ଦେ।୪୦।

କୃଷ୍ଣର ଅଚେଷ୍ଟ ଦେଖିଣ ପଣ୍ଡୁର ନନ୍ଦନ

ଦେବଦତ୍ତ ଶଙ୍ଖ ନାଦ କଲାକ ଘନ ଘନ।୪୧।

ଯେତେବେଳେ ଶ୍ରୀକୃଷ୍ଣ ହୋଇଲେ ଅଚେତନ

ନାଗଫାଶେ ଦତ୍ୟ ନେଇ କଲାକ ବନ୍ଧନ।୪୨।

ଶରସନ୍ଧାନ ୟେ କରଇ ଫାଲଗୁନି

ପାଶୁପତ ନାରାଜ ପେଷଇ ବୀର ଘେନି।୪୩।

ନିଦ୍ରାଘ ଶର ସେ ଅସୁର ଦେହରେ ଫୁଟଇ

ୟେକା ପ୍ରହାରକେ ଶତେ ଶତେ ସେନା ଲୋଟଇ।୪୪।

ପୁଣି ବିନ୍ଧିଲା ବୀର କାଳଚକ୍ର ଘେନି

ଛେଦି ପକାଇଲା ଅସୁରର ସଇନି।୪୫।

ସଇନି ନିଧନ ଯେ ଦେଖିଣ କଦମ୍ୱା

ଅର୍ଜୁନର ଛାମୁରେ ଆସି ମିଳିଲା ମହାଦମ୍ଭା।୪୬।

ସହସ୍ରେକ ନାରାଜ ପୂରୋଇ କଦମ୍ୱାସୁର

ଆକ୍ରେଷି ବିନ୍ଧିଲା ସେ ଅର୍ଜୁନ ଉପର।୪୭।

ପଞ୍ଚବିଂଶ ନାରାଜ ଯେ ବିନ୍ଧିଲା ଫାଲଗୁନି

ଦତ୍ୟର ଶହସ୍ରମାନ ପକାଇଲା ଛିନି।୪୮।

ପୁଣ ଲକ୍ଷେ ନାରାଜ ବିନ୍ଧିଲା ସର୍ବସାଚୀ

ଅସୁର ଶରମାନ ସବୁ ପକାଇଲା ନାଶି।୪୯।

ପୁଣିହିଂ କଦମ୍ୱାସୁର ଯେ ମହାକୋପ କରି

ପନ୍ନାଗା ଶରେକ ଯେ ବିନ୍ଧିଲାକ ଧରି।୫୦।

ଗର୍ଜନ ନାଦକରି ୟେ ମହାବଳୀ ଉଡ଼ଙ୍ଗ

କ୍ଷେପିଣ ଖଗେଶ୍ୱର ଗିଳିଲା ତାହା ବେଗ।୫୧।

ଅନେକ ସଇନି ଯେ ମାଇଲା ପଚ୍ଛୀ ଘାତେ

ଉଡ଼ିଣ ସମୋଦ୍ରେ ପଡ଼ିଲେ ଦୂରାପାତେ।୫୨।

ମଣିନାଗ ପର୍ବତେଣ ପଶଇ ଖଗେଶ୍ୱର

ଦେଖଇ ନାଗପାଶେ ବନ୍ଧନ କୃଷ୍ଣ ବଳେବର।୫୩।

ଗରୁଡକଇଂ ଦେଖି ପକାଅଲେ ଫଣୀଦର୍ପ

ଧାଇଂ ଯାଇଂ ଖଗେଶ୍ୱର ଭକ୍ଷିଲା କାଳସର୍ପ।୫୪।

ଦେଖଇ ରାମକୃଷ୍ଣ ଅଚେତ ଭାଇ ବେନି

କନ୍ଧେ ବସାଇ ଗରୁଡ଼ ଅମର ସ୍ୱର୍ଗକଇଂ ଗଲା ଘେନି।୫୫।

ଅମୃତ ବୃଷ୍ଟି ଶିରେ କଲାକ ସହସ୍ରାକ୍ଷ

ଅମୃତ ଆପାନେ ଜୀବ ପାଇଲେ ଶ୍ରୀରାମ ଶ୍ରୀବତ୍ସ।୫୬।

ରାମକୃଷ୍ଣ ବେନି ଯେ ସାଷ୍ଟାମ ହୋଇଲେ

ବିନୟେ ଭାବହୋଇ ବଳରାମଂକୁ ଇନ୍ଦ୍ର ଯେ ବୋଇଲେ।୫୭।

ଅତି ବଳେ ବଳିୟାର ତୁମ୍ଭେ ଅଟ ବଳରାମ

ଅସୁର ଦୁରାନ୍ତେକ ତୁମ୍ଭଂକୁ ଜିଣିଲା ସାଂଗ୍ରାମ।୫୮।

ୟେତେ ବଳବନ୍ତ ପଣ ତୁମ୍ଭର କେଣେଗଲା

ଅସୁର ଛାର ହାଥେ ତୁମ୍ଭନ୍ତ ଝିଂଘାସ ପଡ଼ିଲା।୫୯।

ବୃହସ୍ପତି ବୋଇଲେ ତୁମ୍ଭେ ଶୁଣ ଆଖଣ୍ଡଳ

ଦ୍ୱାପର ଅନ୍ତେ ଆସି ହୋଇଲାକ କଳିକାଳ।୬୦।

ତେଣୁ କରି ବପୁ ରାମର ହୋଇଲାକ କ୍ଷୀନ୍ନ

ଆବର ମଧ୍ୟପୁରେ ତୁମ୍ଭର କିସ ପିରୋଜନ।୬୧।

ବିଷ୍ଣୁନାଥ ତୁମ୍ଭନ୍ତ ଆଗ୍ୟାଂ ଦିଲେ ପାତାଳ ସ୍ୱର୍ଗେ

ମାୟା ମୋହ ଛାଡ଼ି ତୁ ସ୍ୱର୍ଗକଇଂ ଆସ ବେଗେ।୬୨।

ଅନେକ ଭୋଗ ଯେ ଭୁଞ୍ଜିଲ ମଧ୍ୟପୁରେ

ଦୟିତ ଝିଂଘାସ ତୋତେ ହୋଇଲା ଦାମୋଦରେ।୬୩।

ରାମକୃଷ୍ଣ ବୋଇଲେ ଆମ୍ଭେ ଯିବୁ ଆଖଣ୍ଡଳ

ଅସୁରେ ଅର୍ଜୁନେ ତେଣେ କରିବେଟି କଟାଳ।୬୪।

ବଇନେତ୍ର ପିଠିରେ ବିଜୟେ ବେନିଭାଇ

ମଣିନାଗ ପର୍ବତେ ଭେଟିଲେ ବେଗେ ଯାଇଂ।୬୫।

ଅସୁର ସଙ୍ଗେ ଥିଲେ ଯେ ପାଞ୍ଚପଦ୍ମ ରଥୀ

ୟେକା ଅର୍ଜୁନ ତାହା ସମରେ ନିପାତି।୬୬।

ମେଦ ମେଦା ମାଂସ ହୋଇଛି ଖଣ୍ଡଖଣ୍ଡ

ପଞ୍ଚୁକୋଶ ମାଡ଼ି ଯେ ପଡ଼ିଛି ମୃତୁପିଣ୍ଡ।୬୭।

ଦେଖିଣ ସାନନ୍ଦ ହୋଇଲେ ଭାଇବେନି

ସାଧୁ ସାଧୁ ଅର୍ଜୁନ ବୋଲି ଶୁଭିଲା ଶଙ୍ଖଧୁନି।୬୮।

ଅନେକ ଉତ୍ସବ ଯେ ହୋଇଲା ମହୀଆଳି

ନାଚନ୍ତି କୋବନ୍ଧେ ରୋଧିରେଣ କେଳି।୬୯।

ୟେସନେକ ସମୟେ ପ୍ରବେଶ ରାମହରି

ଅର୍ଜୁନ ତୁଲେ କଦମ୍ୱାସୁର ମହାଯୁଦ୍ଧ କରି।୭୦।

ଦେଖିଣ କାମପାଳ ଗରୁଡ଼ କଲେ ତେଜ୍ୟା

ହଳମୂଷଳ ଘେନିବିଜୟେ ଦେବରାଜା।୭୧।

ଶୁଣ ଆହୋ ଚଇତନ ରୁଦ୍ରଶରେକ ଘେନି ଅର୍ଜୁନ ବିନ୍ଧିଲାକ ଟାଣି

ୟେକା ନାରାଜର ଦାଢ଼ ଶହସ୍ର ମାନ ତିନି।୭୨।

କଦମ୍ୱା ବକ୍ଷସ୍ଥଳେ ପଡ଼ି ଶହସ୍ର ହୋଇ ଖଣ୍ଡ ଖଣ୍ଡ

ରୋଧିରେ ଜର ଜର କଦମ୍ୱାସୁର ହୋଇଲା ତ୍ରିପଣ୍ଡ।୭୩।

ବଳରାମ ବୋଇଲେ ଶୁଣସି ଫାଲଗୁନି

ମୋହୋର ତୁଲେ କଦମ୍ୱା ସମର କରୁ ଶସ୍ର ଘେନି।୭୪।

ଶ୍ରୀରାମର ବଚନ ଶୁଣିଣ ବିବଚ୍ଛି

ତୁମ୍ଭର ହାଥରେ ଯେ ୟେହା ମୃତୁ ଅଛି।୭୫।

ଅସୁର ଆପଣେ ଶୁଣି ଧାମଇ ରୋଷକରି

ବଳରାମଂକୁ ପ୍ରହାର କଲା ଅସିପତ୍ର ଧରି।୭୬।

ବଳଦେବ ବକ୍ଷସ୍ଥଳେ ପଡ଼ିଲା ତାର ଖଣ୍ଡା

ଲୋହଗିରି ପର୍ବତେ ୟେହ୍ନେ ଶହସ୍ର ହୋୟେ ଗୁଣ୍ଡା।୭୭।

ପୁଣ ପ୍ରହାର ସେ କଲାକ ଲୋହଖଣ୍ଡ

ନବଲକ୍ଷ ଭାରଗଦା ପଡ଼ିଲା ରାମର ମୁଣ୍ଡ।୭୮।

ଭାଜିଣ ଗଦାବର ହୋଇଲାକ ଚୂର

ବଜ୍ରହଳ ପ୍ରହରା କଲେକ ବଳେବର।୭୯।

ଚୂଲାଇ ପିଟନ୍ତେ ଯେ ଧଇଲା ଖଉଣୋପ

ରାମର ବକ୍ଷସ୍ଥଳକୁ ସେହି ଶହସ୍ର କଲାକ୍ଷେପ।୮୦।

ଧାତିକାରେ ଶହସ୍ର ଧଇଲେ ନୀଳାମ୍ୱର

ଅଗ୍ନି ଝଲକିଲା ରାମର ଉପର।୮୧।

ବଜ୍ର ମୂଷଳ ନେଇ ପିଟିଲେ ନୀଳାମ୍ୱର

ଟହଟହ ହୋଇ ହସିଲା କଦମ୍ୱା ଅସୁର।୮୨।

ଶତେବଳ ପିଟନ୍ତେ ନୋହିଲା ତାର କିଛି

ଦେଖିଣ ବିମୁଖ ହୋଇଲେ ଶ୍ରୀବତ୍ସି।୮୩।

ଆକାଶେ ଥାଇ ଯେ ଦେଖି ବୋଇଲେ ବିରଞ୍ଚି

ୟେଣେ ନମରଇ ଅସୁର ପୂର୍ବର ବର ଅଛି।୮୪।

ନୀଳଚକ୍ର ଘେନି ମାର ହୋ ବଳଦେବ ରାୟେ

ତେଣେ ସେ ମୃତୁ ହୋ କଦମ୍ୱାସୁର ପାୟେ।୮୫।

ଧ୍ୟାନେଣ ଚିନ୍ତିଲେ ଦେବ ଜନାର୍ଦ୍ଦନ

ନୀଳଚକ୍ରେ ଆଣି ଦିଲେ ବିଷ୍ଣୁଗଣମାନ।୮୬।

ସେ ନୀଳଚକ୍ର ଧଇଲେ ଆପଣେ ଦେବ କରେ

ନୀଳଚକ୍ର ଦେଇ ଦିଲେ ବଳରାମଂକ ହାତରେ।୮୭।

ନୀଳଚକ୍ରକଇଂ ଦେବ ଧଇଲେ ନୀଳାମ୍ୱର

ଆକ୍ରେଷି ପିଟିଲେ ନେଇ କଦମ୍ୱାସୁରର ଉପର।୮୮।

ଚକ୍ର ବିଘାତେ ଭଞ୍ଜିଲା ଅସୁରର ଦର୍ପ

ବେନି ଖଣ୍ଡ ହୋଇଣ ପଡ଼ିଲା କଉଣୋପ।୮୯।

ଶୁଣ ହୋ ରାଜନ ଅସୁରର ପଦ୍ମେକ ସଇନି ଥିଲେ

ଅର୍ଜୁନ ପ୍ରହାରଘାତେ ସମସ୍ତେ ପଡ଼ିଲେ।୯୦।

ଯେ ସେ ଶ୍ରୀକୃଷ୍ଣ ସେ ପ୍ରତକ୍ଷେ ଅରଜୁନ

ଭାରା ନିବାରଣେ ସେ ଅଟନ୍ତି ବେନିଜନ।୯୧।

କଦମ୍ୱାସୁର ଅନ୍ତରେଣ ହୋଇଲା କିସ କଥା

ସଞ୍ଚପି କହିବା ମୁନି ହେ ଅଶ୍ୱମେଧ ପର୍ବର ବାରତା।୯୨।

ଶାମ୍ୱ ଗଦ ପଦ୍ମନ ତିନି ପୁତ୍ରନ୍ତ ଘେନି

ଚଳନ୍ତି ନୀଳାମ୍ୱର କୃଷ୍ଣ ଫାଲଗୁନି।୯୩।

ଶ୍ରୀକୃଷ୍ଣ ତୁଲେ ବ୍ରାହ୍ମଣର ସାତ ପୁତ୍ର

ମୃତୁପଥୁଂ ଉଦ୍ଧାରିଣ ଆଣନ୍ତି ଜଗନ୍ନାଥ।୯୪।

ବଇନେତ୍ର ପିଠିରେ ବିଜୟେ ନାରାୟଣ

ଦ୍ୱାରିକାପୁରେ ବିଜୟେ କଲେକ ତତକ୍ଷଣ।୯୫।

ଦେଖନ୍ତି ଯାଦବେ ଯେ ବାରେ ପଡ଼ିଛନ୍ତି ମରି

ସୁବର୍ଣ୍ଣ ଜଗତୀ ପାଚେରୀ ଭାଞ୍ଜି ଖଣ୍ଡ ଖଣ୍ଡ କରି।୯୬।

ଦେଖନ୍ତି ନାରାଖାର ଭୁବନ ବାରସ୍ୱତୀ

ଶ୍ରୀକୃଷ୍ଣ ଚାହାନ୍ତେ ଉଠିଲେ ସର୍ବବୀରେ ଚେତି।୯୭।

ନନ୍ଦ ବସୁଦେବ ଉଗ୍ରସେନହିଂ ୟେତେ

ଆନନ୍ଦେ ଅଶ୍ରୁଜଳ ବହଇ ବେନି ନେତ୍ରେ।୯୮।

ତୋହୋର ପାତାଳ ଭୁବନେ ଯାନ୍ତେ ଦେବହରି

ୟେତେକ ପ୍ରମାଦ ପଡିଲା ବୁଝ ତଥ୍ୟ କରି।୯୯।

ବାହୁଡ଼ି ଦ୍ୱାରିକାରେ କରନ୍ତି ଉଚ୍ଛବ

କୃଷ୍ଣର ସନ୍ନିଧରେ ପ୍ରବେଶ ବିପ୍ରଦେବ।୧୦୦।

ବିପ୍ରପୁତ୍ର ପାଇଂ କୃଷ୍ଣଗଲେ ଯେ ପାତାଳେ

ୟେଡେକ ପ୍ରମାଦ ପଡ଼ିଲା ମୋର କର୍ମର ଅବଳେ।୧୦୧।

ବ୍ରହ୍ମଣକୁ ରାଇ ପୁତ୍ର ଦିଲେ ନାରାୟଣ

ୟେ ତୋର ସାତପୁତ୍ର ନିଅସି ହୋ ବ୍ରାହ୍ମଣ।୧୦୨।

ପୁତ୍ରେ ନାଶ ଯାନ୍ତି ତୋର କର୍ମର ଅବଳେ

କେ ତାକୁ ଜୀଆଇଂ ଆଣିବ କି ବଳେ।୧୦୩।

ବ୍ରାହ୍ମଣକୁ ରାଇଣ ଗୋବିନ୍ଦ ବହୁତ ପୁରସରି

ଚିହ୍ନିଣ ନିଅ ପୁତ୍ରମାନନ୍ତ ସମସ୍ତ ତୋହୋରି।୧୦୪।

ବ୍ରାହ୍ମଣ ବୋଇଲା ଦେବ ଶୁଣସି ଅଚ୍ୟୁତ

କେବଣ ମତେ ଜାତ ହୋଇଲେ ମୋର ପୁତ୍ର।୧୦୫।

ନ ଚିହ୍ନିଲି ନ ଦେଖିଲି ନ ଧଇଲି କୋଳେ

ମରିବାର ସାତପୁତ୍ର ପାଇଲି କର୍ମବଳେ।୧୦୬।

ମୁହିଂ କେମନ୍ତେ ତାହାନ୍ତ ଚିହ୍ନିବି ନାରାୟଣ

ମୃତ ବାହୁଡ଼ଇ ଜନ୍ମ କରିବାକୁ ଆନକେ ହୋଇବ ଭାର୍ଜନ।୧୦୭।

ଗୋବିନ୍ଦେ ବୋଇଲେ ଅର୍ଜୁନ ସତ୍ୟ ଗଲା ପାର

ପୁତ୍ରନ୍ତ ଜନ୍ମକରିଥିଲୁ ସମ୍ଭାଳ ହୋ ତୋହୋର।୧୦୮।

ଅର୍ଜୁନ ବୋଇଲେ ବ୍ରାହ୍ମଣ ତୁ ପାଇଲୁ ସାତବଳା

ଦ୍ୱାରିକାକୁ ପ୍ରମାଦ ପଡ଼ିବ ତୁ ବହନ ୟେଥୁ ପଳା।୧୦୯।

ସୁଦ୍ରିଶେଣ ଚକ୍ର ଯହିଂ ବୁଲାଇ ସହସ୍ରଧାର

ମାଛି ପଡ଼ିଲେ ଶତଖଣ୍ଡ ହୋଅଇ ଶରୀର।୧୧୦।

ୟେ ଭୁବନେ ପଶିବାକୁ କାହାର ଶକ୍ୟ ଅଛି

ସମୟେ ବ୍ରତିବୁ ଯେବେ ପଳାଅ ୟେଥୁ ମୃଚ୍ଛି।୧୧୧।

ମୋହୋର ସଞ୍ଚିତ ୟେ ନୋହଇ ଆନକଲା

ଅସୁର ମାତ୍ରକେ ଯହୁଂ ୟେ ପୁର ଧଂସିଲା।୧୧୨।

ମଞ୍ଚପୁରରୁ କୃଷ୍ଣ ଛାଡ଼ିଗଲେନି ମୋହ

ପୁତ୍ର ଘେନି ବ୍ରାହ୍ମଣ ତୁହି ୟେଥିହିଂ ନରହ।୧୧୩।

ୟେଥି ଅନନ୍ତରେ ଯାଗ ସମାପନ କରି

ବସୁଦେବଂକର ବେନି ଚରଣକୁ ଧରି।୧୧୪।

ବଳରାମ ଯୁଝେଷ୍ଠି ବେନି ଜନଂକୁ ନମସ୍କାର କରି

ନିଜ ମନ୍ଦିରେ ବିଜେ ହେଲେ ଦଇତାରି।୧୧୫।

ଉଗ୍ରସେନଂକୁ ଆଲିଙ୍ଗନ କରି ଦେବହରି

ସନ୍ତୋଷ ମନେରହିଲେ ନିଜ ପୁରୀ।୧୧୬।

ଯୁଝେଷ୍ଠିଦେବଂକୁ ହିଂ କଲେ ଅନେକ ପୂଜା

ସନ୍ତୋଷେ ଯାଅ ବୋଲି ବୋଇଲେ ଦେବରାଜା।୧୧୭।

ଦକ୍ଷିଣ ଭୁଜେ କୋଳ କଲେକ ଯୁଝେଷ୍ଠି

ଦ୍ୱାରିକାକୁ ବାହାର ହୋଇ ଆସନ୍ତି ପାଛୋଟି।୧୧୮।

ଇନ୍ଦ୍ରପ୍ରଶସ୍ଥେଣ ଯାଇ ସେ ହୋଇଲେ

ଯୁଝେଷ୍ଠି ଦେବେ ପୁଣ ଅର୍ଜୁନ ବୋଇଲେ।୧୧୯।

ସେ ବ୍ରାହ୍ମଣର ପୁତ୍ର କୃଷ୍ଣ କାହୁଂ ଯେ ଆଣିଲେ

କେସନେକେ ତାହାର ପୁତ୍ର ସ୍ଥାନମାନନ୍ତ ଜାଣିଲେ।୧୨୦।

ବୋଇଲେ ଅର୍ଜୁନ ଶୁଣ ଧର୍ମରସୁତ

ଯାନ୍ତେଣ ଭୁବନ ସେ ଦେଖିଲେ ଭୂମିଗତ।୧୨୧।

ନଗର ବାହାରେ ଥୋଇଣ ମୋତେ ଗଲେ

ଯାଇଂଣ ଶ୍ରୀହରି ବ୍ରାହ୍ମଣ ପୁତ୍ର ଘେନିଣ ଅଇଲେ।୧୨୨।

ତାହାର ମାୟା ଦେବ ବୁଝିବ କେ ପାରି

ସେ ଦେବ ତିନିଭୁବନେ ଅଟଇ ଅଧିକାରୀ।୧୨୩।

ତ୍ରଇଲୋକ୍ୟ କାରଣ ଦେବ ସେହି ଭଗବାନ

ତ୍ରିଭୁବନ ମହିମାଂ ଯାହାର ଧନ୍ୟ ଧନ୍ୟ।୧୨୪।

ରମ୍ୟେକ ବିବାଦେ ଦେବ ବଜ୍ରାଙ୍ଗ ଅସୁରକୁ ମାରି

ଅଭୟେ ଗଣ୍ଡୁକନାଥ ଉଦୟେ ଶ୍ରୀହରି।୧୨୫।

ଅମାର୍ଗ ମାର୍ଗେ ହୋଅଇ ଯାହାର କୋପେ ହାଦେ

ସାଧକ ଦିବୁଧ ଜନ ଚିନ୍ତନ୍ତି ଯାହାକଇଂ ହୃଦେ।୧୨୬।

ଯାବତ ଚନ୍ଦ୍ର ହୋୟେ ଦିବାକର ଆଦି

ୟେ ଭୂତ ଭବିଷ୍ୟତ ବ୍ରତମାନ ତୁମ୍ଭେ ସେ ସମ୍ପାଦି।୧୨୭।

ମୁହିଂ ତୁମ୍ଭର ଦାସର ଦାସ ଅଟଇ ଜନ୍ମେଜନ୍ମେ

ବଦୟନ୍ତି ସାରୋଳାଦାସ ମୋତେ ଉଦ୍ଧାର ଜନାର୍ଦ୍ଦନେ।୧୨୮।

ଶିରରେ ଶୋଭା ତୋର ସପତ ଫେଣୀ ଯେ କୁଣ୍ଡଳୀ

ମହା ପରମ ଯୋଗୀ ନାଥ ଅଚଳାଚଳ ହଳୀ୧୨୯

ଯଦୁବଂଶ ଅନ୍ତକାଳେ କାଦମ୍ୱରୀ ପାନକରି

ଅଣଷ୍ଟକ ନିଧନେ ବ୍ରହ୍ମହତ୍ୟା ଦୋଷ କରି।୧୩୦।

କାଳେ କାଳେ ଦେବ ସଞ୍ଚା ଯେ ଅସଞ୍ଚା

ପ୍ରଳୟ ଉତ୍ତାରେଣ ଦୁସହ କାଳବଞ୍ଚା।୧୩୧।

ରୋହିଣୀ ନନ୍ଦନ ଚରଣେ ପରିଣାମି

ଉତପତ୍ତି ପ୍ରଳୟନାଥ ତୁହି ସେ ଉତ୍ତମି।୧୩୨।

କୋଟିୟେ ଚନ୍ଦ୍ର ଯାକୁ ନିମିଷେକେ ଭୋଗୀ

ନମନ୍ତି ସାରୋଳାଦାସ ଉଦ୍ଧର ପରମ ଯୋଗୀ।୧୩୩।

ବଇବସୁତ ମନୁ ବଦୟନ୍ତି ଅଗସ୍ତି

ୟେଥି ଉତ୍ତାରେ ମୋତେ କହିବା ବ୍ରହ୍ମଯତି।୧୩୪।

ଅଗସ୍ତି କହନ୍ତି ଶୁଣ ବିଲଂକ ଦେଶ ରାୟେ

ଅଶ୍ୱମେଧ ଯାଗ କରିବାକୁ ଲୋଡନ୍ତି ଧର୍ମ ତନୟେ।୧୩୫।

ଯୁଝେଷ୍ଠି ଦେବେ ପୁଚ୍ଛାକଲେ ଧଉମ୍ୟ ପ୍ରୋହିତଂକୁ

ଅଶ୍ୱମେଧ ଯାଗ ଫଳ କେବଣ ନିମନ୍ତକୁ।୧୩୬।

ବଦୟନ୍ତି ପ୍ରୋହିତ ଶୁଣ ହୋ ପଞ୍ଚୁଭ୍ରାଥ

ଯଦ୍ୟପି ଦେବରାଜା ଅଟନ୍ତି ଜଗନ୍ନାଥ।୧୩୭।

ଯୁଦ୍ଧ କଲେ ଅନେକ ହୁଅଇ ହତ୍ୟାଦୋଷ

ଅଶ୍ୱମେଧ ଯାଗ କଲେ ସମସ୍ତ ହୋୟେ ଧ୍ୱଂସ।୧୩୮।

ଧଉମ୍ୟ ପ୍ରୋହିତ କହିଲେ ଯଥାବିଧି

ହତ୍ୟା ବିନୋଚନ ନିମନ୍ତେ ୟେ ମହାଯାଗର ପ୍ରସିଦ୍ଧି।୧୩୯।

ୟେ ମହାଯାଗ କଲେ ମନୁଷ୍ୟେ ଜନ୍ମ ନାହିଂ

ବ୍ରହ୍ମଲୋକ ଅବଶ୍ୟ ଲଭନ୍ତି ଜାଣ ସେହି।୧୪୦।

ଧଉମ୍ୟ ପୁରୋହିତ କହନ୍ତେ ସାନନ୍ଦ ଧର୍ମରାୟେ

ଆମ୍ଭେ ଅଶ୍ୱମେଧ ଯାଗ କରିବା ଧନୁର୍ଜୟେ।୧୪୧।

ପୁରୋହିତଂକ ମୁଖୁଂ ଶୁଣନ୍ତି ସତ୍ୟକରି

ଧ୍ୟାନେଣ ଯୁଝେଷ୍ଠି ଦେବ ବଶିଷ୍ଠଂକୁ ସୁମରି।୧୪୨।

ଉଦୟଗିରି କନ୍ଦରେ ଯେ ଥିଲେ ତପୋବନ୍ତ

ଆସନ କମ୍ପିଲା ଦେବ ଜାଣିଲେ ତୁରିତ।୧୪୩।

ହସ୍ତିନା ଭୁବନେ ମୋତେ ସୁମରଇ ଯୁଝେଷ୍ଠି

ଇନ୍ଦ୍ରପ୍ରଶସ୍ଥେ ବିଜୟେ କରନ୍ତି ତପନିଷ୍ଠି।୧୪୪।

ଶୁଣନ୍ତି ରାଜନ ଆହୋ ବଦୟନ୍ତି ଅଗସ୍ତି

ବଶିଷ୍ଠଂକ ଅଗ୍ରତେ ଯେ ଯୁଝେଷ୍ଠି ପୁଚ୍ଛନ୍ତି।୧୪୫।

ମୋହୋର ବଚନ ତୁମ୍ଭେ ଶୁଣ ମୁନିବାର

ଅଶ୍ୱମେଧ ଯାଗ ମୁଂ କରିବି ନିକର।୧୪୬।

ବଶିଷ୍ଠେ ବୋଇଲେ ତୋର ଧନ୍ୟ ଧନ୍ୟ କର୍ମ

ଅଶ୍ୱମେଧ ଯାଗର ଅଟଇ ବହୁତ ଧର୍ମ।୧୪୭।

ଅଶ୍ୱମେଧ ଯାଗ ଯେ କରି ପାରଇ ଶେଷ

ଅବଶ୍ୟ ହୁଅଇ ସେ ବ୍ରହ୍ମଲୋକେ ପରବେଶ।୧୪୮।

ତାହାର ସଙ୍ଗେ ଥାନ୍ତି ଯେତେ ଲୋକ ସର୍ବ

ବ୍ରହ୍ମଲୋକୁଂ ଚାଣ୍ଡାଳଯାୟେ ସ୍ୱର୍ଗରେ ଯେ ଠାବ।୧୪୯।

ପୁତ୍ର ବନ୍ଧୁ ଭାରିଯା କୁଟୁମ୍ୱ ସହିତେ

ନକ୍ଷତ୍ର ହୋଇଣ ସେ ବସନ୍ତି ସ୍ୱର୍ଗ ପଥେ।୧୫୦।

ସମସ୍ତ ମହିମାଂ ଯହୁଂ ଶୁଣିଲେ ନରନାହା

ଅଶ୍ୱମେଧ ଯାଗ ମୁଂ କରିବଇଂ ସେନେହା।୧୫୧।

ତୁମ୍ଭନ୍ତ ବରଣ ମୁଂ କରଇ ମୁନିଦେବା

ତୁମ୍ଭର ଅନରୂପେ ମୋତେ ଯାଗନିକ ଦେବା।୧୫୨।

ତାହାଂକ ବିନୟ ଯହୁଂ ଶୁଣିଲେବଶିଷ୍ଠି

ବୋଇଲେ ତୁହି ଯେ ବୋଇଲୁ ଯାଗ କରିବା ଯୁଝେଷ୍ଠି।୧୫୩।

ହୟିହୟ ବଂଶେ ଶ୍ୱେତ ନାମେ ନୃପତି

ଦେବ ଯାଗ କରିବାକୁ କଳ୍ପଣା କଲା ମତି।୧୫୪।

ମୋତେ ବରଣ କଲା ବିଷ୍ଣୁଗର୍ଭ ସତ୍ୟ ଯୁଗେ

ମୁହିଂ ଯାଗନିକ ହୋଇଲି ତାହାର ଯାଗେ।୧୫୫।

ଆମ୍ଭେ ବୋଇଲୁ ଯେବେ ତୁ ଆମ୍ଭନ୍ତ ବରିଲୁ ଯାଗେ

ମୋହୋର ଶ୍ରୋହା ପ୍ରୋକ୍ଷଣୀ ଅଟନ୍ତି ଚାରିମେଘ।୧୫୬।

ତୋହୋର ବେଳେ କି ୟେଥକୁ ଅଣାଇ ପାରିବୁନା ଘୃତ

ଶୁଣି କରି ସନମତ କଲା ରାଜଶ୍ୱେତ।୧୫୭।

ଘୃତ ସମୋଦ୍ରକୁ ପଞ୍ଚବିଂଶ ବରଷ ସେବାକଲା

ମମାଇ ଘୃତ ସମୋଦ୍ରକୁ ସେଠାକୁ ଆଣିଲା୧୫୮

ଚଉବିଂଶ ବରଷ ୟେ ସେ କଲା ମହାଯାଗ

ମୂଷଳ ଧାରା ପ୍ରମାଣ ଘୃତ ବରଷିଲା ଚାରିମେଘ।୧୫୯।

ଲୋଭେ ଅଗ୍ନିଦେବତା ଭକ୍ଷିଲେ ତହୁଂ ଘୃତ

ମନ୍ଦଅଗ୍ନି ହୋଇଲା ଲୁଦୁବୁଦୁ ବ୍ୟାଧି ହେଲା ଗାତ୍ର।୧୬୦।

ବୋଲନ୍ତି ବଶିଷ୍ଠ ମୁନି ଶୁଣ ହୋ ଯୁଝେଷ୍ଠି

ଅଗ୍ନିର ପ୍ରବଳେ ସେ ଆହାର ହୃୟେ ପୁଷ୍ଟି।୧୬୧।

ଅଗ୍ନି ତେଜ କ୍ଷୀନ୍ନେ ସମସ୍ତେ ହୋଇଲେ ଲୁଦୁବୁଦୁ

ସମସ୍ତେ ହେଂ ହୀନବୀର୍ଯ୍ୟ ହୋଇଲେ ଅସାଧୁ।୧୬୨।

ଅଗ୍ନିଦେବତା ଯହୁଂ ହୋଇଲେ ହୀନ ତେଜ

ଚଳିବୁଲି ନୁଆରିଲେ ଆଉ ଅଗ୍ନି ଦେବରାଜ।୧୬୩।

ଇନ୍ଦ୍ରଦେବତାଂକୁ ସେ ମାଗିଲେ ମଉଷଧି

ନି ଦିଲେ ଇନ୍ଦ୍ରଦେବତା ନୋହିଲା ଭଲ ବ୍ୟାଧି।୧୬୪।

ୟେ ବିଧି ଚଉବିଂଶ ବରଷ ପରିଯନ୍ତେ

ସଂସାରହୀନ ହୋଇଲାଟି ମୋହୋର ଆହୂତି ଦିଅନ୍ତେ।୧୬୫।

ତେଣେ ଅର୍ଜୁନ ତୋର ବାସେବ ବିବାଦି

ଖାଣ୍ଡେବ ବନ ଦହନ କରି ଦିଲାକ ମଉଷଧି।୧୬୬।

ବଶିଷ୍ଠ ବୋଇଲେ ତୁମ୍ଭେ ଶୁଣସି ଧର୍ମ ରାୟେ

ଅଶ୍ୱମେଧ ଯାଗକଲେ ଅପାର ଧନ ହୋୟେ।୧୬୭।

ପୃଥୀବୀ ସମାନେ ଯେ ଲାଗିବ ଧନ ବିତ୍ତ

ଧନ ସଞ୍ଚି ଯାଗରେ ପଶ ହେ ଧର୍ମସୁତ।୧୬୮।

ଯୁଝେଷ୍ଠି ବୋଇଲେ ମୁଂ କାଳକ ବନବାସୀ

ରାଜ୍ୟକୁ ଆଶାକରି ଯେ ସମସ୍ତେ ହୋଇଲେ ଧ୍ୱଂସୀ।୧୬୯।

ଧନ ହିଂ ସରିଲା ଧର୍ମ ହିଂ ସରିଲା ବଂଶ ହୋଇଲା ନାଶ

ମାନଗୋବିନ୍ଦ ଭଣ୍ଡାର ୟେକା ରହିଛି ଅବଶେଷ।୧୭୦।

ଦ୍ରିଯୋଧନ ରାଜାର ତ ୟେକଇ ଭଣ୍ଡାରେ

କାଢୁ ନସରଇ ଶଙ୍ଖ ନିଧି ପଦ୍ମ ନିଧି ଅଛଇ ଯାର କରେ।୧୭୧।

ବଶିଷ୍ଠଂକୁ ଭଣ୍ଡାର ଦେଖାଇଲେ ଯୁଝେଷ୍ଠି

ବଶିଷ୍ଠେ ବୋଇଲେ ହୋ ୟେଣେ ଧନ ଯେ ଅଣ୍ଟି।୧୭୨।

ବୋଲନ୍ତି ବଶିଷ୍ଠେ ଶୁଣ ହୋ ଧର୍ମରାଜନ

ମୋହୋର ତୁଲେ ଆସି କାଞ୍ଚି ନଗ୍ରସ୍ତାନ।୧୭୩।

ଯୁଝେଷ୍ଠିଂକର ତୁଲେ ଭୀମ ଫାଲଗୁନି

ବେଳ ମଧ୍ୟାହ୍ନେ ବଶିଷ୍ଠେ ବାହାର ପାଣ୍ଡବନ୍ତ ଘେନି।୧୭୪।

ଶୁଣ ଆହୋ ଚଇତନ ବେଗେ କାଞ୍ଚ ନଗ୍ରେ ହୋଇଲେ ପରବେଶ

ବହଇ ତୁଙ୍ଗଭଦ୍ରା କାଞ୍ଚନଗ୍ରର ଚଉପାଶ।୧୭୫।

ବଡର୍ଯ୍ୟ ବୋଲିଣ ୟେକ ପର୍ବତ ଗୋଟିୟେ

ନିଗମ ବାହିନୀ ତହିଂକି ଯୋଜନ ବିଶାଶୟେ।୧୭୬।

ତହିଂ ଯାଇ ପ୍ରବେଶ ହୋଇଲେ ଯୁଝେଷ୍ଠି

ରହିଲେ ବଶିଷ୍ଠେ ଶାଂକୁଟି ବଟର ନିକଟି।୧୭୭।

ବଶିଷ୍ଠେ ବୋଲନ୍ତି ତୁ ଶୁଣରେ ପାବେନି

ୟେ ପର୍ବତ ଗୋଟିକି ତୁ ତାଡ ଗଦାବର ଘେନି।୧୭୮।

ଶୁଣି ବ୍ରିକୋଦର କରେ ଗଦା ଘେନିତାତି

ପୃଥୀରୁ ଉପୁଡି କରି ଗିରିବର ପଡି।୧୭୯।

ଯେସନେକେ ଫରୁଆ ଉପରେ ଥାଇ ଖୋଳ

ଉପରେ ଚଉକତି ଉତ୍ସର୍ଗ ନବ ତାଳ।୧୮୦।

ତଳକୁ ଗଭୀର ଉଣେଇଶ ତାଳ ଚକୁଡ଼ି

ଅଠାଇଶ ତାଳ ପରିଯନ୍ତେ ଧନ ଅଛି ପୂରି।୧୮୧।

ଦେଖିଣ ଆଶ୍ରିଜ ଯେ ହୋଇଲେ ଯୁଝେଷ୍ଠି

ୟେ ଧନ ନେଇ ଯାଗ କର ବୋଇଲେ ତପୋନିଷ୍ଠି।୧୮୨।

ଯୁଝେଷ୍ଠି ବୋଇଲେ ହୋ ମୋହୋର ଧର୍ମଅର୍ଥେ

ପରର ଧନ ୟେହା ମୁଂ ନେମଇ କେମନ୍ତେ।୧୮୩।

ବଦୟନ୍ତି ବଶିଷ୍ଠେ ଶୁଣ ହୋ ଧର୍ମରାୟେ

ପରଧନ କିମ୍ପେ ଆମ୍ଭେ ଆଣି ତୋରେ ଦେଖାୟେ।୧୮୪।

ତୋହୋର ଉପର ବଂଶେ ଅଟଇ ଚନ୍ଦ୍ର ଯେ ଦେବତା

ତାହାର ତହୁଂ ଉପୁଜିଲା ସେ ସୋମ ନାମେ ପୋତା।୧୮୫।

ସୋମର ନନ୍ଦନ ଯେ ବୁଧ ନାମେ ନୃପତି

ପୁରରବା ନାମେଣ ତାହାର ପୁତ୍ର ଉତପତ୍ତି।୧୮୬।

ପୁରରବା ନନ୍ଦନ ଯେ ଆୟୁର ନାମେ ରାଜା

ନଘୋଷ ବୋଲିଣ ଯେ ତାହାର ତନୁଜା।୧୮୭।

ନହୁଷର ନନ୍ଦନ ଯେ ହୋଇଲେ ଯଯାତି

ତାହାର ନନ୍ଦନ ମାନଧାତା ଚକ୍ରବ୍ରତୀ।୧୮୮।

ସେ ମାନଧାତା ୟେ ସତ୍ୟଯୁଗେ ସତର ଲକ୍ଷ ଅଠାଇଶ ସହସ୍ର ବରଷ ରାଜ୍ୟ କଲେ

ତ୍ରେତୟାରେ ବାରଲକ୍ଷ ଛୟାଣୋଇ ସହସ୍ର ବରଷ ପୁଆଇଲେ।୧୮୯।

ତାଂକ ପାଞ୍ଚଶତ ପଞ୍ଚାଳିଶ ଅଂକରେ

ଉର୍ଦ୍ଧଅଙ୍ଗ ବୋଲିକରି ୟେକଇ ସମ୍ୱତ୍ସରେ।୧୯୦।

ମରୁତସେନ ରାଜ୍ୟ କରୁଥିଲା ନିର୍ଭରେ

ପୂର୍ବର କଥାମାନ କହିଲୁ ତୋହୋର ଆଗରେ।୧୯୧।

କାର୍ତ୍ତିକ କୃଷ୍ଣପକ୍ଷ ଚଉଠୀର ତିଥି

ରୋହିଣୀ ନକ୍ଷତ୍ର ଯେ ବାର ବୃହସ୍ପତି।୧୯୨।

ପୁଣ୍ୟତୋୟା କୂଳରେ ସେ ମରୁତସେନ ରାୟେ

ଯାଗ କରିବାକୁ ସେ ସଂକଳପ କୟେ।୧୯୩।

ଆମ୍ଭନ୍ତ ବୋଇଲା ଯାଗନିକ ପଣେ ହୋଅସି ବରଣ

ବଶିଷ୍ଠେ ବୋଇଲେ ଆମ୍ଭନ୍ତ ଝାଗଡ଼ ଅଛଇ ନୃପରାଣ।୧୯୪।

ବଶିଷ୍ଠେ ବୋଇଲେ ବିଶ୍ୱାମିତ୍ରେ ତପ କରୁଛନ୍ତି

ଅକାଳେ ଆକାସେ ବ୍ରହ୍ମପଦ ଦେଇଛନ୍ତି।୧୯୫।

ନାରଦେ କହିଲେ ଯାଇ ପିତାମହଂକ ଆଗେ

ବିଶ୍ୱାମିତ୍ର ତପଥାନକୁ ଯାଉଅଛୁଂ ଆମ୍ଭେ ବେଗେ।୧୯୬।

ଉତ୍ତାନ ପର୍ବତେ ଯେ ବସିଅଛନ୍ତି ବୃହସ୍ପତି

ତାହାନ୍ତ ବରଣ କରହୋ ସେ ଉତ୍ତମ ଅଟନ୍ତି।୧୯୭।

ବଶିଷ୍ଠଂକ ବଚନେ ଚଳିଲେ ମରୁତସେନ ରାୟେ

ଦେଖିଲା ବୃହସ୍ପତି ବସିଅଛନ୍ତି ଲୟେ।୧୯୮।

ମରୁତସେନ ରାଜା ଛାମୁରେ ପ୍ରଣପତ୍ୟ କରୁଅଛି

ସୋମବଂଶ ରାଜା ଦେଖି ବୃହସ୍ପତି କଲ୍ୟାଣ ବାଞ୍ଛି।୧୯୯।

ବୃହସ୍ପତି ବୋଇଲେ ତୋତେ ବହୁତ ଝଗଡ

ୟେକା ଜଣକେ ତୁ ସପତ ଦୀପେଶ୍ୱର।୨୦୦।

ମରୁତ ବୋଇଲେ ଶୁଣ ବୃହସ୍ପତେ

ମୁହିଂ ସଂକଳ୍ପ କରିଅଛି ଯାଗକୁ ଆଗ୍ୟାଂ ଦେୟେ ମୋତେ୨୦୧

ମୁକୁଇଂ ଆଗ୍ୟାଂ ଦେବାକ ଅନୁରାଗେ

ତୁମ୍ଭେ ଯାଗନିକ ହୋଅସି ମୋହୋର ଯାଗେ।୨୦୨।

ବୃହସ୍ପତି ବୋଇଲେ ତୁମ୍ଭେ ମୃତୁମଣ୍ଡଳେ ଜାୟେ ହୋଇ

ଆମ୍ଭନ୍ତ ବରଣ କରୁ ଗ୍ୟାନ ତୋହୋର ନାହିଂ।୨୦୩।

ନରପାମର ବୋଲିଣ ତୁମ୍ଭନ୍ତ ହିଂ ଜାଣି

ତୁମ୍ଭର ତୁଲେ କିରେ ଆମ୍ଭକଇଂ ଗଣି।୨୦୪।

ମାନବ ଜନ୍ମ ହୋଇ ଦେବତାଂକୁ ବରଣି

କିମ୍ପାଇଂ ବିଚାରି ନକରି ତୁ ଅଇଲୁ ନୃପମଣି।୨୦୫।

ଶୁଣ ରାଜନ ବୃହସ୍ପତି ଅପାର ବୋଲନ୍ତି

ଶୁଣିଣ ଲଜ୍ଜା ପାଇଲା ସୋମବଂଶ ଚକ୍ରବ୍ରତୀ।୨୦୬।

ଲାଜେ ଛାମୁରେ ଚରଣ ନୁଆରଇ କାଢି

ବୃହସ୍ପତି ଅନ୍ତରୀକ୍ଷେ ଗଲେ ତହୁଂ ଗଡ଼ି।୨୦୭।

ଦିଗମ୍ୱର ହୋଇ ରାଜା ଭାଳଇ ବିଷାଦେ

ୟେମନ୍ତର ସମୟେ ଆସି ମିଳିଲେ ନାରଦେ।୨୦୮।

କ୍ରୋଧେଣ ସମସ୍ୟା ଦେଇ ନୁଆରଇ ରାୟେ

ବିକଳେ ବିନୋପଇ ସେ ନାରଦଂକ ପାୟେ।୨୦୯।

ନାରଦ ବୋଇଲେ ମୁରତ ରାଜା କିସ ଅର୍ଥେ କ୍ରୋଧୀ

ଜନ ପ୍ରଜାମାନନ୍ତ କଲୁକି ଅବିଧି।୨୧୦।

ପରଜାକଇଂ ଅବିଧି କଲେ ଆପଣେ ହୋୟେ କଷ୍ଟି

ଆପଣେ ନାଶ ଯାଇ ଉପୁଜଇ ଅରଷ୍ଟି।୨୧୧।

କି ଅବା ଯାଗ ତୁହୋ ନ କଲୁ ମହୀସ୍ଥଳୀ

ମେଘବୃଷ୍ଟି ନ କରନ୍ତି ଶସ୍ୟ ନ ଉପୁଜଇ ସମସ୍ତେ ହୁଅନ୍ତି ବିକଳି।୨୧୨।

ମରୁତସେନ ବୋଇଲା ମୁନି ଶୁଣିମା ନାରଦେ

ଅଶ୍ୱମେଧ ଯାଗ କରିବାକୁ ଅନକୂଳ କଲି ହାଦେ।୨୧୩।

ବଶିଷ୍ଠଂକୁ ମୁଂ ଅଇଲି ବରଣୀ ଯେ କରି

ବିଶ୍ୱାମିତ୍ର ଝଗଡେ ହୋଇଲା ବହୁତ ଯେ ଭାରି।୨୧୪।

ବୃହସ୍ପତିଂକି ଅଇଲି ବରଣ ନିମନ୍ତେ

ଅନେକ ଝିଂଘାସି ମୁନି ବୋଇଲେକ ମୋତେ।୨୧୫।

ନାରଦେ ବୋଇଲେ ମନେ ନ ବିଚାର ତୁ ମରୁତେ

ଆମ୍ଭେ ଯାଗ୍ୟିଂକ ଯାଗନିକ କରି ଜଣେକ ଦେବା ତୋତେ।୨୧୬।

ମରୁତ ବୋଇଲା ଯେବେ ଆଗ୍ୟାଂ ଦେବା ଋଷି

ମୁହିଂ ନ ବରଇଟି ବୃହସ୍ପତିଂକର ବଂଶୀ।୨୧୭।

ନାରଦେ ବୋଇଲେ ତା ବଂଶରୁ ଜଣେ ନବରିଲେ ସେ କରିବଟି ରାଗ

ବୃହସ୍ପତି କୋପ କଲେ ନୋହିବ ତୋର ଯାଗ।୨୧୮।

ନାରଦେ ବୋଇଲେ ତୁହୋ ନ ଜାଣୁ ରାଜା କିଛି

ବୃହସ୍ପତିଂକର ବଡ ଉତ୍ତମ ପୁତ୍ରେକ ଅଛି।୧୧୯।

ବଡାଇ ପଣ୍ଡିତ ସେ ନାମ ତାର କଚ

ତାହାନ୍ତ ବରିଲେ ତୋତେ ନାହିଂ କିଛି ବାଚ।୨୨୦।

ବହୁତ ପାଠ ତାହାଂକୁ ପଢାଇଲେ ବୃହସ୍ପତି

ଅକ୍ଷୟେ ବାଳୁତ ସେ ଛନ୍ନଛନ୍ନ ମତି।୨୨୧।

ତୁ ୟେହି କ୍ଷଣି ଯାଅ ମେରୁ ଦକ୍ଷିଣ ପୃଷ୍ଠେ

ୟେତେବେଳେ ବସିଅଛି ସେ ମେରୁଗିରି କ୍ରୋଟେ।୨୨୨।

ଶ୍ରୀକରେ ତୋହୋର ଧରିଥିବୁ ଅସିପତ୍ର

ତୋତେ ଦେଖିଣ ପଳାଇବ ସେ ଅନେକ ଧୂର ପଥ।୨୨୩।

ନିଉନ ହୋଇଗଲେ ତୋତେ କରିବଟି ବହୁତ କୋପ

କିମ୍ପା ଅଇଲୁ ବୋଲି ତୋତେ ଦେବ ସେହୁ ଶାପ୍ୟ।୨୨୪।

ତୋତେ ଦେଖିଣ ସେ ପଳାଇବ ଡରେ

ତେହ୍ନେକ ମୃତ୍ତି ଧରିବୁଟି ତୁ ତାହା ଛାମୁରେ।୨୨୫।

ଥୋକାୟେ ଧୂର ପଳାଇ ତୋତେ ଚାହିଂବ ଲେଉଟି

ଫୁଟିଣ ବାଟରେ ସେ ପଡିବାକ ଯାଇ ଝୁଣ୍ଟି।୨୨୬।

ତୁ ଯାଇଂ ତାହାର ଛାମୁରେ ମିଳିବୁ ଖଡଗ ବୁଲାଇ

ପ୍ରତିଉତ୍ତର ଦେବ ତୋତେ କିଂକର ଭାବ ହୋଇ।୨୨୭।

ପ୍ରଳମ୍ୱିତ ହୋଇବୁ ତୁ ତେତେବେଳେ ତାହାଂକୁ

ବରଣ କରିବୁ ତୁ ଯାଗ ନିମନ୍ତକୁ।୨୨୮।

କହିଣ ନାରଦେ ଯେ ଗଲେ ଅନ୍ତର୍ଧ୍ୟାନେ

କ୍ରୋଧ ଛାଡି ଗଲା ତହୁଂ ମରୁତ ରାଜନେ।୨୨୯।

ଆକାଶ ଗଙ୍ଗାୟେଣ କଚ ସ୍ରାହାନ ସନ୍ଧ୍ୟା କରୁଥିଲା

ମରୁତସେନ ରାଜାର ମୃତ୍ତି ଦେଖି ସେ ଭୟେ ପଳାଇଲା।୨୩୦।

କେଶ ବାସ ଅସମ୍ଭାଳ ବସନ ପଡଇ ଖସି

ବାବୁ ବାବୁ ବୋଲିଣ ପଳାଇଲା ବାଳ ଶିକ୍ଷି।୨୩୧।

ବିଶାଶତେ ଯୋଜନେ ସେ ଚାହିଂଲା ଲେଉଟି

ପଳାଇ କରି ଚାହାଂନ୍ତେ ପଡିଲା ସେ ଝୁଣ୍ଟି।୨୩୨।

ଖଡଗ ଘେନି ଧାଇଂଅଛନ୍ତିମ ହାରାୟେ

ମୃତ୍ତିକି ଆକ୍ରେଷିଲା ରାହୁର ତେଜ ପ୍ରାୟେ।୨୩୩।

ଦନ୍ତେ ତିରଣ ଧରି ମୁନି ବୋଇଲେ ରଖ ରଖ

ତୁ ମାହାତ୍ମା ନ ମାର ମୁଂ ଅଟଇ ନିରେଖ।୨୩୪।

ସନ୍ନିଧ୍ୟେ ଦେଖି ଚିହ୍ନିଲା ସେ ଦିବ୍ୟ ବଦନ ଗୋଟି

କଚ ବୋଲନ୍ତି ତୁମ୍ଭେ ମରୁତସେନଟି।୨୩୫।

କଚ ବୋଇଲା ବିଶ୍ୱାମିତ୍ର ଶାପେ କଳ୍ମଷାପାଦ ରାଜା

ରାକ୍ଷସ ହୋଇ ଭକ୍ଷିଲା ବଶିଷ୍ଟଂକ ତନୁଜା।୨୩୬।

ଆହୋ ମରୁତସେନ ପଳାଇଲି ମୁଂ ତାହାର ପ୍ରାୟେ ବୁଝି

ଭୟେ ଲୁଚିଅଛି ତେଣୁ ମେରୁକ୍ରୋଟ ବୁଝି।୨୩୭।

ମରୁତସେନ ରାଜା ଛାମୁରେ ପ୍ରଳମ୍ୱିତ

କଲ୍ୟାଣ ବାଞ୍ଚିଲେ ତାକୁ ବୃହସ୍ପତିଂକର ସୁତ।୨୩୮।

ମରୁତସେନ ବୋଇଲା ମୁଂ ଦେବଯାଗ କରିବି

ଯାଗନିକ ପଣେ ମୁହିଂ ତୁମ୍ଭନ୍ତ ବରିବି।୨୩୯।

କଚ ବୋଇଲା ମୁଂ ବରଣ ହୋଇଲି ଭୋ ରାଜା

ସମ୍ଭାର ସଞ୍ଚାମାନ ଯୋଗାଡ କରି ବେଗେ ଯାଅ ଯା।୨୪୦।

ସର୍ବ ସମ୍ପାଦିଣ ତୁ ରାଜା କହସି ଆସି ମୋତେ

ମୁହିଂ ରହିଥିବିଟି ଯାଇଂ ମଣିନାଗ ପର୍ବତେ।୨୪୧।

ଶୁଣହୋ ରାଜନ ଯଥାବିଧି ବରଣ କଲାକ ସୋମବଂଶୀ

ଯାଗନିକ ଭାବେ ବରଣ ହୋଇଲେ ବାଳଶିଷି।୨୪୨।

ବିଜୟେ ମରୁତସେ ନଇନ୍ଦ୍ର ଯେ ପ୍ରଶସ୍ତେ

କରଇ ଯାଗବିଧି ଧଉମ୍ୟ ପ୍ରୋହିତଂକ ଶାହାସ ଯୁଗତେ।୨୪୩।

ଚଉଦ ବରଷକଇଂ ରାଜା ସମସ୍ତ ସମ୍ପାଦି

କଚର ସନ୍ନିଧ୍ୟେ ଯାଇଂ ମିଳିଲେ ନୃପନିଧି।୨୪୪।

ଅପାର ଧୂରେ ଥାଇଂ ଡାକଦିଲା ନୃପ

ମୁହିଂ ମରୁତସେନ ମୋତେ ନକର ଯେ କୋପ।୨୪୫।

ଗହ ଗହ ଶବଦେ ଶୁଭିଲାକ ବାଣୀ

ଆସନ କମ୍ପନ୍ତେ ଧ୍ୟାନେ କର ତାହା ଜାଣି।୨୪୬।

କ୍ଷଣକେ ବାତୁଳ କ୍ଷଣକେ ମହାଗ୍ୟାଂତା

ଧ୍ୟାନକଲେ ଦୃଶ୍ୟ ହୋଇ ନବକୋଟି ଯୁଗର ବାରତା।୨୪୭।

ମରୁତସେନ ରାଜା ଶତ ସହସ୍ର ପରିଣାମି

ଇନ୍ଦ୍ରପ୍ରଶସ୍ତେ ବିଜୟେ କରିବା ଦେବସ୍ୱାମୀ।୨୪୮।

ଶୁଣ ହୋ ଚଇତନ ରାଜାରମୁଖୁଂ ୟେସନେକ ଶୁଣି ବାଚ

ତୁହି ଆଗହୋଇ ଯାଅ ଯା ବୋଇଲାକ କଚ।୨୪୯।

ୟେ ଦୁର୍ଗମ ପଥେ ହାଦେ ରାଜା ତୁ କରିବୁ ଗମନା

ଆମ୍ଭନ୍ତ ଯାଇଂ ଇନ୍ଦ୍ରପ୍ରଶସ୍ତେ ଦେଖୁଂ ସିନା।୨୫୦।

ୟେତେ କହି ମହାତମା ଅନ୍ତର୍ଦ୍ଧାନେ ଗଲା

ମନପବନ ଦଣ୍ଡେ ଆରୋହି ଯାଗଶାଳେ ମିଳିଲା।୨୫୧।

ମରୁତସେନ ପ୍ରବେଶ ହୋଇଲା ଯାଇ ନିଜରାଜ୍ୟେ

ଦେଖଇ କଚ ବିଜେ କରିଅଛନ୍ତି ମହାତେଜେ।୨୫୨।

ଆଶ୍ରିଜ ହୋଇଣ ତାକୁ ପଚାରନ୍ତି ଦଣ୍ଡସାଇଂ

ଦେଖିଣ ଆଶ୍ରିଜ ହୋଇଲି ଦେବ ମୁହିଂ।୨୫୩।

କଚ ବୋଇଲେ ଆମ୍ଭର ମହିମାଂ ନ ଜାଣୁ ମରୁତ

ମନ ଯହିଂ ଗବନ ତହିଂ ତଇଲୋକ୍ୟ ୟେକତ।୨୫୪।

ଭୋ ରାଜନ ଯାଗର ସମ୍ପଦ ଦେଖାଇଲେ ନରେନ୍ଦ୍ର

ଦେଖି ଉପହାସ କଲେ ମୁନି କୁଳଚନ୍ଦ୍ର।୨୫୫।

ବଡାଇ ସମ୍ଭର୍ବ ତୁହି ଭିଆଇଅଛୁ ହୋ ନୃପତି

ଆନ ଯାଗକୁତ ୟେହୁ ଉତ୍ତମ ଯୁଗତି।୨୫୬।

ଅଶ୍ୱମେଧ ଯାଗ ୟେଣେ ନୋହଇଟି କରି

ଶୁଣିଣ ନୃପତି ଯେ କହଇ କରଯୋଡି।୨୫୭।

କଚ ବୋଇଲେ ଯେବେ ବରିଲୁନି ମୁକୁ

ଆସ ହୋ ମରୁତସେନ ଧନ ଦେଖାଇବା ତୁକୁ।୨୫୮।

ବଦୟନ୍ତି ବଶିଷ୍ଠ ମୁନି ଶୁଣ ତୁ ହୋ ଯୁଝେଷ୍ଠି

କଚ ମରୁତ ଦୋହେଂ ବିଦେଶେଣ ଗୋଷ୍ଠି।୨୫୯।

ମହାଅରଣ୍ୟେ ପ୍ରବେଶ ମୁନି ଦଣ୍ଡଧାରୀ

ସଉରାଷ୍ଟ ବନେ ମିଳିଲେ ଯୋଜନ ଶତଚାରି।୨୬୦।

ବରାହୀ ନଦୀକୂଳେ କର୍ଣ୍ଣରୁଦ୍ର ବୋଲି ପର୍ବତ

ମରୁତସେନକୁ ବୋଇଲେ କଚ ତୁ ରହିଥାଉ ଗୁପତ।୨୬୧।

ରାଜାକୁ ବୋଇଲେ ତୁ ନୋହିବୁଟି ଦୃଶ୍ୟ

ୟେହି ଭୂମିରେ ଥାଆନ୍ତି ହୋ ମହା ମହା ରାକ୍ଷସ।୨୬୨

ମଣିଭଦ୍ରା ବୋଲିଣ ୟେକ ରାକ୍ଷସ ଯେ ଅଛି

ବ୍ରହ୍ମାଣ୍ଡ ଚାଣ୍ଡାଳ ପାଇଲେ ସେ ସର୍ବଭକ୍ଷି।୨୬୩।

ରୁଦ୍ରସତ୍ୟ ଯୁଗେ ସେ କାଶୀଂକି ସେବାକଲା

ସତ୍ୟଯୁଗ ସତର ଲକ୍ଷ ବରଷ ଲୋହ ଚୂରି ସେ ଭକ୍ଷିଲା।୨୬୪।

ଭାବେଣ ବର ତାକୁ ଦିଲେ ସଦାନନ୍ଦ

ଈଶ୍ୱଂରକୁ ମାଗିଲା ସେ ମହେଶ୍ୱର ପଦ।୨୬୫।

ଭୋଳେଣ ବର ତାକୁ ଦିଲେ ଦେବ ଗୁଣନିଧି

ମୋହୋର ପଦ ଘେନି ବିଳସ ବାରାନିଧି।୨୬୬।

ଈଶ୍ୱର ବରେ ଅସୁର ବାରାନିଧିରୁ ଆଣି

ଧନ ଭଣ୍ଡାରେ ବହୁତ ବାଗେଣ ରକ୍ଷଣି।୨୬୭।

ତୁ ୟେଥେ ମରୁତସେନ ରହିଥାଅ ଦଣ୍ଡେ

ଆମ୍ଭେଯାଇଂ ଘେନିଆସୁଂ କଣୟ ନିଧିରୁ ଖଣ୍ଡେ।୨୬୮।

ୟେହି ପର୍ବତ ଉପରେ ଥିବୁଟି ତୁହି ଉଠି

ଆମ୍ଭର ହାକ ଶୁଣିଲେ ବହନ ହୋଇଣ ଯିବୁଟି।୨୬୯।

ୟେତେ ବୋଲି କଚ ବହନେ ଚଳିଗଲେ

ମଣିନାଗ ପର୍ବତେଣ ଯାଇଣ ଉଠିଲେ।୨୭୦।

ନିଦ୍ରାୟେଣ ମଣିଭଦ୍ର ନଜାଣଇ କିଛି

ଭୟେ କରିଣ କଚ ଥୋକାୟେ ଧୂରେ ଅଛି।୨୭୧।

ଜିଭ୍ୟା ସ୍ରବିତ ତାର ହୋଇଲା ଯେତେବେଳେ

ଚିଆଇଂ ଉଠିଲା ସେ ଅସୁର ଚାଣ୍ଡାଳେ।୨୭୨।

ଦେଖିଣ ଅସୁର ବୋଇଲା ଭଲ କଲୁ ଦିଜ

ତିନିଦିନ ହୋଇଲା ମୋର ନାହିଂ ନରମାଂସ ଭକ୍ଷଭୋଜ।୨୭୩।

ଆଜ ତୋତେ ଭକ୍ଷିଲେ ମୁଂ ହୋଇବଇଂ ସୁସ୍ଥ

ଆସ ଆସ ମହତ୍ମା ତୁ ଅଗ୍ୟାନ ବାଳୁତ।୨୭୪।

କଚ ବୋଇଲା ମୋତେ ତୁ ଭୁଞ୍ଜକିନା ବାବୁ

ପଦାର୍ଥେକ ମାଗିବଇଂ ତାହା ମୋତେ ଦାନ ଦେବୁ।୨୭୫।

ଶୁଣିଣ ମଣିଭଦ୍ର ବୋଇଲା ତୋହର ଯିସ କାର୍ଯ୍ୟ

ମୁହିଂ ତାହା ନିର୍ଭାର କରିବଇଂ ଆହୋ ଦିଜ।୨୭୬।

କଚ ବୋଇଲା ସୋମବଂଶେ ମରୁତସେନ ରାୟେ

ଇନ୍ଦ୍ରପ୍ରଶସ୍ତେ ସେ ଅଶ୍ୱମେଧ ଯାଗ କୟେ୨୭୭

ମୋତେ ବରିଲା ସେହୁ ଯାଗନିକ ପଣେ

ଧନ ନଅଣ୍ଟିଲା ବୋଲି ମୁଂ ଅଇଲି ସେ କାରଣେ।୨୭୮।

ମଣିଭଦ୍ର ବୋଇଲା ମୁଂ ଅଟଇ ରାକ୍ଷସ

ଆମ୍ଭର ଭକ୍ଷପାନ ଅଟଇ ମହୁମାଂସ।୨୭୯।

ବିଶେଷ ବ୍ରାହ୍ମଣ ତୁହି ବେଦ ମନ୍ତ୍ରେ ସିଦ୍ଧି

ବ୍ରାହ୍ମଣର ମାୟେଂସ ଭକ୍ଷିଲେ ନାଶ ହୋଇ ସର୍ବବ୍ୟାଧି।୨୮୦।

ଯତନେହେଂ ଲୋଡି ଆମ୍ଭେ ମହୁମାଂସ ଭକ୍ଷୁ

ୟେତେକ ପ୍ରମାଦକୁ କେମନ୍ତେ ଅଇଲୁ ଦେଖୁଂ ଦେଖୁଂ।୨୮୧।

କଚ ବୋଇଲେ ମୁଂ ଭୂତ ଭବିଷ୍ୟତ ଗ୍ୟାଂତା

ମୁହିଂ ଜାଣଇଂ ତୋହୋର ସପତ ପୁରୁଷ ବାରାତା।୨୮୨।

ପର ଉପୁଗାରୀ ମରଣକୁ କିମ୍ପେ ଘୁଞ୍ଚି

ଅଥବା ପର ଦୁଖେ ଦୁଖୀ ହୋଇଅଛି।୨୮୩।

ମଣିଭଦ୍ର ବୋଇଲା ମୁଂ ଯେବେ ଦେବି ତୋତେ ଧନ

କେୟେଥୁଂ ବହିନେବ ତୁ ତ ମୋର ହୋଇବୁ ଭୋଜନ।୨୮୪।

କଚ ବୋଇଲା ମୁଂ ଯେବେ ଧନ ଘେନିଯିବି

ସେ ମରୁତସେନ ରାଜାକୁ ଦେଇଣ ଆସିବି।୨୮୫।

ବିଚାରଇ ମଣିଭଦ୍ର ଯେ ପର ଦୁଖେ ଦୁଖୀ

ଅଥବା ଆସୁ ନଆସୁଂ ବୁଝିବାନା ଦେଖି।୨୮୬।

ୟେତେ କହି ମଣିଭଦ୍ର କଚକଇଂ ଘେନିଗଲା

ହିରଣ୍ୟଗିରି ପର୍ବତେ ନେଇ ବାରାନିଧି ଦେଖାଇଲା।୨୮୭।

ଯେତେକ ଅଣ୍ଟଇ ତୋତେ ନିଅ ହୋ ବ୍ରାହ୍ମଣ

ଧନଦେଇଣ ତୁହୋ ଆସିବୁ ୟେହି କ୍ଷଣ।୨୮୮।

ତୁହି ବହନ ହୋଇ ଆସିବୁ ମୁଂ କରିବି ଯେ ଗ୍ରାସ

ତୋହୋର ପାଇଂ ମୋହୋର ଆଜହୁଂ ଉପବାସ।୨୮୯।

ୟେକା ନିଧିରେ ଅଛଇ କଣୟ ଦଶଲକ୍ଷ

ବୀର ବୃତ୍ତି ପଣେ ତାହା ବହଇ ଭାର କଞ୍ଚ।୨୯୦।

ମରୁତ ରାଜାର ଛାମୁରେ ଯାଇଂଣ ମିଳଇ

ଦେଖି ଦଶସହସ୍ର ଦଣ୍ଡପ୍ରଳମ୍ୱ କଲା ମହୀସାଇଂ।୨୯୧।

ବନର ଭିତରୁ ଖେଦି ଆଣିଲା ମହାରାଜ

ବନ୍ଧନ କରି ଆଣିଲା ଦଶଲକ୍ଷ ମତ୍ତଗଜ।୨୯୨।

ଗଜଂକ ଉପରେ ସେ ସମସ୍ତ ଧନ ଲଦି

ଚଳଇ ମରୁତସେନ ଆନନ୍ଦ ମନେ ଖେଦି।୨୯୩।

କଚ ବୋଇଲା ଶୁଣସି ମହାରାଜା

ଅଶ୍ୱମେଧ ଯାଗକର ବେଗେବେଗେ ଯା ଯା।୨୯୪।

ମରୁତସେନ ବୋଇଲା ତୁମ୍ଭେ ଯେ ଯାଗନିକ

ତୁମ୍ଭର ନଗଲେ କେ ମୋହୋର ଯାଗ କରିବାକ।୨୯୫।

କଚ ବୋଇଲା ରାଜା ଯିବଇଂ ମୁହିଂ କାହୁଂ

ୟେ ଧନ ଆଣିଲି ମୁହିଂ ମଣିଭଦ୍ର ତହୁଂ।୨୯୬।

ତାହାର ହୋଇଲା ଆଜକୁ ପାଞ୍ଚ ଦିବସ ଉପବାସ

ମୋତେ ଭକ୍ଷିଲେ ତାହାର ଶରୀର ହେବ ତୋଷ।୨୯୭।

ତୁମ୍ଭର କାର୍ଯ୍ୟ ନିମନ୍ତେ ଅଇଲି ବେଗେ ମୁହିଂ

ମୋହୋର ଯିବାକୁ ସେ ଅଛି ବାଟ ଚାହିଂ।୨୯୮।

ମରୁତସେନ ବୋଇଲା ୟେହା ନକହନ୍ତି ଲୋକେ

ତୁମ୍ଭେ କିଂକେ ଯିବ ମରୁ ପଛେ ସେହୁ ଭୋଖେ।୨୯୯।

ଆପଣେ ମରି ପରକଇଂ କିସ ଦୟା

ନାହିଂତ ଶୁଣିଲା ମୋହୋର ୟେସନେକ ମାୟା।୩୦୦।

କଚ ବୋଇଲା ସେ ମୋତେ କରି ଆଶ

ନଗଲେ ଧର୍ମ ମୋହୋର ହୋଇବଟି ନାଶ।୩୦୧।

ଅନେକ ବଇକୁଲ୍ୟେ ବୋଲଇ ନୃପମଣି

କଚ ନଶୁଣଇ ତାର କ୍ରୋଧଭର ବାଣୀ।୩୦୨।

ଭୟେଣ ମରୁତରାଜା ନୁଆରଇ ବଚନ ବୋଲି

ବୋଇଲା ଭଲା ତ ମୁଂ ଅଶ୍ୱମେଧ ଯାଗ କଲି।୩୦୩।

ବହୁତ ବୁଝାଇ ରାଜାଂକୁ କହନ୍ତି ସେ କଚ

ପାଷାଣର ରେହା ଜାଣି ମହତଂକର ବାଚ।୩୦୪।

ବାଚା ବିଚଳିତ ହୁଅଇ ଯେଉଂଣ ପୁରୁଷା

କିସ ତାହାର ଧର୍ମ କିସ ତାହାର ଭାଷା।୩୦୫।

ୟେତେ କହି କଚ ଚଳନ୍ତି ଘୋର ଯେ କନ୍ଦରେ

ବହନ ହୋଇ ଚଳନ୍ତି ଯେ ବୃହସ୍ପତିଂକ କୁମରେ।୩୦୬।

ଚଇଦିଗକୁ ଚାହଇଂ ସେ ଦତ୍ୟରାୟେ

ହିରଣ୍ୟ ପର୍ବତେ ଉଠି ଚାହଇଂ ମଣିଭଦ୍ର ଦଇତୟେ।୩୦୭।

ବିଳମ୍ୱ ଦେଖିଣ ବୋଲଇ ମୁହିଂ ତ ବଡ ମୂର୍ଖ

ଦେଖୁ ଦେଖୁ କୋଉଂ ପାମର ଭୋଜନ ଉପେଖ।୩୦୮।

ଚାଳିଶ ସହସ୍ର ଯୋଜନ ପରିଯନ୍ତେ ମୋ ଡରେ କେହି ନପଶି

ଦେଖୁ ଦେଖୁ କେଉଂଣ ଜନ ମରଣକୁ ଆସି।୩୦୯।

ଆହୋ ଚଇତନ ଅପାର ବେଳ ରାକ୍ଷସ ଚାହିଂଲାକ ବାଟ

ନ ଦେଖି ନିରାଶ ବଡ ହୋଇଲା ମୁରାଟ।୩୧୦।

ୟେମନ୍ତ ସମୟେ ସନ୍ନିଧ୍ୟେ ଯାଇ ମିଳିଲାକ ଦ୍ୱିଜ

ଦେଖିଣ ମଣିଭଦ୍ର ହୋଇଲାକ ଆଶ୍ରିଜ।୩୧୧।

ବ୍ରାହ୍ମଣକୁ ଦୁରାନ୍ତେକ ଚାହିଂଲା ୟେକ ଦୃଷ୍ଟି

ବାଳୁତ ହୋଇ ୟେହାର ସାଧୁ ଜୀବନ ଗୋଟି।୩୧୨।

ଗିରିବର ଉପରେ ଉଠିବାର ସମୟେ

ମଣିଭଦ୍ର ବୋଇଲା ହୋ ଅଇଲକି ପଣ୍ଡାୟେ।୩୧୩।

ମାତା ପିତା ଭାରିଯା ପୁତ୍ର ଦୁହିତା ନାହିଂକି ତୋରି କିଛି

କେମନ୍ତେ ଛାଡିଲେ ସେ ତୋତେ ମନ ମୁରୁଛି।୩୧୪।

ବ୍ରାହ୍ମଣ ହୋଇ ତୁମ୍ଭେ ୟେଡ଼େକ ନିର୍ଭୟେ

ପୁଣ ଆସିବାକୁ ମନେ ନମଣିଲା ଭୟେ।୩୧୫।

ମରଣକୁ ନଡରିଣ ମୋର ଯାୟେ ଆୟେ

ସେମାନ ନ ବିଚାର ବୋଲି ବୋଇଲା କଚ ଯେ କଥାୟେ।୩୧୬।

ତୁମ୍ଭର ଶରୀର ତ୍ରିପୁତି ହୋଉ ବହନ ମୋତେ ଭକ୍ଷ

ମୋହୋ ଦିନ ସରୁ ତୋର ଭୋକ ସରୁ ହୋ କ୍ଷତ୍ରୀବତ୍ସ।୩୧୭।

ମଣିଭଦ୍ର ବୋଇଲା ମୁଂ କ୍ଷୁଧାୟେ ବଡକଷ୍ଟି

ବଡାଇ ଦୁଲ୍ଲଭ ଦେଖିଲି ତୁମ୍ଭର ମହିମାଂ ଗୋଟି।୩୧୮।

ମନୁଷ୍ୟ ହୋଇ ତୁମ୍ଭେ ୟେଡ଼େକ ମହତ

ତୋତେ ଭକ୍ଷିବାକୁ ମୋର ନବଳଇ ସତ।୩୧୯।

କଚ ବୋଇଲେ ତୁ ହୋଇଛୁ ବିଭୋକ୍ଷୀ

ମୋତେ ଛାଡିଲେ କ୍ଷୁଧାୟେ ହେବୁ ବଡଦୁଖୀ।୩୨୦।

ଆଶା ଦେଖାଇ ଯେ କରାନ୍ତି ନିରାଶ

କହିଲେ ନ ସରଇ ୟେଥିରେ ଯେତେ ଦୋଷ।୩୨୧।

ମଣିଭଦ୍ର ବୋଇଲା ମୁଂ ହୋଇଲି ତ୍ରିପୁତି

ବଚନେ ବୋଧିଲୁ ତୁ ଅଗ୍ୟାନ ବାଳଯତି।୩୨୨।

ହୋଇଲି ଶାନ୍ତି ମୁହିଂ ଯେ ତୋତେ କଲି ତେଜ୍ୟା

ୟେବେ ତୁମ୍ଭର ମନ୍ଦିରକୁ ବହନ ହୋଇ ଯାଅ ଯା।୩୨୩।

ମଣିଭଦ୍ର ତେଜ୍ୟା କରନ୍ତେ କଚ ବାହୁଡି ତହୁଂ ଆସି

ବାଳୁତ ପରାୟେ ହୋଇ ବନେ ବୁଲଇ ବାଳଶିଷି।୩୨୪।

ଶୁଣ ଆହୋ ଚଇତନ ୟେକ ପୁତ୍ର ବୋଲି ବହୁତ ପାଠ ପଢାଇଲେ ବୃହସ୍ପତି

ତେଣୁକରି ଅକ୍ଷର ସେ ବିଭଳିତ ପ୍ରକୃତି।୩୨୫।

ୟେଥୁ ଅନନ୍ତରେ ସେ ବିଲଂକ ଦେଶ ରାଜା

ଅଗସ୍ତିଂକ ପାଦତଳେ କଲା ଦିବ୍ୟପୂଜା।୩୨୬।

ଅନେକ ଧନ ଘେନି ସେ ମରୁତସେନ ଅଇଲା

କାହାକଇଂ ବରଣ କରି ସେ ମହାଯାଗ କଲା।୩୨୭।

ବଦୟନ୍ତି ଅଗସ୍ତି ଶୁଣ ହୋ ମନୁରାୟେ

ଶ୍ରୀବିଷ୍ଣୁପୁରାଣ ଶୁଣି ପାତକ କର କ୍ଷୟେ।୩୨୮।

ଅନେକ ମହାଋଷିଂକି ସେ ବରିଲା ମରୁତ

କଚ ବରଣ ଶୁଣି ସମସ୍ତେ ହେଲେ ଭୀତ।୩୨୯।

ନାରଦେ କହିଲେ ବୃହସ୍ପତିଂକର ଆଗେ

ତୋତେ ବୃହସ୍ପତି ହୋ ପଡିଲା ପୁତ୍ରଶୋଗେ।୩୩୦।

ସୋମବଂଶର ରାଜା ମୁରତସେନ ରାୟେ

ଦେବଯାଗ କରିବାକୁ ବରିଲା ତୋ ତନୟେ।୩୩୧।

ଧନହୀନ ଦେଖି ତାକୁ କଚ ତୋର ଗଲା

ମଣିଭଦ୍ର ଦଇତକୁ ଯାଇଂଣ ମାଗିଲା।୩୩୨।

ରାକ୍ଷାସେ ଭକ୍ଷ ଯେ ହୋଇଲା ତୋ ବାଳ

ତେଣୁ କରି କଚକୁ ପଡିଲା କଟାଳ।୩୩୩।

ଶୁଣିକରି ବଡକୋପ କଲେ ବୃହସ୍ପତି

କରେ କପଚ ଧରିଣ ହୋଇଲେ କୋପମୃତ୍ତି।୩୩୪।

ରାଗେଣ ପଣ୍ଡିତ ସେ ଧାଇଂଲେ ଗଳଗାଜି

ଯାଗଶାଳ ସହିତେଣ ପକାଇଲେ ଭାଞ୍ଜି।୩୩୫।

ଅନେକ ରାଜା ତହିଂ ଋଷିଗଣ ଥିଲେ

ବୃହସ୍ପତିଂକର ଭୟେ ସମସ୍ତେ ପଳାଇଲେ।୩୩୬।

ମରୁତସେନ ରାଜାୟେ ପଳାଇଲେ ଡରେ

ଯାଇଂଣ ଲୁଚିଲେ ସେ ମନ୍ଦର କନ୍ଦର ଭିତରେ।୩୩୭।

ଶୁଣ ହୋ ଯୁଝେଷ୍ଠି ବୃହସ୍ପତି ଅବଳ ହୋଇଲେ ଯହୁଂ

ଭାଜିଲାକ ଯାଗ ଆରୋପଣ ଲୋହିନାକ ତହୁଂ।୩୩୮।

ଶୁଣ ହୋ ମହାରାଜା କଥୟନ୍ତି ବଶିଷ୍ଠ

ମରୁତସେନ ରାଜାର ଯାଗ ହୋଇଲାକ ନଷ୍ଟ।୩୩୯।

ଯେତକ ଧନ ମରୁତସେନ ବହି ଆଣିଥିଲା

ୟେ ପର୍ବତ ଖୋଳିଣ ୟେହା ଭିତରେ ରଖିଲା।୩୪୦।

ସୁବର୍ଣ୍ଣର ଭାଣ୍ଡ ରାନ୍ଧଣା ଯୋଗାଡ ଯେତେ

ନଉତୀ କୁଣ୍ଢୋଇ ପାତ୍ର କଳଶା ସହିତେ।୩୪୧।

ସୁବର୍ଣ୍ଣ ଥାଳି ଖୋପରା ଗରିଆ ପଇଲମା

ସମସ୍ତ ନିର୍ବାଣ ରଖିଥିଲା ମହାତମା।୩୪୨।

ମରୁତସେନ ବୋଇଲା ଯେ ମୋହୋର ବଂଶେ

ଅଶ୍ୱମେଧ କରିବ ସେ ନେମୟେ ରତ୍ନ ସନ୍ତୋଷେ।୩୪୩।

ଅନେକ ପୁରୁଷହିଂ ଯେ ଗଲା ତୋର ବହି

ଅଶ୍ୱମେଧ ଯାଗ କରିବାକୁ ଭାଜନ ନୋହିଲେକ କେହି।୩୪୪।

ବଶିଷ୍ଠେ ବୋଇଲେ ତୁମେ ଯେ ବୋଇଲ ପରଧନ ବୋଲି

ତଦ ନିମନ୍ତେ କରି ତୋହୋର ଉପର ବଂଶ କଥା କହିଲି।୩୪୫।

ତୋହୋର ଉପରବଂଶେ ଅର୍ଜିତ ଯେଧନ

ୟେହା ଘେନି ତୁମେ କର ଅଶ୍ୱମେଧ ଯାଗର ବିଧାନ।୩୪୬।

ବଶିଷ୍ଠିଂକ ବଚନେ ଯେ ଫିଟିଲା ମନଭ୍ରାନ୍ତି

ତହୁଂଣ ପାଣ୍ଡବମାନେ ଧନମାନ ବହିଣ ନିଅନ୍ତି।୩୪୭।

ଚଉଦ ଭଣ୍ଡାରେ ଧନ ପୂରୋଇଲେ ଧର୍ମବାଳେ

ସୁବର୍ଣ୍ଣ ଯୋଗାଡମାନ ଥୋଇଲେ ଯାଗଶାଳେ।୩୪୮।

ଶୁଣ ବଇବସୁତ ମନୁ ବଦୟନ୍ତି ଅଗସ୍ତି

ଧନ ଦେଖିଣ ପାଣ୍ଡବେ ହୋଇଲେ ତ୍ରିପୁତି।୩୪୯।

ନମଇଂ ନାରାୟଣ କମଳାର ପତି ମୁରାରି

ୟେଉଂ ଦେବ ସଂସାର ହିତେଣ ଅବତରି।୩୫୦।

ସେ ଦେବର ପଦ୍ମପାଦେ ଲାଗୁ ମୋର ସେବା

ବଦୟନ୍ତି ସାରୋଳାଦାସ ମୁକତି ଗତି ଦେବା।୩୫୧।୭୧୨।

******

 

ଯୁଝେଷ୍ଠିଙ୍କର ଅଶ୍ୱମେଧ ଯାଗ

 

ୟେଥୁ ଅନନ୍ତରେ ଯୁଝେଷ୍ଠି ଯାଗ ଯେ ଆରୋପି

ସୁମରନ୍ତେ ମିଳିଲେ ଆସି ସକଳ ମହଋଷି ତପୀ।୧।

ବଶିଷ୍ଠ ବିଶ୍ୱାମିତ୍ର ବାମଦେବ ସୁମନ୍ତକ

ଚାରିଦ୍ୱାରେ ବରଣ ୟେ ହୋଇଲେ ଯାଗନିକ।୨।

ସତୁରୀ ସହସ୍ର ଶିଶ୍ୟନ୍ତ ଘେନିଣ ମାରକଣ୍ଡେ

ଆସିଣ ନିର୍ମାଣନ୍ତି ବସି ଯାଗକୁଣ୍ଡେ।୩।

ଦୃଭାସାଂକ ତୁଲେ ଯେ ନଉ ସହସ୍ର ଚେଲା

ଦୂତୀ ଈଶ୍ୱର ମହାତ୍ମା ଯାଗେଣ ବିଜେକଲା।୪।

ବାଇଶି ସହସ୍ର ଚେଲା ଘେନିଣ ମହ7ଋଷି

ଅଗସ୍ତି ଜୟେମୁନି ଶୁକମୁନି ସୁମନ୍ତକ ବ୍ରହ୍ମଯତି।୫।

ପଉଲସ୍ତି ଧଉମ୍ୟ ପୁରୋହିତେ ବିଭାଣ୍ଡକ ଋଶ୍ୟଶୃଙ୍ଗ ବଇସମ୍ପାୟନ ମୂଳେ

ସମସ୍ତେ ବିଜେକଲେ ଆସି ଯୁଝେଷ୍ଠିଂକ ଯାଗଶାଳେ।୬।

ବ୍ୟାସଂକୁ ସୁମରଣା କଲେକ ଧର୍ମସୁତେ

ଜାଣିଣ ବ୍ୟାସେ ଚଳନ୍ତି ଇନ୍ଦ୍ର ଯେ ପ୍ରଶସ୍ତେ।୭।

ସମସ୍ତ ବେଳେ ମୋତେ ସୁମରଇ ଯୁଝେଷ୍ଠି

ଧାତିକାରେ ବିଜେକଲେ ଆସି ତପୋନିଷ୍ଠି।୮।

ଷାଠିୟେ ସହସ୍ର ଶିଷ୍ୟନ୍ତ ଘେନିଣ ବ୍ୟାସ ତୁଲେ

ଇନ୍ଦ୍ରପ୍ରଶସ୍ତେଣ ଯାଇଂ ପ୍ରବେଶ ହୋଇଲେ।୯।

ପିତାମହକଇଂ ଦେଖି ରାଜା ଛାଡିଲେ ଆସନ

ଶତେସହସ୍ର ଦଣ୍ଡ ପ୍ରଳମ୍ୱିତ ହୋଇଲେ ପଣ୍ଡୁର ନନ୍ଦନ।୧୦।

ବ୍ୟାସେ ଯୁଝେଷ୍ଠିଂକି ଆଣି ବସାଇଲେ କୋଳେ

ସମସ୍ତ ବାରତା ପୁଚ୍ଛନ୍ତି ସେ କୁଶଳେ।୧୧।

ଯୁଝେଷ୍ଠି ନିବେଦିଲା ବ୍ୟାସଂକର ପଦ୍ମପାଦେ

ଅଶ୍ୱମେଧ ଯାଗ କରିବି ସ୍ୱାମୀ ମୁଂ ତୁମ୍ଭର ପରସାଦେ।୧୨।

ବ୍ୟାସେ ବୋଇଲେ ୟେ ତୋହୋର ପୂର୍ବର ସଞ୍ଚିତ କର୍ମ

ଅଶ୍ୱମେଧ ଯାଗରୁ ଆଉ ନାହିଂନା ବଡ ଧର୍ମ।୧୩।

ରାଜୁସି ଯାଗ କଲୁ ଯେ ତୋହୋର ପୁଣ୍ୟବଳେ

ହତ୍ୟା ବିମୋଚନ କରି ପଣ୍ଡୁ ବସିଲେସ୍ୱର୍ଗଆଳେ।୧୪।

ବ୍ୟାସେ ବୋଇଲେ ବାବୁ ଶୁଣସି ଯୁଝେଷ୍ଠି

ଅଶ୍ୱିନୀକୁମାରଂକୁ ମାଗ କୁବଳୟା ଅଶ୍ୱ ଗୋଟି।୧୫।

ଧର୍ମର ନନ୍ଦନ ଯେ ଚିନ୍ତିଲେ ମନ ଧ୍ୟାନେ

ଆସନେ କମ୍ପନ୍ତେ ଅଇଲେ ମଧ୍ୟ ଯେ ଭୁବନେ।୧୬।

ଅଶ୍ୱିନୀକୁମାରେ ପୁଣି କରନ୍ତି ସାଧୁ ସାଧୁ

ତୁମ୍ଭେ ମହାରାଜା ଯେ ତ୍ରଇଲୋକ୍ୟ ପ୍ରାଣବନ୍ଧୁ।୧୭।

ଯାଗଂକର ମଧ୍ୟେ ଅଶ୍ୱମେଧ ଅଟେ ଶ୍ରେଷ୍ଠ

ଗ୍ୟାନର ମଧ୍ୟେ ଯେହ୍ନେ ବ୍ରହ୍ମଗ୍ୟାନ ଅଟଇ ଗରିଷ୍ଠ।୧୮।

ୟେ ଦୁଇ କଥାରୁ ଶ୍ରେଷ୍ଠ ନାହିଂ ଆଉ ତ୍ରଇଲୋକେ

ୟେ ଯାଗ କଲେ ଅବଶ୍ୟ ବସଇ ବୃନ୍ଦଅର୍କେ।୧୯।

ଧର୍ମ ଅର୍ଥ କାମ ମୋକ୍ଷଅଟଇ ଚାରି ନଦୀ

ୟେ ଚାରିହେଂ ସଙ୍ଗମଟି ମହାଯାଗ ଅଶ୍ୱମେଧି।୨୦।

କୁବଳୟା ନାମେ ଅଶ୍ୱ ଦିଲେ ଅଶ୍ୱିନୀକୁମାରେ

ପଞ୍ଚଧାତୁ ଜାଣଇଂ ୟେ ବିଧି ଗ୍ୟାନର ମାର୍ଗରେ।୨୧।

ପାର୍ବତୀର ନନ୍ଦନ ସେ ଯେ କାମଦେବ କ୍ଷେତ୍ରପାଳ

ତାହାନ୍ତ ଦେବତାୟେ ନେଲେ ଗଗନ ମଣ୍ଡଳ।୨୨।

ତୁ ହୋ ଯାବତ କାଳେ ଗଗନକୁ କରୁରକ୍ଷା

ତେଣୁ ସେ ଦେବତାଂକୁ ନାହିଂ ଯେ ଉପେକ୍ଷା।୨୩।

ବାସବର ବଚନେ ସେ ଗଉରୀର ପୁତ୍ର

ଆକାଶରେ ନିଶାମଣି କ୍ଷଣେ କଲେ ସମ୍ମତ।୨୪।

ବାସବ ଦେବତାଂକର ଆଗ୍ୟାଂ ଅବଧାରୀ

ମର୍ତ୍ତ୍ୟକୁ ଅଇଲେ ସେ ସଂସାର ଅଧିକାରୀ।୨୫।

ଅନନ୍ତ କୋଟି ଭୁବନ ମଣ୍ଡଳ ଆକାଶ

ୟେକା ଗମିବାକୁ ଦେବ ୟେ ଚୋଖାର ବାରୁଶ।୨୬।

ଇନ୍ଦ୍ର ବୋଇଲେ ନାରଦଂକୁ ସେ ହକାରି

କ୍ଷେତ୍ରପାଳ ଘେନିଯାଅ ଗଗନ ବେହାରୀ।୨୭।

ଗଗନ ପନ୍ନଙ୍ଗା ଗଜ ମେଘନାଦ

କାଳେବର ଭେଟ ସର୍ବ ପ୍ରହଲାଦ।୨୮।

ଅଷ୍ଟଅଶ୍ୱେ ଅଛନ୍ତି ଯେ ଆଦିତ୍ୟର ରଥେ

ତହୁଂ ଅଶ୍ୱେକ ଦେଉ କାମଦେବ କ୍ଷେତ୍ରପାଳ ଭ୍ରମିବା ପରିଯନ୍ତେ।୨୯।

ଯହୁଂ ସେ ଆଗ୍ୟାଂ ଦିଲେକ ଦେବ ଇନ୍ଦ୍ରେ

କାମଦେବ କ୍ଷେତ୍ରପାଳକଇଂ ଘେନି ଚଳିଲେ ନାରଦେ।୩୦।

ବିଜୟେ ଭାସ୍କର ୟେ ମଧ୍ୟରେ ଆସ୍ତାନେ

କାମଦେବକଇଂ ଘେନି ବିଜୟେ ନାରଦ ମହାମୁନ୍ୟେ।୩୧।

ଶୁଣ ହୋ ଦିନକର ବଦୟନ୍ତି କଳହପ୍ରିୟା

ଇନ୍ଦ୍ର ଦେବତା ମୋତେ ଆଗ୍ୟାଂ ଦିଲେ ଯାହା।୩୨।

କାମଦେବ କ୍ଷେତ୍ରପାଳ ଗଉରୀର ବାଳ

ବାସବର ଆଗ୍ୟାଂୟେ ଆକାଶ କଟୁଆଳ।୩୩।

ତୋହୋର ତହୁଂ ୟେହାକୁ ଅଶ୍ୱ ୟେକ ଦେବୁ

ଆକାଶ ବୁଲିଲା ଉତ୍ତାରୁ ଘେନିକରି ଯିବୁ।୩୪।

ଆଦିତ୍ୟ ବୋଇଲେ ଦେବ ରାଜାର ଯେବେ ଆଗ୍ୟାଂ

କେମନ୍ତେ ବ୍ରହ୍ମାପୁତ୍ର ହୋ କରିବା ଅବଗ୍ୟାଂ।୩୫।

ବାବୁ କ୍ଷେତ୍ରପାଳ ମୁଂ ତୋତେ ଅଶ୍ୱ ଦେବି

ମୁହିଂ ଦିଗ ଭ୍ରମଇସେ କେତେବେଳେ ପାଇବି।୩୬।

ବିନୟ ଭାବେ ବୋଇଲେ କାମଦେବ କ୍ଷେତ୍ରପାଳ

ଯେତେବେଳେ ଭ୍ରମଇଂ ଆକାଶ ମଣ୍ଡଳ।୩୭।

ବୁଲୁବୁଲୁ ତୋର ଅଶ୍ୱକୁ କଲେ ତେଜ୍ୟା

ସୁଖେ ଘେନି ଆସିବୁ ଦେବକଇଂ ରାଜା।୩୮।

ୟେହେନେକ ବିଷୟ ମୋର ବ୍ରତ

ଯେତେକ ତୋହୋର ଅଟଇ ଉଚିତ।୩୯।

ଭୂରିଶ୍ରବା ବୋଲିଣ ଯେବଣ ବାରାଶ

ନିମିଷକେ ଭ୍ରମିପାରଇ କୋଟିୟେ ଆକାଶ।୪୦।

ସେ ଅଶ୍ୱ ଫେରାଇଲା କ୍ଷେତ୍ରପାଳ ମହାଗ୍ୟାନୀ

ଭୂରିଶ୍ରବା ଅଶ୍ୱକଇଂ ଗଲାକ ତହୁଂ ଘେନି।୪୧।

ରଥର ଡାହାଣେ ଯୋଚା ହୁଅଇ ଅନୁକ୍ଷଣେ

ତେଣୁ ସେ ଦିନକର ନାଥ ୟେ ବରନ୍ତି ପ୍ରତିକ୍ଷଣେ।୪୨।

ଡାହାଣେ ଅଶ୍ୱ ତିନି ବାମେ ଯେ ଅଶ୍ୱ ଚାରି

କ୍ଷେତ୍ରପାଳକଇଂ ଅଶ୍ୱକ ଦିଲେ ଗଗନ ବିହାରୀ।୪୩।

ଶୁଣ ହୋ ଯୁଝେଷ୍ଠି ବୋଲନ୍ତି ଅଶ୍ୱିନୀ

କ୍ଷେତ୍ରପାଳକୁ ସେ ଅଶ୍ୱକୁ ଗଲାକ ତହୁଂ ଘେନି।୪୪।

ସେହି ଅଶ୍ୱ ପିଠିରେ ବସିଲା କ୍ଷେତ୍ରପାଳ

ଦିବାରାତ୍ରେ ନଛାଡଇ କ୍ଷେତ୍ର କାମପାଳ।୪୫।

ଅଶ୍ୱ ପିଠିରେ କରଇ ଭୋଜନ ଶୟନ

ଅଶ୍ୱ ପିଛିରେ ସ୍ରାହାନ ସେ ୟେ କରଇ ଗବନ।୪୬।

ଯହୁଂ ସେ କ୍ଷେତ୍ରପାଳ ନ ଛାଡିଲା ହୟ

ଆଦିତ୍ୟ ମାଗିଲେ ହୋଇ ଅନେକ ବିନୟ।୪୭।

ଅଶ୍ୱମେଧ ଯାଗ ୟେଣୁ ସେ ଅଟଇ ଯେ ଶ୍ରେଷ୍ଠ

ତାହାକଇଂ ନ ଦେଖିଲେ ଭୀମ ହୋୟେ ଯେ ଅନିଷ୍ଠ।୪୮।

ତୁ ଯେ ଅଶ୍ୱ ବାବୁ ଆଣିଲୁ ବେଗେ ମାଗି

ମୁହିଂ ତୋତେ ଦିଲି କଳପ ପରିତ୍ୟାଗି।୪୯।

କ୍ଷେତ୍ରପାଳ ବୋଇଲା ଓହ୍ଲାଇବି ଯେତେବେଳେ

ଭୂମିଗତେ ମୁହିଂ ଭ୍ରମିବି ରବି ତଳେ।୫୦।

ୟେମନ୍ତେ କ୍ଷେତ୍ରପାଳ ଓହ୍ଲାଇଲା ସେ ପିଠିରୁ

ଅନୁବ୍ରତେ ବିଜେ ଭ୍ରମଣି କରୁ କରୁ।୫୧।

ମାଗିନେଇ ଯହୁଂ ନ ଦିଲାକ ଯାଚି

ସାତ ଅଶ୍ୱେ ତହୁଂ ବିଜୟେ ବିରଞ୍ଚି।୫୨।

ବାବୁ ଯୁଝେଷ୍ଠି ଚନ୍ଦ୍ର ୟେକ ଗଲା

ଲିତାୟେ କ୍ଷେତ୍ରପାଳ ଅଶ୍ୱକଇଂ ନ ଛାଡିଲା।୫୩।

ସାତଅଶ୍ୱ ଘେନି ସେ ୟେ ବିରଞ୍ଚି ନାରାୟଣ

ତେଣୁ ପିତାୟେ କଲେ ଉତ୍ତାରାୟଣ ଦକ୍ଷିଣାୟନ।୫୪।

ଛଡ ମାସ ବାମେଣ ତେଣୁ ଚାରି ହୟେ

ପୁଣ ଛଡମାସ ଚାରିହୟେ ଡାହାଣେ ଯୋଚୟେ।୫୫।

ମୋତେ ଦିନେକ ରାଇ ବୋଇଲେ କମଳଲୋଚନ

କୁବଳୟା ଅଶ୍ୱ ତୋର ଦେବୁ କି ନନ୍ଦନ।୫୬।

ମୁହିଂ ତାହା ନାସ୍ତି କଲି ପିତାର କହନ୍ତେ

ଯେମନ୍ତେ କଥାମାନ କହୁଣ ଥିଲି ତୋତେ।୫୭।

କାହାରି ବଚନେ ମୁଂ ନ ଦିଲିତ ହୟେ

ତୋତେ କେମନ୍ତେ ଦେବିଟି ୟେବେ ଧନୁର୍ଜୟେ।୫୮।

କେବେହେଂ ବାରାଶ ତୁ ନ ଛାଡିବୁ କ୍ଷଣେ

ନ ପୁଣ ଅଶ୍ୱ ଯେ ନିଅନ୍ତି ବିରଞ୍ଚିନା ରାୟଣେ।୫୯।

ଅନେକ କହିଂଣ କୁବଳୟା ଅଶ୍ୱକଇଂ ଦିଲେ

ପାଣ୍ଡବନ୍ତ ଅଶ୍ୱିନୀକୁମାର ପ୍ରସନ୍ନ ହୋଇଲେ।୬୦।

ଅଶ୍ୱ ଘେନି ପାଣ୍ଡବେ ଯେ ଆରମ୍ଭିଲେ ଯାଗ

ଅନକୂଳେ କଲେ ସେ ପିତାର ଅନୁରାଗ।୬୧।

ପବନୁଂ ବେଗେ ଗମଇଂ ସେ ଚୋଖାର ତୁରଙ୍ଗ

କଳ୍ପାନ୍ତେ ନ ମରଇ ସେ ଅମର ଯୁଗ ଯୁଗ।୬୨।

ବ୍ୟାସେ ବୋଇଲେ ତୁତ ତ୍ରଇଲୋକ୍ୟ ୟେକ ଦେବ

ଅନନ୍ତ କୋଟି ବ୍ରହ୍ମାଣ୍ଡେ ତୋତେ କେଉଂଣ ଅସମ୍ଭବ।୬୩।

ଅଶ୍ୱିନୀକୁମାରେ ତ ଅଟନ୍ତି ତୁମ ପିତା

ପରମେଷ୍ଠି ଆଦି କରି କେ ଅଛି ତୁମ୍ଭର ବଚନ ମେଣ୍ଟନ୍ତା।୬୪।

ୟେ ଅଶ୍ୱର ତୁଲେ ଯେ ବରଗିବୁ କାହା

ୟେ ଦେବ ଅଶ୍ୱକୁ ପରିମାଣି ଥିବି ତାହା।୬୫।

ବ୍ୟାସେ ବୋଇଲେ ୟେ ଅଶ୍ୱନ୍ତ ଚଳାଇଂ

ତୁଲେଣ ଯାହାନ୍ତୁ ନକୁଳ ସହଦେବ ବେନିଭାଇ।୬୬।

ଯୁଝେଷ୍ଠି ଦେବେ ବୋଇଲେ ଶୁଣ ମହଋଷି

ମୋହୋର ବେଳେ ୟେହାନ୍ତ ନପାରଇ ପେଷି।୬୭।

ଅଛନ୍ତି ଦଇତ ଦାନବ ଅନେକ ରାକ୍ଷସ

ଆଧାର ଲୋଭେ ୟେହାନ୍ତ କରିବେ ପ୍ରାଣନାଶ।୬୮।

ୟେ ଅଶ୍ୱ ଚଳାଇ ପଛେ ଯାଉ ଫାଲଗୁନି

ଆସୁ ରାଜାମାନନ୍ତ ୟେ ନିମନ୍ତ୍ରଣ କରି ଘେନି।୬୯।

ୟେତେ ବୋଲିଣ ତହୁଂ ରାଇଲେ କିରୀଟୀ

ଅନେକ ତିଆରିଣ ବୋଇଲେ ତପୋନିଷ୍ଠି।୭୦।

ତୁ ବାବୁ ଯିବରେ ଅଶ୍ୱ ଘେନିଣ ଆନଥାନେ

ନିମନ୍ତ୍ରଣ କର ତୁ ଆସନ୍ତୁ ରାଜାଗଣେ।୭୧।

ସମସ୍ତ ନୃପତିୟେ ପଡିଲେ ରଣ ମଧ୍ୟେ

କ୍ଷମା ପୋୟେ ସିନା ଅଛନ୍ତି ମହୀ ମଧ୍ୟେ।୭୨।

ଯେମନ୍ତ ଭଗତି ସେ ହୋଅନ୍ତି ବାଳୁତ ରାଜାୟେ

ଅନ୍ତରେ ତାହାନ୍ତ ନ କରାଇବୁ ଭୟେ।୭୩।

ବିଭା ମଙ୍ଗଳ ଉତ୍ସବ ଯାତ୍ରାକାଳ ହୋୟେ ଯେତେବେଳେ

ଅପ୍ରୀତି ଜନକଇଂ ସୋଦ୍ରିମା ପଣ ହୋଇବ ତେତେବେଳେ।୭୪।

ତେବେ ସେ କାର୍ଯ୍ୟଧର୍ମ ସୋଦ୍ରିମା ପଣ ରହଇ

ପଣ୍ଡିତ ଜନ ସିନା କାର୍ଯ୍ୟକାଳେ ସହଇ।୭୫।

ଯାଅସି ତୁମ୍ଭେ ଧନୁର୍ଜୟେ ହଉ ସୁକଲ୍ୟାଣ

ସୁବିଧାନ କରି ରାଜାମାନନ୍ତ ବରିଆଣ।୭୬।

ଆମ୍ଭେ ରହିଥିବୁଟି ବାବୁ ୟେକାମ୍ର କାନନେ

ତହିଂ ପୁଣି ତୋତେ ଭେଟିବୁ ଫାଲଗୁନ୍ୟେ।୭୭।

ୟେସନେକ ସମୟେ ଦୃଭାସା ମହଋଷି

ଅର୍ଜୁନ ସନ୍ନିଧ୍ୟେ ପ୍ରବେଶ ହୋଇଲେକ ଆସି।୭୮।

ଅର୍ଜୁନକୁ ବୋଇଲେ ତୁ ଦିଗ ବିଜେ କରୁଛୁ

ଆମ୍ଭେ ତୋତେ ପ୍ରାପତ କରାଇବା ଦିବ୍ୟ ଚଛୁ।୭୯।

ଶତେ ଯୋଜନେ ଥାଇଂ ଚାହିଂଲେ ଫାଲଗୁନି

ବାରିତ ହୋଇବ ତୋତେ ରାଜାଂକ ସଇନି।୮୦।

ୟେହିଠାରୁ ଯାଅ ତୁହି ୟେକାମ୍ର କାନନେ

ସେ ସ୍ତାନରୁ ଫଳୟେକ ଆଣତୁ ବହନେ।୮୧।

ଧୂରେଣ ଥାଇ ସମସ୍ତ ଦେଖିବୁ ସର୍ବସାଚୀ

ଯେ ଫଳ ଇଚ୍ଛା ତାହାକୁ ଆଣିବୁ ତୁ ବାଛି।୮୨।

ୟେହା ଶୁଣି ଅରଜୁନ ଗଲା ତତକ୍ଷଣି

କାନନରୁ ୟେକ ଗୋଟି ଫଳ ତହୁଂ ଆଣି।୮୩।

ଦୃଭାସାଂକ ହାଥେ ସେହି ଫଳ ଗୋଟି ଦିଲେ

ଦୃଭାସା ଋଷି ସେହି ଫଳ ଗୋଟିକି ମନ୍ତ୍ରିଲେ।୮୪।

ଅର୍ଜୁନ ଧରନ୍ତେ ଫଳ ଶିବଦୁତୀ ମିଳି

ଦିବ୍ୟ ଚଛୁ ଦିଲେ ତାଂକୁ ହୋଇ କୁତୁହଳୀ।୮୫।

ଅର୍ଜୁନକୁ କହିଲେ ତୁ ଶୁଣ ଫାଲଗୁନି

ଶତେ ଯୋଜନେ ତୁ ଦେଖି ପାରିବୁ ସଇନି।୮୬।

ୟେତେ ବୋଲି ତହୁଂ ଚଳିଗଲେ ଶିବଦୁତୀ

ଚଳଇ ଦିଗବିଜେ କରି ବିଚିତ୍ରବୀର୍ଯ୍ୟର ନାତି।୮୭।

ଶ୍ରୀଭୁଜେ ଗାଣ୍ଡିମ ଅଛଇ ତ୍ରୋଣକଷି

ଅନେକ ରତ୍ନ ମଣ୍ଡିଲେ ବାରାସ ତାଦୃଶି।୮୮।

ନାନାବର୍ଣ୍ଣେଣ ଯେ ଚାମର ମଣ୍ଡିତ ବହୁତ

ତଥିର ମଧ୍ୟରେ ଯେ ମୁକୁତା ବନ୍ଧାନେତ।୮୯।

ୟେସନେକ ଅଶ୍ୱ ମଣ୍ଡି ଚଳାଇଣ ଆଗେ

ଚଳଇ ଯୁଗଧର ପବନହୁଂ ବେଗେ।୯୦।

ସାଂକୁଟି ବଟ ତଳେ ତିଆରନ୍ତି ବ୍ୟାସେ

ଲକ୍ଷେ ରାଜା ଆଣିବୁଟି ତୁଳ ବିଛା ଧନୁ ତିନିମାସେ।୯୧।

ମକର ମାସର ମଧ୍ୟେ ହୋଇବ ଆହୂତି

ଯାଆ ଯାଆ ବୋଲି ଆଗ୍ୟାଂ ଦିଲେ ବ୍ୟାସ ମହାଯତି।୯୨।

ପ୍ରଥମରେ ପ୍ରବେଶ ଯାଇଂ ପଚ୍ଛିମ ସୋମନାଥ

ରୁଦ୍ରଗଙ୍ଗାରେ ସ୍ରାହାନ ସାରି ବୀରପାଥ।୯୩।

ଦେଖଇ ଯୋଗେଶ୍ୱର ପ୍ରଥମେ ସୋମକାୟା

କାରଣନାଥ ମୋତେ କରସି ସଦୟା।୯୪।

ଅଭୟେ ନିରାକାର ତୁ ପରମବ୍ରହ୍ମ ଯୋଗୀ

କିଞ୍ଚିତ ଦୋଷେ ନାଥ ମୟାଣ ଦର୍ପ ଭାଞ୍ଜି।୯୫।

ତୁ ଦେବ ଯୋଗେଶ୍ୱର ପରମାନନ୍ଦ ବନ୍ଧୁ

ସଂସାର ଅନ୍ଧକାରକୁ ତୁହି ସେ ଉଦେ ଇନ୍ଦୁ।୯୬।

ସ୍ୱାମୀ ଚତୁର୍ଥ ଯୁଗ ଯାହାକୁ ସହସ୍ରେ ବରଷ

ବ୍ରହ୍ମାଦେବତାକୁ ହୋଅଇ ୟେକଇ ଦିବସ।୯୭।

ୟେ ଦିନ ବ୍ରହ୍ମାଂକର ଶତେକ ବରଷେ

ନାରାୟଣ ଦେବତାଂକୁ ହୋଅଇ ଦଣ୍ଡ ଦିଶେ।୯୮।

ସେହି ଦିନ ନାରାୟଣଂକୁ ହୋଅଇ ଅବଦେ

ତୋତେ ହୋୟେ ସ୍ୱାମୀ ସର୍ବେ ନିମିଷ ଯେ ଅର୍ଧେ।୯୯।

ତୋତେ ଯେବେ ସହସ୍ର ବରଷ ଦେବ ହୋୟେ

ସଚରାଚର ଯାକ ହୋଇବ ପ୍ରଳୟେ।୧୦୦।

ସ୍ୱାମୀ ବିରୁପାକ୍ଷ ରୂପଧରୁ ସଂସାର ତାରଣ ଅର୍ଥେ

ଇଦଂ ଭୂତନାଥ ଚିନ୍ତିବାକ ତୋତେ।୧୦୧।

ୟେ ତୋହୋର ବର୍ଣ୍ଣଚିହ୍ନ ନ ଚିହ୍ନନ୍ତି କେହି

ତେଣୁ କୁଳଗୋତ୍ରରେ ନିର୍ମଳ ମାର୍ଗ ସେହି।୧୦୨।

ମୁଂ ୟେହାର ତଦନ୍ତ ନ ଜାଣଇ ସର୍ବସିଦ୍ଧି

କିଞ୍ଚିତ ଦାନକୁ ତୋହୋର ନ ଅଣାଇ ବାରାନିଧି।୧୦୩।

ସମସ୍ତ ପରକୁ ଦେଇ ଆପଣେ ଇଚ୍ଛିଲ ଲାଙ୍ଗଟା

ଯତନେ ବିବସନ ଶାହୀ ସେ ଲଲାଟେ ପିଙ୍ଗଳଜଟା।୨୦୪।

ତୁ ଦେବ ପରମାନନ୍ଦ ପୁରୁଷଂକ ଉତ୍ତମ

ଜନ୍ମେ ଅଭ୍ୟାସର ତବ ଚରଣେ ଶରଣ ମମ।୧୦୫।

ଅନୁଭବ ସାଧନ ନାଥ ତ୍ରଇଲୋକର ଜୀବ

ବଦୟନ୍ତି ସାରୋଳା ଦାସ ମହାଦେବ ଚରଣେ ସେବ।୧୦୬।୮୧୮।

******

 

ଅଶ୍ୱ ସହିତ ଅର୍ଜୁନର ଚତୁର୍ଦ୍ଦିଗ ଭ୍ରମଣ

Unknown

ଏବଂ

ବବ୍ରୁବାହାନ ସହ ଯୁଦ୍ଧ

 

ଶୁଣ ବଇବସୁତ ମନୁ ବଦୟନ୍ତି ଅଗସ୍ତି

ଅର୍ଜୁନର ବିନୟ ଦେଖି ବିଜୟେ ପଶୁପତି।୧।

ବଇଲେ ଆସନେ ଯେ ବିଜୟେ କାପାଳୀ

ପ୍ରଳମ୍ବିତ ଦୁତୀକୃଷ୍ଣ ପାଦେ କୃତାଞ୍ଜଳୀ।୨।

ବଦୟନ୍ତି ଯୋଗେଶ୍ୱର ଶୁଣସି ବାସବ

ଅଶ୍ୱମେଧ ଯାଗ କି ତୁମ୍ଭେ ଅଛ ହୋ ଆରମ୍ଭି।୩।

ଅଶ୍ୱ ଲକ୍ଷଣ ଦେଖି ଆମ୍ଭେ ବିଚାର ଯେ କଲୁ

ତଦ ନିମନ୍ତେ ତୋତେ ଦେଖିତେ ଅଇଲୁ।୪।

ସ୍ୱାମୀ ପ୍ରସନ୍ନେ ଆଗ୍ୟାଂ ମୋତେ ଦିଅସି ବିଶ୍ୱବାସୀ

ଯା ଯା ବୋଲି ଆଗ୍ୟାଂ ଦିଲେକ ଦେବକାଶୀ।୫।

ଅଲୋପ୍ୟ ଧର୍ମକଇଂ ଆହୋ ଇଚ୍ଛା କଲ ତୁମ୍ଭେ

ମହାଯାଗ ଶାଳାକଇଂ ବିଜେକରୁ ସିନା ଆମ୍ଭେ।୬।

ରାଜାନ୍ତ ନାଶ କଲ ମହାଭାରଥର ଯୁଦ୍ଧେ

ଧର୍ମନାଶ ଯାଇଟି ବାଳୁତ କୁମାରଂକ ବଧେ।୭।

ଯଦ୍ୟପି ଦୁଷ୍ଟ ହୋଇଲେ ବାଳୁତ କୁମାରେ

ୟେହାଂକର ଦୋଷ ତୁ ନ ଧରସି ଶରୀରେ।୮।

ୟେତେ ବୋଲି ବିଜେ କଲେ ଯହୁଂ ଦେବ ବିଶ୍ୱନାଥ

ତହୁଂ ଅଶ୍ୱ ଚଳାଇ ପାଥ ଚଳଇ ପଛିମ ପ୍ରଶସ୍ତ।୯।

ଆକାଶର ଅଶ୍ୱ ସେ ଭୂତଭବିଷ୍ୟ ଗ୍ୟାଂତା

ଅଶ୍ୱ ହୋଇ ଜାଣଇ ସେ ଅନନ୍ତ କୋଟି ଯୁଗର ବାରତା।୧୦।

ସେ ଅଶ୍ୱ ପଶିଲା ଯାଇଂ ପଦ୍ମଦଳ ଦେଶେ

ଚନ୍ଦ୍ର କିରଣ ଜାଣି ଦିଶଇ ବାରାସେ।୧୧।

ଦେବ ଭଣ୍ଡାର ସୁବର୍ଣ୍ଣ ଭୂଷଣ ତାର ଅଙ୍ଗେ

ଚକିତ ଚାଲିବାର ତା ବଡ଼ାଇ ସୁରଙ୍ଗେ।୧୨।

ଜନ ମୋହନ ଯେ ଚଉରାଶି ଲକ୍ଷଣ

ଦେଖିଣ ପ୍ରଜାମାନେ ହୋଇଲେ ତୋଷ ମନ।୧୩।

ରାଜାର ଆଗେ ଯାଇଂ କହିଲେ ଦେଶାଉରେ

ବଡ଼ାଇ ସୁଲକ୍ଷଣ ଅଶ୍ୱେକ ପଶିଲା ଆମ୍ଭର ରାଜ୍ୟରେ।୧୪।

ଅପାର ରତ୍ନଦେବ ଅଛଇ ଖଞ୍ଜିଲା

ଶୁଣି କର୍ଣ୍ଣକେଶରୀ ରାଜା ଆପଣେ ବିଜେକଲା।୧୫।

ଅଶ୍ୱ ଦେଖି ରାଜାର ବସିଲାକ ଲୋଭ ଆଗ

ମନ୍ତ୍ରୀ ଅମନାତ୍ୟନ୍ତ ଘେନି ଅଶ୍ୱକୁ ଧରାଇଲା ବେଗେ।୧୬।

ଅଶ୍ୱ ପ୍ରତିବାକ୍ୟ ଦେବ ଛାଡ଼ ଛାଡ଼ ମୋତେ

ମୁହିଂ ଦେବ ଅଶ୍ୱ ତୁହି ମୋତେ ଧରିନେବୁ କେମନ୍ତେ।୧୭।

କୁମାର ଦେବତାର ମୁଂ ଅଟଇ ଯେ ବାଜୀ

ପାଣ୍ଡବ ଅର୍ଜୁନ ମୋତେ ଆଣିଅଛି ସାଜି।୧୮।

ଅଶ୍ୱର ମୁଖୁଂ ଯହୁଂ ଶୁଣିଲା ୟେସନ ସୁଲଭ

ଭାଳଇ ନରଇନ୍ଦ୍ର ୟେତ ବଡ଼ାଇ ଦୁଲଭ।୧୯।

ଅଶ୍ୱ ହୋଇଂ ଭାଷଇ ମନୁଷ୍ୟର ବାଣୀ

ପାଣ୍ଡବଂକ ନାମ ଧରନ୍ତେ ଛାଡ଼ିଲା ନୃପମଣି।୨୦।

ତାହାର ତହୁଂ ମଣ୍ଡିଲା ଅଶ୍ୱକୁ ଲକ୍ଷେ ରତନ

ଅର୍ଜୁନର ଛାମୁରେ ନେଇ ସମର୍ପଇ ରାଜନ।୨୧।

ଛାମୁରେ କର୍ଣ୍ଣକେଶରୀ ସହସ୍ର ପରିଣାମି

କିଞ୍ଚିତେ ଅନେକ ଦୋଷ ଅର୍ଜିଲି ଦେବସ୍ୱାମୀ।୨୨।

ଶୁଣିଣ ସାନନ୍ଦ ସେ ବୀର ଫାଲଗୁନି

ଅଶ୍ୱମେଧ ଯାଗକୁ ଯାଅ ତୋର ଥାଠ ସନ୍ୟ ଘେନି।୨୩।

ବଦୟନ୍ତି ଅଗସ୍ତି ତୁମ୍ଭେ ଶୁଣ ହୋ ବଇବସୁତ ମନୁ

ପବନ ଗତିରେ ଚଳେ ସେ ବାସବର ତନୁ।୨୪।

ପଛିମ ଦେଶେ ଗମଇ ସେ ଗହନ ବନ କନ୍ଦରେ

ବିଜୟେ ବୀରମଣି ଯାଇଂ ମଗଧ ଦେଶରେ।୨୫।

ନନ୍ଦ ଭୋପାଳ ରାଜା ବୃହଧ୍ୱଜର ପିତା

ୟେହାର ନନ୍ଦନ ସେ ଜରାସନ୍ଧ ଜଗୁଜିତା।୨୬।

ଜରାସନ୍ଧକଇଂ ଯେ ମାଇଲା ବ୍ରିକୋଦର

ଜୟଦେବ ସହଦେବ ବୋଲି ବେନି ସୁତ ଯେ ତାହାର।୨୭।

ତାହାନ୍ତ ରାଜପଦ ଦିଲେ ସେହୁ ରାଷ୍ଟେ

ମହାଭାରଥ ଯୁଦ୍ଧେ ସେ ପଡ଼ିଲେ ସମରାଷ୍ଟେ।୨୮।

ସେ ସହଦେବର ନନ୍ଦନ ମହାଦେବ ନରପତି

ତାହାର ରାଜ୍ୟେ ଅଶ୍ୱ ମିଳଇ ତତକ୍ଷଣାନ୍ତି।୨୯।

ବିଚକ୍ଷଣ ଅଶ୍ୱ ସେ ଅନେକ ରତ୍ନ ଖଞ୍ଜିଲା ଅଛି

ଯୋଦ୍ଧା ହୋଇକରି କେହୁ ସେ ଅଶ୍ୱକୁ ମୁରୁଛି।୩୦।

ଅଶ୍ୱକୁ ଧଇଲା ଯେ ଦୁର୍ମୂଖ ସେନାପତି

ବାରାସ କଇଂ ଦିଲା ନେଇ ସେ ମହାଦେବର କତି।୩୧।

ରାଜାକୁ ଦେଖିଣ ସେହୁ ହସିଲାକ ହୟେ

କୁବଳୟା ନାମ ମୋର ମୋତେ ଆଣିଛି ଧନୁର୍ଜୟେ।୩୨।

ଅଶ୍ୱମେଧ ଯାଗ ୟେବେ କରିବେ ପାଣ୍ଡବେ

ରାଜାନ୍ତ ବରିନେମେ ତହିଂର ନିମନ୍ତେ ଯେବେ।୩୩।

ଶୁଣିଣ ସାନନ୍ଦ ବଡ଼ ହୋଇଲା ମହାରାଜା

ସେ ପାଣ୍ଡବେ ନାଶକଲେ ମୋହୋର ପିତୃଅଜା।୩୪।

ପିତା ପଡ଼ିଲା ମୋର ମହାଭାରଥର ଯୁଦ୍ଧେ

ମାରିବି ପାଣ୍ଡବନ୍ତ ମୋହୋର ବଂଶ ବଧ କ୍ରୋଧେ।୩୫।

ୟେତେ ବୋଲି ଅଶ୍ୱକଇଂ ଦୃଢ଼କରି ଧରି

ଅର୍ଜୁନ ବାଟ ଚାହାଂଇ ସେ ବେଳ ପଞ୍ଚଦଶ ଘଡ଼ି।୩୬।

ବାଟ ଚାହଂନ୍ତେଣ ତହିଂ ଅଶ୍ୱ ନୁଆସଇ

ୟେକସରେ ଅର୍ଜୁନ ସେ ରାଜ୍ୟରେ ପଶଇ।୩୭।

ଦେଖିଣ ଓଗାଳିଲେ ତାଂକୁ ଅନେକ ସଇନି

ନାରାଜ ବିଘାତେ ତାହାନ୍ତ ହାଣିଲା ଫାଲଗୁନି।୩୮।

ୟେକଇ ପ୍ରହାରକେ ଅନେକ ସନ୍ୟମାନ ଲୋଟି

ଦେଖିଣ ରାଜ ଇନ୍ଦ୍ର ସେ ଆପଣେ ରଣେ ଉଠି।୩୯।

ଅର୍ଜୁନ ବୋଇଲା ହୋ ଶୁଣିମାକ ତୁମ୍ଭେ

ରାଜାନ୍ତ ନିମନ୍ତ୍ରଣ କରି ଆସିଅଛୁ ଆମ୍ଭେ।୪୦।

ଅଦୋଷେ ନାଶନ କର ତୁହି ସନ୍ୟବଳ

ସନ୍ୟବଳ ଘେନି ତୁମ୍ଭେ ଅଶ୍ୱମେଧ ଯାଗ ଚଳ।୪୧।

ମନ୍ତ୍ରୀ ବୁଝାଇଲା ତୁମ୍ଭେ ଶୁଣ ହୋ ନରପତି

ତ୍ରଇଲୋକ୍ୟର ମଧ୍ୟେ ଯେ ଅଟଇ ୟେକଛତ୍ରୀ।୪୨।

ସମସ୍ତ ମହିମାଂଯହୁଂ ଶୁଣିଲାକ ରାୟେ

ଜାଣିଣ ମହାଦେବ ଦ୍ରଶନ ଯାଇଂ କୟେ।୪୩।

ନିମନ୍ତ୍ରଣ କରି ଯେ ବୋଲଇ ଫାଲଗୁନି

ୟେହିକ୍ଷଣି ଚଳ ତୋର ମନ୍ତ୍ରୀ ଅମନାତ୍ୟ ଘେନି।୪୪।

ଲକ୍ଷେ ରାଜା କର ତୁଲେ ତୁ ଘେନ ଅର୍ଘ୍ୟଧାର

ଚଳଇ ମହାଦେବ ହସ୍ତିନା ନାମେ ପୁର।୪୫।

ତହୁଂଣ ଅର୍ଜୁନ ଗଲା ଅଶ୍ୱ ବେଗେ ଚଳାଇ

ଭାନୁବନ୍ତପୁରେ ପଶିଲାକ ସେହୁ ଯାଇଂ।୪୬।

ଅଭୟେ ମନୁ ବୋଲି ତହିଂର ନୃପତି

ଅଶ୍ୱକଇଂ ଦେଖି ଆସି ବେଢିଲେ ଚଉକତି।୪୭।

ଅପୂର୍ବ ହୟେ ଦେଖି ଧରିତେ କରନ୍ତି ଇଚ୍ଛା

ଅଶ୍ୱ ବୋଇଲା ତୁହୋ ରାଜନ ନକର ମୃତୁକୁ କଇଚ୍ଛା୪୮

ପାଣ୍ଡବେ କରନ୍ତି ଯେ ଅଶ୍ୱମେଧ ଯାଗ

ଯୋଦ୍ଧାନ୍ତ ଘେନିଣ ରାୟେ ଚଳିଯାଅସି ବେଗ।୪୯।

ଅର୍ଜୁନ ରହିଛନ୍ତି ଗଙ୍ଗାନଦୀ କୂଳେ

ଶୁଣିଣ ଦଣ୍ଡ ଘେନି ଚଳଇ ମହୀପାଳେ।୫୦।

ଅନେକ ପୂଜା ରାୟେ କରଇ ଫାଲଗୁନି

ବହୁତ ସମ୍ଭରେ ସେ କରଇ ବିନୟ ଦୟିନୀ।୫୧।

ନିମନ୍ତ୍ରଣ କରି ପାଥ କହଇ ସର୍ବ କଥା

ସମଦଣ୍ଡ ଘେନି ହସ୍ତିନାକୁ ଚଳ ହୋ ମହାରଥା।୫୨।

ଅଶ୍ୱମେଧ ଯାଗର ଯେମନ୍ତ ବିଧାନ

ଅନେକ ରତ୍ନମାନ ମଣ୍ଡିଲେ ହୟେମାନ।୫୩।

ଅଶ୍ୱ ଯୋଦ୍ଧାମାନେ ତହୁଂ ସର୍ବେ ଚଳିଯାନ୍ତି

ରଥ ଗଜ ଆଉ ନାହିଂ ସଇନି ପାଦାନ୍ତି।୫୪।

ଶୁଣ ଆହୋ ଚଇତନ ବେଲାଉଳ ଦେଶେ ବିଜୟେ ସର୍ବସାଚୀ

ଦେବ ଅଶ୍ୱ ଦେଖି ନରେନ୍ଦ୍ର ମନେ ମନେ ପାଞ୍ଚି।୫୫।

ଅଶ୍ୱ ବୋଇଲା ମୁଂ ଅର୍ଜୁନଂକର ହୟେ

ଅଶ୍ୱମେଧ ଯାଗକୁ ତୁମ୍ଭେ ଚଳହୋ ମହାରାୟେ।୫୬।

ଅର୍ଜୁନହିଂ ବିଜେକଲେ ଅଶ୍ୱର ପଛେ ପଛେ

ରାଜାକଇଂ ଅର୍ଘ୍ୟ ନେଇ ଦିଲାକ ବିବତ୍ସେ।୫୭।

ମୁଣୋହି ଯୋଗାଡ଼ କରି ଲୋଡ଼ଇ ଯେ ରାୟେ

ନାସ୍ତି କରି ତହୁଂ ଚଳଇଧନୁର୍ଜୟେ।୫୮।

ଯେବଣ ନୃପତିର ଯେବଣ ଅଶ୍ୱ ଅଛଇ

ସମସ୍ତ ଘେନିଯିବ ବୋଲି ବୋଲଇ ବିବତ୍ସଇ।୫୯।

ତହୁଂଣ ଡାହାଳ ଦେଶରେ ଯାଇଂ ପାଇ

ଅଶ୍ୱକୁ ଦେଖି ସେ ରାଜା ମନରେ ହରଷ ହୋଇ।୬୦।

ଅଶ୍ୱକୁ ଧଇଲେ ସେ ସୁରବର ରାୟେ

ଅଶ୍ୱ ବୋଇଲା ହୋ ଆସୁଛନ୍ତି ପଛେ ଧନୁର୍ଜୟେ।୬୧।

ଶୁଣିଣ ଡାହାଳେଶ୍ୱର ଅଶ୍ୱକୁ କଲା ପୂଜା

ସନ୍ନିଧ୍ୟେ ପ୍ରବେଶ ଆସି ଇନ୍ଦ୍ରର ଆତ୍ମଜା।୬୨।

ଅନେକ ଗଉରୋବ କଲା ପଣ୍ଡୁର ତନୁଜା

ଅର୍ଜୁନ ବୋଇଲେ ହସ୍ତିନା ଯାଅ ରାଜା।୬୩।

ପାଞ୍ଚକୋଟି ତୁରଙ୍ଗମ ଘେନିଣ ଡାହାଳ

ପ୍ରଚଣ୍ଡ ମଣ୍ଡଳ କରି ଚଳଇ ମହୀପାଳ।୬୪।

କ୍ଷୀର ଦେଶେ ପ୍ରବେଶ ହୋଇଲା ଫାଲଗୁନି

ଅଶ୍ୱ ପଶିଲା ଦେଶେ ଅନେକ ରତ୍ନଘେନି।୬୫।

ଧ୍ରୁବସେନ ବୋଲି ତହିଂର ନୃପତି

ସେ ରାଜା ଅଶ୍ୱକୁ ଯାଇଂ ଧଇଲାକ ଧାତି।୬୬।

ଅଶ୍ୱ ବୋଇଲା ମୋତେ ନ ଧର ହୋ ରାୟେ

ଅଶ୍ୱମେଧ ଯାଗ ନିମନ୍ତେ ଦିଗନ୍ତମାନ ବିଜୟେ ଧନୁର୍ଜୟେ।୬୭।

ଶୁଣିଣ ସାନନ୍ଦ ସେ କ୍ଷୀର ଦେଶର ରାଜା

ଅନେକ ସମ୍ଭର୍ବେ ଅଶ୍ୱକଇଂ ରାୟେ କଲା ପୂଜା।୬୮।

ଅର୍ଜୁନ ବିଜୟେ ଯେ କଲା ତହିଂ ଯାଇଂ

ଅନେକ ଭଗତି ହୋଇଲା ନରସାଇଂ।୬୯।

ନିମନ୍ତ୍ରଣ ବେଭାର ସେ କରଇ ବିବତ୍ସି

ଚଳିଣ ଯାଅ ତୁମ୍ଭେ ଅଶ୍ୱମେଧ ଯାଗକୁ ଯେତେକ ସନ୍ୟ ଅଛି।୭୦।

ଶୁଣି ନରେନ୍ଦ୍ର ଅଶ୍ୱବଳ ସାଜି

ତୁଲେଣ ଘେନିଲା ଯେ ଦଶଲକ୍ଷ ବାଜୀ।୭୧।

ଅଶ୍ୱମେଧ ଯାଗକୁ ଚଳିଲା ନରପତି

ସମସ୍ତ ରାଜାମାନେ ସମ୍ଭରେ ଚଳିଯାନ୍ତି।୭୨।

ମାଧୁର୍ଯ୍ୟ ଦେଶର ରାଜା ମାଧବସେନ ରାୟେ

ତାହାର ରାଜ୍ୟରେ ଯାଇ ପଶିଲାକ ହୟେ।୭୩।

ଅଶ୍ୱକୁ ଧରନ୍ତେ ସେକ ହିଲା ସର୍ବକଥା

ପାଣ୍ଡବଂକ ଅଶ୍ୱମେଧ ଯାଗର ବାରତା।୭୪।

ଅର୍ଜୁନକଇଂ ଦ୍ରଶନ କରଇ ଯାଇ ରାଜା

ଅରଜୁନ ବୋଲଇ ରାଜା ତୋର ଅଶ୍ୱବଳ ଘେନି ଯା ଯା।୭୫।

ସକଳ ଅଶ୍ୱନ୍ତ ସେ କରିଣ ରତ୍ନମୟେ

ଚଳଇ ଇନ୍ଦ୍ର ପ୍ରଶସ୍ତେ ମାଧବସେନ ରାୟେ।୭୬।

ତହୁଂଣ ଅର୍ଜୁନ ଯେ ଅଶ୍ୱନ୍ତ ଚଳାଇ

ମାନଭଙ୍ଗ ଦେଶେ ପ୍ରବେଶ ହେଲା ଯାଇ।୭୭।

ଧୀର ଅର୍ଜୁନ ବୋଲି ତହିଂର ନୃପତି

ତାହାର ରାଜ୍ୟେ ଅଶ୍ୱ ପଶିଲା ଯାଇଂ ଧାତି।୭୮।

ଧରନ୍ତେ ତାହାକଇଂ କହିଲା ସର୍ବ ହୟେ

ଶୁଣିଣ ପୂଜାକଲା ଅର୍ଜୁନ ମହାରାୟେ।୭୯।

ନିମନ୍ତ୍ରଣ ଯୋଗାଡ଼ ଦିଲାକ ଅର୍ଜୁନ

ଅଶ୍ୱ ଘେନିଣ ତହୁଂ ସେ ଚଳଇ ବହନ।୮୦।

ଅସକନ୍ଦ ବନର ରାଜା ନାମ ବୃହନାଳୀ

ଅଶ୍ୱ ଘେନିଣ ଅର୍ଜୁନ ତାହାର ରାଜ୍ୟେ ମିଳି।୮୧।

ଅଶ୍ୱକଇଂ ଧରନ୍ତେ ତ ସେ କହିଲା ସର୍ବ କଥା

ଅଶ୍ୱବଳ ଘେନି ତହୁଂ ଯାଗକୁ ଚଳିଲା ମହାରଥା।୮୨।

ନନ୍ଦୀବନେ ଯାଇଂ ବିଜୟେ ସର୍ବସାଚୀ

ନନ୍ଦିକେଶ୍ୱର ରାଜା ତହିଂ ବିଜେ କରିଅଛି।୮୩।

ସେ ନନ୍ଦିକେଶ୍ୱର ରାଜା ରୁହାଇଲେ ଅର୍ଜୁନକୁ

ଅମୃତ ସମ ଭୋଜନ ଦିଲେ ଯେ ତାହାଂକୁ।୮୪।

ଯଥାବିଧିରେ ସେ କରାନ୍ତି ଭୋଜନ

ଆଞ୍ଚୋବନ ସାରି କର୍ପୂର ତାମ୍ବୋଳ ଭକ୍ଷଣ।୮୫।

ନନ୍ଦିକେଶ୍ୱର ରାଜା ତାଂକୁ କହିଲେ ପରମାର୍ଥ

ଭୋଜନ ସଞ୍ଚା ଘେନି ଯାଇଥାଅ ୟେଥ।୮୬।

ଅମୃତ ଲଡ଼ୁ ଥୋକାୟେକ ଦିଲେ ମହାଯତି

ୟେହାକୁ ନିଅ ଯତନେ ପିପାସା ନୁଆସଇ ତୋର କତି।୮୭।

ନନ୍ଦିକେଶ୍ୱରେ ସମାର୍ଜଇ ବୀର ପାଥ

ଉଡ଼ଙ୍ଗ ଦେଶରେ ଯାଇ ବିଜୟେ ତୁରିତ।୮୮।

ତାହାନ୍ତ ନିମନ୍ତ୍ରଣ କରି ଚଳଇ ବହନ

ବିରାଳାଖ୍ୟ ଦେଶରେ ଯାଇ ପଶଇ ଅର୍ଜୁନ।୮୯।

ରାଜାଂକୁ ଚଳାଇ ତହୁଂ ଚଳଇ ଧନୁର୍ଜୟେ

କାମପୁର ନଗ୍ରେ ଯାଇଂ କଲେକ ବିଜୟେ।୯୦।

କନ୍ଦର୍ପ ରାଜାକୁ ଯାଇଂ କରଇ ନିମନ୍ତ୍ରଣ

ଅଶ୍ୱ ଘେନିଣ ରାଜାତୁ ଚଳ ହୋ ୟେହିକ୍ଷଣ।୯୧।

କଳିଙ୍ଗ ଦେଶେ କଳିଙ୍ଗସେନକୁ ନିମନ୍ତି

ତହୁଂ ଚଳିଯାଇ ସେ ବୀରବର ସୁତ କୋନ୍ତୀ।୯୨।

ମହାନ୍ଦ୍ର ଦେଶର ଯେ ଯୋଗେଶ୍ୱର ରାଜା

ସନ୍ୟଘେନିଣ ତୁହୋ ବହନ ଚଳି ଯା ଯା।୯୩।

ତହୁଂଣ ଚଳଇ ଯେ ବୀର ଫାଲଗୁନି

ଚଉମଣ୍ଡଳ ଦେଶେ ପଶଇ ଅଶ୍ୱ ଘେନି।୯୪।

ପାଣିମଣ୍ଡଳ ଘେନି ଯେ କାଞ୍ଚି ନଗ୍ର ତିନି

ସେ ରାଜ୍ୟରେ ଅର୍ଜୁନ ଯେ ପଶଇ ଅଶ୍ୱ ଘେନି।୯୫।

ଲକ୍ଷଣବନ୍ତ ହୟ ବୋଲି ଧଇଲେ ନରେନ୍ଦ୍ର

ଅଶ୍ୱ ବୋଇଲା ରାଜାୟୟେ ମୋତେ ଧଇଲେ ହୋଇବ ଅନେକ ଦ୍ୱନ୍ଦ।୯୬।

ବୋଲଇ ମହୀପତି ମୋତେ ତ୍ରଇଲୋକ୍ୟେ କେହୁ ସରି

ଅତି ଲକ୍ଷଣବନ୍ତ ହୟେ ତୋତେ କେହୁ ମୂର୍ଚ୍ଛି ପାରି।୯୭।

ବାଟ ଚାହିଂଣ ପାଥ ୟେଣେ ବିରସ ହୋଇଲା

ୟେତେବେଳେ ପରିଯନ୍ତେ ଅଶ୍ୱ କିମ୍ପାଇ ନଇଲା।୯୮।

ଧନୁଶର ଭାରତୀ ଘେନିଣ ସର୍ବସାଚୀ

ରାଜ୍ୟ ଭିତରକୁ ବୀର ପଶିଣ ଯାଉଅଛି।୯୯।

ଅର୍ଜୁନ ବୋଲନ୍ତି ଆରେ ଶୁଣ ଦେଶାଉର

ଯାଇଂ କହ ତୋର ରାଜାର ଛାମୁର।୧୦୦।

ପାଣ୍ଡବଂକ ଅଶ୍ୱମେଧ ଯାଗ ବୋଲି କହ

ଆକାଶର ଅଶ୍ୱକଇଂ ବେଗେ ଛାଡ଼ିଦିଅ।୧୦୧।

ରାଜାର ଅଗ୍ରତେ ଯାଇ କହିଲେ ଚାରଗଣ

ବୋଲଇ ମହୀକେଶରୀ ତାର ଶିର ଛେଦି ଆଣ।୧୦୨।

ରାଜାର ବଚନେ ଗଲେ ଯୋଦ୍ଧା ବେନି କୋଟି

ଶତେପୁର କରି ଆସି ବେଢ଼ିଲେ କିରୀଟୀ।୧୦୩।

କାମ୍ୟେକ ଶରେ ଅର୍ଜୁନ ବେଗେ ତାଂକୁ ଭେଦି

ବେନିକୋଟି ଯୋଦ୍ଧାକଇଂ ଶିର ପକାଇଲା ଛେଦି।୧୦୪।

ଜଗତୀରେ ଥାଇଂ ତାହା ଦେଖିଲା ଭୂଅପାଳ

ଆପଣେ ବାହିଲା ଘେନି ତୁଲେ ଚତୁରଙ୍ଗ ବଳ।୧୦୫।

ଅଶ୍ୱେକ ଚଢ଼ିଣ ମିଳିଲା ଯାଇଂ ଅର୍ଜୁନର ପାଶ

କିମ୍ଭୂତେ ସଇନି ମୋର କଲୁ ଯେ ବିନାଶ।୧୦୬।

ଅର୍ଜୁନ ବୋଇଲା କିମ୍ପେ ଧଇଲୁ ଦେବ ହୟେ

ସେ ଅଶ୍ୱେ ଧଇଲେ ହୋ ନ ସହନ୍ତି ଦେବତାୟେ।୧୦୭।

ମହୀକେଶରୀ ବୋଇଲା ତୁ ଅଶ୍ୱମେଧ ଯାଗକରି

ବେଳେକ ନ ସହିଲୁ କିମ୍ପେ ୟେତେ ସନ୍ୟ ମୋର ମାରି।୧୦୮।

ତୁହି ଯେବେ ସନ୍ୟ ମୋର କଲୁ ୟେଥେ ନାଶ

ତିରଣ ପ୍ରମାଣେ କରି କାଟିବି ତୋର ମାଂସ।୧୦୯।

ୟେମନ୍ତ ଶୁଣି ହାବୋଡ଼ା ଶରେକ ଯେ ମାଇଲା ଅରଜୁନ

ଅଶ୍ୱ ଉପରେ ପଡ଼ିଲା ସେ ରାଜା ହୋଇଣ ଉତ୍ତାନ।୧୧୦।

ରାଜାର ପଡ଼ନ୍ତେ ବହୁତ ପଳାଇଲେ ସଇନି

ଆରେ ରହ ରହ ବୋଲି ଡାକ ଦିଅଇ ଫାଲଗୁନି।୧୧୧।

ଶ୍ରୀକରେ ପାଶେକ ଘେନିଣ ଅର୍ଜୁନ

ମହୀକେଶରୀ ରାଜାଂକୁ କଲେକ ବନ୍ଧନ।୧୧୨।

ଶିର ଛେଦନ୍ତେ ସେ ପ୍ରଣପତ୍ୟ ଅମନାତ୍ୟେ

ରଖ ହୋ ପାଥ ବୋଲି ବୋଲନ୍ତି ପାତ୍ର ଯେ ସାମନ୍ତେ।୧୧୩।

ରାଜାର ଶିରଛେଦନ୍ତେ ହତ୍ୟାଦୋଷ ହୋଇବ ବହୁତ

ଭୋ ଦେବ ୟାହାକୁ ଛାଡ଼ିଦିଅ ବୀର ପାଥ।୧୧୪।

ରାଜାଂକୁ ତୁମ୍ଭର ଘେନିଯାଅ ୟେହିମତେ

ଯାଗ ବରଣେ ଯାଉଛନ୍ତି ରାଜାୟେ ତାହାଂକ ସଙ୍ଗତେ।୧୧୫।

ୟେହି ବିଧାନ କରିଣ ତ ତୁମ୍ଭେ ରାଜାକଇଂ ଘେନିଯିବ

ବାଟରେ ଫେଡ଼ିଲେ ଶିରଚ୍ଛେଦନ ହୋଇବ।୧୧୬।

ବନ୍ଧନ କରିଣ ନିଅନ୍ତେ ତାର ଯୋଦ୍ଧାମାନେ

ଦେଖିଣ ସମସ୍ତ ରାଜାୟେ ଭୟକଲେ ମନେ।୧୧୭।

ଶୁଣ ବଇବସୁତ ମନୁ ବଦୟନ୍ତି ଅଗସ୍ତି

ଭୟେଣ ଚଳନ୍ତି ସମସ୍ତ ଦେଶର ମହୀପତି।୧୧୮।

ଅନେକ ଧନରତ୍ନ ମଣ୍ଡନ୍ତି ହୟମାନ

ଶ୍ୱେତ ଚାମର ଡାଳିମ୍ବା ଲମ୍ବନ୍ତି ନାନାବର୍ଣ୍ଣ।୧୧୯।

ପାଟ ପତନୀ ଯେ ସିନ୍ଧୁଆ ନେତମାନ

ଲମ୍ବନ୍ତି ଗଜମୁକୁତା ମାଣିକ୍ୟ ମଣିମାନ।୧୨୦।

ପଛିମେ ଦୁଇଉଣା ପଞ୍ଚାଶ ସହସ୍ର ରାୟେ

ସମସ୍ତ ରାଜାନ୍ତ ପଠିଆଇଲେ ଧନୁର୍ଜୟେ।୧୨୧।

ଦକ୍ଷିଣ ସାତସହସ୍ର ରାଜା ୟେକ ଊଣା ଯୁଗତେ

ଅଶ୍ୱ ଚଳାଇ କରିଯାଆନ୍ତି ୟେହିମତେ।୧୨୨।

ପୂର୍ବ ଦିଗର ତିନି ସହସ୍ର ନୃପତି

ଅଶ୍ୱନ୍ତ ଚଳାଇ ପାଥ ରାଜାନ୍ତ ନିମନ୍ତ୍ରି ସବୁନ୍ତି।୧୨୩।

ଗଙ୍ଗାପୁର ବିରୁପାକ୍ଷ ବୋଲି ରାୟେ

ତାହାର ନଗ୍ରେ ଯାଇଂ ପଶିଲାକ ହୟେ।୧୨୪।

ଦିବ୍ୟ ଅବତାର ରୂପ ଦିଶଇ ବାରାସ

ଲକ୍ଷେଭଣ୍ଡାର ଧନ ତାର ଶରୀରେ ବିକାଶ।୧୨୫।

ଲୀଳାଗତି କରି ଅଶ୍ୱଚଳଇ ରାଜ୍ୟର ଭିତରେ

ଧରିନେଇ ଅଶ୍ୱ କଲେ ରାଜାର ଛାମୁରେ।୧୨୬।

ଅଶ୍ୱ ଦେଖି ରାଜା ଚନ୍ଦ୍ରଶାଳା ପୁରେ ଥୋଇ

ଅଶ୍ୱ ବୋଇଲା ରାଜା ଛାଡ଼ିଦିଅ ମୁକୁଇଂ।୧୨୭।

ଆକାଶର ଅଶ୍ୱ ମୋତେ ଅର୍ଜୁନ ମର୍ତ୍ତ୍ୟପୁରେ ଆଣି

ତୋହୋର ରାଜ୍ୟରେ ଅରିଷ୍ଟି ପଡ଼ିବ ୟେହିକ୍ଷଣି।୧୨୮।

ତିନିଦିଗ ନିମନ୍ତ୍ରଣ କରି ଅଇଲେନି ପାଥ

ତିନି ଉତ୍ତର ତିନିସହସ୍ର ରାଜା ହୋଇଲେ ନିପାତ।୧୨୯।

କହନ୍ତେଣ ଅର୍ଜୁନ ରାଜ୍ୟରେ ତାର ପଶି

ଦେଖିଣ ଯୋଦ୍ଧାମାନେ ଆଗେ ଓଗାଳିଲେ ଆସି।୧୩୦।

ପାଞ୍ଚଅହିବ୍ରତ ଯୋଦ୍ଧା କଲେ ଆବରଣ

ଦେଖିଣ ଅର୍ଜୁନ ଯେ ପେଶିଲେ ହାବୋଡ଼ା ଶର ବାଣ।୧୩୧।

ସମସ୍ତେ ପଡ଼ିଲେ ଯେ ଉତ୍ତାନଶାୟୀ ହୋଇ

ନିଚେଷ୍ଟ ହୋଇଲେ ଯେ କାହାରି ଗ୍ୟାନ ନାହିଂ।୧୩୨।

ଯାଗଧର୍ମ ନିମନ୍ତେ ପାଥ ନମାରିବ ପ୍ରାଣେ

ଦେଖଇଣ ନରେନ୍ଦ୍ର ଯେ ଆସଇ ଆପଣେ।୧୩୩।

ଦଶ ସହସ୍ର ଯୋଦ୍ଧା ଘେନିଣ ମହୀପତ୍ୟେ

ଅର୍ଜୁନକଇଂ ବେଢ଼ିଲେ କରିଣ ପୁରଶତେ।୧୩୪।

ଅବିଚ୍ଛନ୍ନେ ନାରାଜ ପେଷଇ ଫାଲୁଗନି

ମୋହାଶରେ ପଡ଼ିଲେ ବିରୁପାକ୍ଷର ସଇନି।୧୩୫।

ରାଜାହିଂ ପଡ଼ିଲେ ସହସ୍ର ଜାଳାଘାୟେ

ଆସାଷ୍ଟମ ହୋଇଣ ପଡ଼ିଲାକ ମହାରାୟେ।୧୩୬।

ରାଗେଣ ବିଜେୟେ କର୍ଣ୍ଣକଟାର ଘେନି ପାଥ

କେଶ ଆକ୍ରେଷି ବୋଇଲା ଛେଦିବି ୟେହାର ମାଥ।୧୩୭।

କୁବଳୟା ନାମେ ଯେବଣ ଦେବ ଅଶ୍ଵ

ସେ ବୋଇଲା ଅନ୍ୟୋଅନ୍ୟେ ନକର ବିନାଶ।୧୩୮।

ଅଶ୍ଵର ବଚନେ ସେ ଛାଡ଼ିଲେ ତତକ୍ଷଣେ

ଦଶ ଲହ ମୁଖେ ଭରି ରାଜା ପଶଇ ଶରଣ୧୩୯।

କ୍ରୋଧଶାନ୍ତି କରି ନିମନ୍ତ୍ରଣ ଯୋଗାଡ଼ ଦିଲେକ ଫାଲଗୁନି

ଅଶ୍ଵମେଧ ଯାଗେ ଯାଅ ତୋର ଥାଠ ସନ୍ୟଘେନି।୧୪୦।

ତହୁଂ ଉତ୍ତର ଦିଗରେ ଚଳଇ ଫାଲଗୁନି

ତ୍ରିଗର୍ତ୍ତ ରାଜ୍ୟେ ପ୍ରବେଶ ହୋଇଲେ ବହନ।୧୪୧।

ତ୍ରିଗର୍ତ୍ତର ପୁତ୍ର ବ୍ରହ୍ମଗତ ବୋଲି ରାଜା

ଅଶ୍ଵକୁ ଦେଖି ସେ ଅନେକ କଲା ପୂଜା।୧୪୨।

ନିମନ୍ତ୍ରଣ ଘେନି ଯେ ଚଳଇ ଅଶ୍ଵତୁଲେ

ଇନ୍ଦ୍ରପ୍ରଶସ୍ତରେ ରାଜା ଯାଇଂଣ ବିଜେକଲେ।୧୪୩।
ଅରିବିନ୍ଦ ଦେଶକୁ ବିଜୟେ ଧନୁର୍ଜୟେ

ଦେଖିଣ ପୂଜାକଲା ମାଧବସେନ ରାୟେ।୧୪୪।
ଅଶ୍ଵମାନନ୍ତ ଘେନି ଯାଅ ଯାଅ ବହନ

ତହୁଂଚଳଇ ସେ ଯେ ବାସବ ନନ୍ଦନ।୧୪୫।

ମନ୍ଦାର ଦେଶରେ ବିଜୟେ ଫାଲଗୁନି

ଚଉରାଶି ସହସ୍ର ରାଜାମାନନ୍ତ ସଙ୍ଗେ ଘେନି।୧୪୬।

ମନ୍ତ୍ରୀ କହନ୍ତେଣ ଜାଣିଲା ନରପତି

ଧନେଣ ପୂଜାକଲା ଧର୍ମସେନର ନାତି।୧୪୭।

ନିମନ୍ତ୍ରଣ ପାଇଣ ସେ ଚଳଇ ଅଶ୍ଵଘେନି

ଚଳଇ ମହାରାଜା ତୁଲେ ଘେନିଣ ସଇନି।୧୪୮।

ନିମନ୍ତ୍ରଣ ପାଇଣ ସେ ହସ୍ତିନାକୁ ଗଲେ

ତହିଂ କୁଶମଣ୍ତଳେ ଅର୍ଜୁନ ପ୍ରବେଶ ହୋଇଲେ।୧୪୯।

ସେ ରାଜ୍ୟ ରାଜାକୁ ପୂଜାକରି ପେଶିଲେ ଯାଗକୁ

ତହୁଂ ଅର୍ଜୁନ ଚଳିଲେ ପଞ୍ଚାଳ ରାଜ୍ୟକୁ।୧୫୦।

ପଞ୍ଚାଳ ଦେଶରେ ଯାଇ ବିଜୟେ ଧନୁର୍ଜୟେ

ଦେଖି ମଧୁକେଶର ନଗ୍ରେ ଅନେକ ଉତ୍ସବ କରାୟେ।୧୫୧।

ମୁଣୋହି କରଇ ତହିଂ ବୀର ସର୍ବସାଚୀ

ଦ୍ରୁପଦ ନାତି ଧୃଷ୍ଟଦ୍ୟୁମନର ସୁତ ମଧୁକେଶର ତହିଂ ରାଜ୍ୟ କରୁଅଛି।୧୫୨।

ନିମନ୍ତ୍ରଣ ପାଇ ଚଳଇ ନରନାଥ

ନିମନ୍ତ୍ରଣ ଘେନିଲା ତାର ଯୋଦ୍ଧା ଅଶ୍ଵମାନନ୍ତ।୧୫୩।

ଶିବପୁର ନଗ୍ରେ ପାଥ ଚଳଇ ତଡ଼ତି

ବିଷ୍ଣୁକର ପଣ୍ଡା ତହିଂ ରାଜ୍ୟ କରୁଛନ୍ତି।୧୫୪।

ଅଶ୍ଵ ପଶନ୍ତେଣ ଧଇଲା ତତକ୍ଷଣେ

ରତ୍ନମାଳା କାଞ୍ଚନ କାଢ଼ି ଘେନିଲା ବ୍ରାହ୍ମଣେ।୧୫୫।
ଅଶ୍ଵ ବୋଇଲା ତୁହେ ଶୁଣସି ବିଷ୍ଣୁକର

ମୁହିଂ ହାଦେ ଦିଗବିଜେ କରଇ ପାଣ୍ଡବଂକ ସଙ୍ଗତର।୧୫୬।

ମତ୍ତଗର୍ବେ ତାହା ନଶୁଣଇ ଦ୍ଵିଜ

ଧନସ୍ରବ ଚାମର ସବୁ କଲାକ ଗ୍ରାହିଜ।୧୫୭।

ଅଶ୍ଵର ବିଳମ୍ବ ଦେଖିଣ ବୀରବର ପାଥ

ରାଜ୍ୟେ ପ୍ରବେଶ ହୋୟେ ଧନୁ ଶହସ୍ର ହାଥ।୧୫୮।

ଉପାଧି ଯୋଦ୍ଧା ଦେଖି ଧାଇଂଲେ ବ୍ରାହ୍ମଣେ

ବେଢ଼ିଲେ ଅର୍ଜୁନକୁ ବିନ୍ଧିଲେ ଯନ୍ତ୍ରବାଣେ।୧୫୯।

କ୍ରୋଧେ ତୁମ୍ବୁର ଶହସ୍ରେକ ବିନ୍ଧିଲାକ ସର୍ବସାଚୀ

ମୋହେଣ ଦ୍ଵିଜବରେ ପଡ଼ିଗଲେ ନଚେତନ୍ତି କିଛି।୧୬୦।

ସଇନି ନିଚେଷ୍ଟ ଦେଖିଣ ବିଷ୍ଣୁକର

ଆପଣେ ବିଜେକଲେ ପାଞ୍ଚଲକ୍ଷ ବଳ ଯେ ସଙ୍ଗର।୧୬୧।

ମକ୍ରକେତନ ପ୍ରାୟେକ ଦିଶଇ ସବଂକରି କାୟେ

ଦିଶଇ ବିଷ୍ଣୁକର ଅଳକାପତି ପ୍ରାୟେ।୧୬୨।

ଉଚ୍ଚସର୍ବା ପ୍ରାୟେକ ଆରୋହୀ ବାରାସ

ଅର୍ଜୁନ ଛାମୁରେ ଆସି ବିଜେକଲେ ବିଷ୍ଣୁଦାସ।୧୬୩।

ଅନେକ ବୀରତୂର ଟମକ ନିଶାଣ ବାଜେଣି

ଦେଖିଣ ବିଚାରଇ ଯେ ବୀର ଫାଲଗୁନି।୧୬୪।

ବୁଷ୍ଣୁକର ପଣ୍ଡାୟେ ମୋତେ ନୁଆରିଲ ଚିହ୍ନି

ମୁହିଂ ସେ ଅର୍ଜୁନ ସିନା ଅଟଇ ବୀର ଫାଲୁଗୁନି।୧୬୫।
ବିଷ୍ଣୁକର ବୋଇଲା ତୋର ୟେଡ଼େକ ସାହାସ

କିମ୍ଭୂତ ମାୟାରେ ତୁ ପାଇଲୁ ବାରାସ।୧୬୬।

ମୁହିଂ ୟେ ମହା ଅରଣ୍ୟେ ଅଟଇ ଅଧିକାରୀ

ଚଣ୍ଡାଳ ବଳ ଧ୍ଵଂସନ ଅଟଇ ମୋହୋରି।୧୬୭।

ସମସ୍ତ ରାଜାମାନେ ଆସନ୍ତି ମୋର ପୁର

ୟେମନ୍ତେ କଥାମାନ କହୁଛି ତୁମ୍ଭର ଆଗର।୧୬୮।

ଦଇତ ଦାନବ ନାଶ କରଇ ତୁମ୍ଭରି

ୟେ ମହାଅରଣ୍ୟେ ମୁଂ ଅଟଇ ଅଧିକାରୀ।୧୬୯।

ବିଷ୍ଣୁକର ବୋଲଇ ମାନବ ହୋଇ ମୋହୋର ରାଜ୍ୟେ ପଶୁ

ୟେକମାତ୍ର ହୋଇ ତୁ କିସ ଯେ ଭରସୁ।୧୭୦।

ଆମ୍ଭର ପ୍ରାୟେ ବ୍ରାହ୍ମଣ ଆଶ କଲା ଅଶ୍ଵକୁ

ଛାଡ଼ିଯାଅ ମହାତ୍ମା କଲ୍ୟାଣ ହୋଉ ତୁକୁ।୧୭୧।

ଶୁଣିଣ ଦ୍ରହସିତ ହୋଇଲେ ଧନୁର୍ଜୟେ

ଆମ୍ଭନ୍ତ ଚିହ୍ନି ନୁଆରିଲ କି ବିଷ୍ଣୁପଣ୍ଡାୟେ।୧୭୨।
ତୁମ୍ଭେ ଥିଲ ୟେହି ନଗ୍ର ବାହିଜ ହୋଇ

ଭିକ୍ଷାପାତ୍ରେ ତୁମ୍ଭ ଘରେ ଆମ୍ଭେ ରହିଥିଲୁ ପାଞ୍ଚଭାଇ।୧୭୩।

ଗଉତମୀକି ଆମ୍ଭେ ଯେ ଗଲୁ ସ୍ରାହାନ କରି

ଭାମସେନ ଠାକୁରେ ୟେଥି ଚାଣ୍ଡାଳ ବଳ ମାରି।୧୭୪।

ୟେହା ଶୁଣିକରି ବିଷ୍ଣୁକର ତେଜିଲେ ତୁରଙ୍ଗ

ପାଦା ଅର୍ଘ୍ୟ ଦିଅଇ ଅର୍ଜୁନ ପାଦଯୁଗ।୧୭୫।

ଅନେକ ବିନୋୟୀ ସେ ଭଗତି ଭାବ ବହି

ଅର୍ଜୁନ ବୋଇଲେ ମୋତେ ରହିତେ ବେଳ ନାହିଂ।୧୭୬।

ମକର ମାସେ ହୋଇବ ଅଶ୍ଵମେଧ ଯାଗ

ୟେକା ଜଣେକେ ମୁଂ ନିମନ୍ତ୍ରଣ କରିବି ଚାରିଦିଗ।୧୭୭।

ଅଶ୍ଵନ୍ତ ଘେନି ତୁମ୍ଭେ ଯାଅ ଯା ବହନେ

ସମସ୍ତ କଥାମାନ ହୋଇ ସିନା ଯାଗ ଥାନେ।୧୭୮।

ୟେତେ ବୋଲିଣ ଚଳଇ ପାଥ ଅତିଖରେ

ଅଶ୍ଵବଳ ଘେନି ତହିଂ ଚଳଇ ବିଷ୍ଣୁକରେ।୧୭୯।

ତହୁଂ ଯାଇଂ ପ୍ରବେଶ ହୋଇଲେ ନଗ୍ର ଉଜାଣକାନ୍ତି

ଅଶ୍ଵ ଚଳାଇ ସେ ରାଜାକୁ ଆଣିବେ ନିମନ୍ତି।୧୮୦।

ଚଳଇ ଅର୍ଜୁନ ଯେ ଦେଶ ମରହଟ୍ଟ

ସେ ରାଜାକଇଂ ନିମନ୍ତ୍ରଣ ଚଳଇ ଗରିଷ୍ଠ।୧୮୧।

ମନ୍ଦହୁଳ ଦେଶେ ଯାଇଂ ବିଜୟେ ଫାଲୁଗନି

ସେ ରାଜାକଇଂ ଚଳାଇ ମହାଅଶ୍ଵ ଘେନି।୧୮୨।

ଅଶ୍ଵନ୍ତ ଚଳାଇ ତହୁଂ ଚଳଇ ବିବତ୍ସ

କାଶୀନଦୀ କୂଳେ ଦେବ ଅଟଇ ଦେଶମତ୍ସ୍ୟ।୧୮୩।

ଉତ୍ତରକୁମର ପୁତ୍ର ବୃଷସେନ ବୋଲି ରାୟେ

ତହୁଂ ଅର୍ଜୁନ ଯେ ମୁଣୋହି ଯାଇଂ କୟେ।୧୮୪।

ସେ ରାଜାକୁ ଚଳାଇ ଚଳଇ ବାସବି

ପ୍ରବେଶ ହୋଇଲେ ଯାଇଂ ମାଳବ ନାମେ ଭୁବି।୧୮୫।

ଚନ୍ଦ୍ରବ୍ରହ୍ମ ନାମେ ଯେ ତହିଂର ନରପତି

ଅଶ୍ଵ ଚଳାଇ ଅର୍ଜୁନ ତାହାନ୍ତ ନିମନ୍ତି।୧୮୬।

ତହୁଂ ବନ ଗହନେ ଚଳଇ ଫାଲଗୁନି

ୟେକା ଚକ୍ରାନଗ୍ରେ ପ୍ରବେଶ ଅଶ୍ଵ ଘେନି।୧୮୭।

ବେଦଶ୍ରବଣ ପଣ୍ଡାୟେ କରନ୍ତି ତହିଂ ରାଜ୍ୟ

ମହାସମ୍ଭବେ ତାର ବଡ଼ାଇ ଅଇଶୁର୍ଯ୍ୟ।୧୮୮।

ଯହୁଂ ଡଗର ମୁଖେଣ ପାଇଲେ ବାରତା

ଅର୍ଜୁନକଇଂ ଦ୍ରଶନ କଲାଯାଇଂ ବ୍ରହ୍ମବେତ୍ତା।୧୮୯।

ଅନେକ ପୂଜାବିଧି କରଇ ବେଦଶ୍ରବଣ

ତାହାର ପୁରେ ମୁଣୋହି କଲେକ ଅର୍ଜୁନ।୧୯୦।

ନିମନ୍ତ୍ରଣ କରଇ ବୀର ଫାଲଗୁନି

ଇନ୍ଦ୍ରପ୍ରଶସ୍ତେ ଚଳ ପଣ୍ଡାୟେ ଅଶ୍ଵବଳ ଘେନି।୧୯୧।

ତହିଂରୁ ଚଳାଇଗଲା ଧନୁର୍ଜୟ ପାଥ

କାଉଂରୀ ଦେଶରେ ଆସି ହୋଇଲା ପ୍ରବେଶ ତୁରିତ।୧୯୨।

ମାଳବସେନ ବୋଲି ତହିଂର ଦଣ୍ଡଧାରୀ

ଅର୍ଜୁନକୁ ଦେଖି ସେହି ନମସ୍କାର କରି।୧୯୩।

ନିମନ୍ତ୍ରଣ କରି ତାକୁ ବୀର ଫାଲଗୁନି

ଚଳଇ ସେହୁ ରାଜା ତାହାର ସନ୍ୟ ଘେନି।୧୯୪।

କର୍ଣ୍ଣାଟ ବୋଲିଣ ରାଜ୍ୟ ମର୍ତ୍ତ୍ୟର ବାରସ୍ଵତୀ

ତହିଂ ଯାଇଂ ପ୍ରବେଶ ବିଚିତ୍ରବୀର୍ଯ୍ୟ ନାତି।୧୯୫।

ଅଶ୍ଵ ଦେଖିଣ ଧଇଲା କୁତୂହୋଳେ

ଯତନେ ଥୋଇଲା ରାଜାର ରତ୍ନ ଦେଖି ଭୋଳେ।୧୯୬।

ଅଶ୍ଵ ବୋଇଲା ତୁ ରାଜା ନ ଧରସି ମୋତେ

ଅନେକ ରାଜା ନାଶଗଲେନି ମୋକଥା ଲଂଘନ୍ତେ।୧୯୭।

ମନ୍ତ୍ରୀ ବୋଇଲା ୟେହାକୁଛାଡ଼ହୋନୃପମଣି

ଅଶ୍ଵ ହୋଇକହଇୟେ ମନୁଷ୍ୟର ବାଣୀ।୧୯୮।

ଶୁଣିଣ ନରେନ୍ଦ୍ର ଯେ କଲାକ ମୁରାଟ

ୟେହାପାଇଂ ଦେଖିବା ଆସୁ କାହାର କେତେ ଥାଠ।୧୯୯।

ମନ୍ତ୍ରୀ ବୋଇଲା ରାଜା ତୁ ନକଲୁ ମୋର ବୋଲ

କାଳେକ ଜାଣିମା ନ ନୋହିବା କିଛିଭଲ।୨୦୦।

ୟେସନେକ ସମୟେ ଆସି ବିଜୟେ ବୀର ଧନୁର୍ଜୟେ

ରାଜ୍ୟେ ପଶନ୍ତେଣ ଓଗାଳିଲେ ପାରିଦଣ୍ଡ ଶୟେ।୨୦୧।

ସେ ରାଜାର ପାରିଦଣ୍ଡ ବଳ ଅପ୍ରମିତ

ମହା ମହା ଅଶ୍ଵ ଚଢ଼ିଣ ବଳବନ୍ତ।୨୦୨।

ଥାଠ ବେଢ଼ନ୍ତେ ତାଂକୁ ଦେଖିଲା ଫାଲଗୁନି

ଗନ୍ଧର୍ବା ଶହସ୍ରେକ କରେଣ ବାର ଘେନି।୨୦୩।

ମନଭେଦୀ ଶହସ୍ରକୁ ତିଆରଇ ସର୍ବସାଚୀ

ସନ୍ୟ ସକଳ ପଦାନ୍ତି ମାର ତୁହି ବାଛି।୨୦୪।

ଅଶ୍ଵମାନେ ଥାଆନ୍ତୁ ୟେଣେ ଆମ୍ଭର ଅଛି କାର୍ଯ୍ୟ

ତିଆରି ପେଷିଲା ସେ ଗନ୍ଧର୍ବା ନାରାଜ।୨୦୫।

ଆକାଶରୁ ଶର ସେ ଯେ ପଡ଼ିଲା ତୀକ୍ଷମୁନା

ନିମିଷକେ ଛେଦିଲା ସେ ସବୁଂକରି ସହ୍ନା।୨୦୬।

ୟେକା ନାରାଜକେ ସବୁଂକରି ସେହ୍ନା ଫୁଟି

କଳପି ରାଜା ବଳ ପଡ଼ିଲେ ମହୀ ଲୋଟି।୨୦୭।

ଯେ ଅବା ଉବୁରି ପଳାଇଲେ ପ୍ରାଣ ଘେନି

ରାଜାର ଅଗ୍ରତେ କହନ୍ତି ବିନୟେ ଦୟିନୀ।୨୦୮।

ଶୁଣିଣ କୋପେ ପ୍ରଜ୍ଵଳିତ ମହାରାଜ

ଦଣ୍ଡସାଜଇ ସେ ରାଜା ଲକ୍ଷେକ ମତ୍ତଗଜ।୨୦୯।

ଗଜବଳ ଦେଖି ସେ କୋପେଣ ବୀରମଣି

ଖୂର୍ପ ନାରାଜେକ ସେ ବିନ୍ଧିଲା ବେଗେଟାଣି।୨୧୦।

ଲକ୍ଷେ ରାଜାଂକର ସେ ଛେଦିଲା କୁମ୍ଭସ୍ଥଳ

ଗଜ ତେଜି କରି ତହୁଂ ପଳାଇଲା ମହୀପାଳ।୨୧୧।

ଜିଣି ନୁଆରିଣ ରାଜା ପଳାଇଲା ଭୟେ

ଜେନାବଳୀ ନଗ୍ରେ ଯାଇଂ ଶରଣ ସମ୍ଭାୟେ।୨୧୨।

ସେ ଜେନାବଳୀ ନଗ୍ରେ ବବ୍ରୁବାହାନ ବୋଲି ରାଜା

ବଡ଼ାଇ ଧାର୍ମିକ ସେହୁ ହେଙ୍ଗୁଳା କରଇ ପୂଜା।୨୧୩।

ଗୋଡ଼ାଇ ଅର୍ଜୁନ ଯେ ପଶଇ ତାର ଦେଶେ

ଆଗ ହୋଇ କଟକେ ପଶଇ ବାରାସେ।୨୧୪।

ଅଶ୍ଵ ଦେଖିକରି ଯେ ନେଲେ ତାହାକଇଂ ଧରି

ଚନ୍ଦ୍ରଶାଳା ମନ୍ଦିରେ ନେଇ ରାଜା ରଖାୟେ ଯତ୍ନକରି।୨୧୫

ଅଶ୍ଵ ବୋଇଲା ମୋତେ ନ ଧର ତୁ ବାବୁ

ୟେ ସୁକୁମାର ଦେହ ଗୋଟି ତୁ ନାଶ କରାଇବୁ।୨୧୬।

ଶୁଣିକରି ତାକୁ ବୋଇଲା ବବ୍ରୁ ଯେ ବାହାନ

ତ୍ରଇଲୋକ୍ୟେଣ ମୋତେ କେହି ନାହିଂନା ସମାନ।୨୧୭।

ଗଜ ଅଶ୍ଵ ପଦାନ୍ତି ସଇନି ମୋର ଦେକ

ପାଟଅଶ୍ଵ ନପାଇ ମୁଂ ହୋଇଥିଲି ବିମୁଖ।୨୧୮।

ତୋତେ ଘେନି କରି ମୁଂ ବସିବି ହସ୍ତିନା

କଉରୋବ ମଲେ ସେ ମୋହୋର ରାଜ୍ୟ ସିନା।୨୧୯।

ୟେତେ ବୋଲି କରି ରାଜା ପ୍ରତଗ୍ୟାଂ କରନ୍ତେ

ରାଜ୍ୟର ଭିତରେ ଯାଇଂ ପଶିଲା ବୀର ପାଥେ।୨୨୦।

ଲକ୍ଷେକ ଗଜ ଯେ ବେନି ଲକ୍ଷ ହୟେ

ଅର୍ଜୁନକଇଂ ଓଗାଳନ୍ତି ପାରିଦଣ୍ଡ ରାୟେ ଶୟେ।୨୨୧।

ରାଗେଣ ନାରାଜ ଯେ ପେଶିଲା ମନଭେଦୀ

ଗଜ ଯୋଦ୍ଧାମାନନ୍ତ ସେ ପକାଇଲା ଛେଦି।୨୨୨।

ସୂଚିମୁନା ନାରାଜେକ ବିନ୍ଧଇ ମହାବଳୀ

ଗଜର କୁମ୍ଭସ୍ଥଳେ ପଡ଼ି ଛଇଛାଡ଼େ ଗଲା ନିକିଳି।୨୨୩।

କଣ୍ଠ ଗରଜନ ଦେଇ ପଡ଼ିଲେକ ଲକ୍ଷେ ଗଜ

ଦେଖିଣ ବାହାର ସେ ହେଲା ବବ୍ରୁବାହନ ରାଜ।୨୨୪।

ଅଶ୍ଵମାନେ ଯେ କିଛି ନୋହିଛନ୍ତି କ୍ଷୟେ

ଗଜ ପଦାନ୍ତିଂକୁ ଯେ ବିକୋତିଲା ଧନୁର୍ଜୟେ।୨୨୫।

ଅନେକ ସଇନି ଘେନି ବବ୍ରୁବାହନ ରାଜେ

ସାତଲକ୍ଷ ସଇନି ଛେଦିଲା ଅର୍ଜୁନ ପାଶପତ୍ର ନାରାଜେ।୨୨୬।

ଆପାର ସଇନି ପଡ଼ିଲେ ଯହୁଂ ଲୋଟି

ୟେକ ସରେ ବବ୍ରୁବାହନ ରାୟେ ଉଠି।୨୨୭।

ବବ୍ରୁବାହନଇ ୟେକା ଅର୍ଜୁନହିଂ ୟେକା

ସମରେ ୟେକ ମୁଖ ଅଟନ୍ତି ଦୁହେଂ ଯେ ନିଶଂକା।୨୨୮।

ବବ୍ରୁବାହନ ପେଷିଲା ଯେ ପନ୍ନଗା ଶର ବାଣ

ଗରୁଡ଼ାଶରେ ଅର୍ଜୁନ ତାହା କଲାକ ଭଙ୍ଗାଣ।୨୨୯।

ମନୋହର ଶରେକ ବିନ୍ଧିଲା ବୀରଧରି

କାମ୍ୟେକ ଶରେ ତାହା ଅର୍ଜୁନ ନିବାରି।୨୩୦।

ପୁଣ ବିନ୍ଧିଲା ସେ ଅମୋହ ଶକତି

ବଜ୍ରଶରେ ତାହା ଅର୍ଜୁନ ନିପାତି।୨୩୧।

ରାଗେଣ ଅର୍ଜୁନ ବିନ୍ଧିଲାକ ଅଗ୍ନି ବାଣ

ମେଘା ଶରେ ତାହା ଛେଦିଲା ବବ୍ରୁ ଯେ ବାହନ।୨୩୧।

ବବ୍ରୁବାହନ ପୁଣ ଆବ୍ରତେକ ଶର ଯେ ପେଷଇ

ପବନା ଶରେ ତାହା ଅର୍ଜୁନ ଛେଦଇ।୨୩୩।

ବବ୍ରୁବାହନ ରାଜା ଯେ ମାଇଲାକ ଶୂଳେ

ଅର୍ଜୁନ ନିବାରିଲା ତାହା ଶହସ୍ର କୋଦାଳେ।୨୩୪।

ଶୁଣ ବଇବସୁତ ମନୁ ବଦୟନ୍ତି ଅଗସ୍ତି

ରଣେ ବିମୁଖ ପାଥ ନୋହିଲା ନିବୃତ୍ତି।୨୩୫।

ନାରାୟଣ ଶହସ୍ର ଧଇଲା ସର୍ବସାଚୀ

ବ୍ରହ୍ମ ଶହସ୍ରେକ ବ୍ରବ୍ରୁବାହନ ଦେଖି ଯୋଚି।୨୩୬।

ବେନି ଶହସ୍ରେ ଯେ ଅଟନ୍ତି ଅପାଲଟ

ଇନ୍ଦ୍ର ରୁଦ୍ର ହୋଇଲେ ଅବଶ୍ୟ ହୋଇବ ତାହାର ଶିର କାଟ।୨୩୭।

ଅର୍ଜୁନ ତିଆରଇ ଦେବ ଶହସ୍ର ନାରାୟଣ

ୟେ ମୋଢାର ୟେହିକ୍ଷଣି ଘେନସି ପରାଣ।୨୩୮।

ବବ୍ରୁବାହନ ତିଆରଇ ବ୍ରହ୍ମ ଯେ ଶରକୁ

ୟେହିକ୍ଷଣି ଯାଇଣ ତୁ ମାରି ପକା ଯେ ମୋଢାକୁ।୨୩୯।

ୟେକଇ ବେଳେ ଦୁହେଂ ବିନ୍ଧିଲେ ଯେ ଶହସ୍ର ବେନି

ବ୍ରହ୍ମଶର ବିଘାତେ ଯେ ପଡିଲା ଫାଲୁଗନି।୨୪୦।

ନାରାୟଣା ଶହସ୍ର ଘାତେ ବବ୍ରୁବାହାନ ଯେ ପଡି

ୟେକା କ୍ଷଣେକେ ଦୁହେଂ ହୋଇଲେ ନିବାରି।୨୪୧।

ୟେ ବିଧିରେ ଦୋହେଂ ହୋଇଲେ ପ୍ରାଣନାଶ

ଧନୁମାସ ଅନ୍ତେ ମକରମାସ ପରବେଶ।୨୪୨।

ମହୀମଣ୍ଡଳ ମଧ୍ୟେ ଲକ୍ଷେକ ନୃପତି

ସମସ୍ତେ ଇନ୍ଦ୍ରପ୍ରଶସ୍ତେ ପ୍ରବେଶ ହୁଅନ୍ତି।୨୪୩।

ଯାଗରେ ବସିଲେ ଯେ ମୁନିମାନନ୍ତ ବରି

ବ୍ୟାସ ବଶିଷ୍ଠ ଅଗସ୍ତି ମାରକଣ୍ଡ ବିଶ୍ଵାମିତ୍ର ଆଦି କରି।୨୪୪।

ଯୁଝେଷ୍ଠି ବୋଇଲେ ତୁ ଶୁଣରେ ସହଦେବ

ହୃଦୟ ବଇକୁଲ୍ୟ କିମ୍ପେ ମୋର ବିଚଳିତ ଭାବ।୨୪୫।

ଉତ୍ତର ଦିଗନ୍ତ ମୋତେ ଅନ୍ଧାରମୟ ଦିଶି

ପ୍ରାଣ ଶେଷ କାଳ ପ୍ରାୟେ ତ ନିଶ୍ଵାସ ନ ପଶି।୨୫୬।

ସହଦେବବୋଇଲା ଦେବ ହୋଇଲା ବିପଦ

ଅର୍ଜୁନ ଠାକୁରଂକୁ ତ ପଡିଲା ପ୍ରମାଦ।୨୪୭।

ଜେନାବଳୀ ରାଜ୍ୟେ ବବ୍ରୁବାହାନ ବୋଲି ରାୟେ

ଦୁହେଂ ପଡିଲେ ଯେ ବ୍ରହ୍ମଶର ନାରାୟଣା ଶର ଘାୟେ।୨୪୮।

ଶୁଣି ବିଚାରନ୍ତି ଧର୍ମରାୟେ ଯୁଝେଷ୍ଠି

ପୃଥିବୀରେ ୟେଡେ ବଳବନ୍ତ ସେ କେ ଟି।୨୪୯।

ସହଦେବ ବୋଇଲେ ସ୍ଵାମୀ ଶୁଣିମା ଗତକଥା

ୟେବଣ କାଳେ ବନକୁ ଗଲେ ଅର୍ଜୁନ ବଳବନ୍ତା।୧୫୦।

ଖାଣ୍ଡବ ବନ ଦହନ କଲେ ଯେବଣ ବନବାସେ

ଶତଧନୁର ନିମନ୍ତେ କୃଷ୍ଣେ ଅବିଶ୍ଵାସେ।୨୫୧।

ସେ ବେଳରେ ଥିଲେ ପାଥ ତ୍ରିୟମ୍ବକ ବନେ

ତିନିବରଷ ରହିଲେ ପାଥ ହିଙ୍ଗୁଳା ପ୍ରସନ୍ନେ।୨୫୨।

ଚିତ୍ରାଂକୁର ନାମେଣ ଯେ ୟେକଇ ଶବର ନୃପତି

ମହ୍ଲାର ଦେଶର ସେ ଅଟଇ ଚକ୍ରବ୍ରତୀ।୨୫୩।

ସେ ଚିତ୍ରାଂକୁର ରାଜ୍ୟ ବେଳେ ଘେନିଲା ମରହଟ୍ଟ

ସମସ୍ତ ସମ୍ପଦ ଛାଡି ପଳାଇଲା ମରହଟ୍ଟୁଂ ବଇରାଷ୍ଟ।୨୫୪।

ଅର୍ଜୁନ ରହିଅଛି ହିଙ୍ଗୁଳା ପରଖି

ଚିତ୍ରାଂକୁର ରାଜା ଶରଣ ପଣିଲା ଅର୍ଜୁନକଇଂ ଆସି।୨୫୫।

ଚିତ୍ରାଂକୁର ପାଇଂ ମାରିଲା ପାଥ ସମରେ ମରହଟ୍ଟ

ପାଞ୍ଚଘଡି ସମୟେ ଯେ ପଡିଲେ ତାର ଥାଠ।୨୫୬।

ଚିତ୍ରାଂକୁର ରାଜାକୁ ଦିଲା ସଦଗତି

ମହ୍ଲାର ମରହଟ୍ଟ ଦୁଇ ରାଜ୍ୟରେ କଲା ଚକ୍ରବ୍ରତୀ।୨୫୭।

ହେଙ୍ଗୁଳାକ୍ଷୀ ବୋଲି କରି ତାହାର ପ୍ରମଦା

ତାହାର ଦୁହିତା ଯେ ଉଲୁପୀ ଚିତ୍ରାଙ୍ଗଦା।୨୫୮।

ଅନେକ ବିନୟ କରି ତହୁଂ ପାଥକଇଂ ଘେନିଗଲା

ଉଲୁପୀ କନ୍ୟାକୁ ଆଣି ପ୍ରଦାନ କରାଇଲା।୨୫୯।

ଯଉତୁକ କରିଦିଲା ସେ ଚିତ୍ରାଙ୍ଗଦାକୁ

ସମରାଜ୍ୟ ଘେନି ତିନିବରଷ ସେବା କଲା ପାଥକୁ।୨୬୦।

ସେ ଉଲୁପୀର ଗର୍ଭେ ଅର୍ଜୁନର ବୀର୍ପ୍ୟେ ରହିଲା ସନ୍ତାନ

ବେନିମାସ ଗର୍ଭେ ତହୁଂ ଅଇଲେ ଅରଜୁନ।୨୬୧।

ସୋହୋଦ୍ରା ବିଭା ହୋଇଲେ ଦ୍ଵାରିକା

ପିତାଘରେ ରହିଥିଲେ ବେନି ଯେ ନାୟେକା।୨୬୨।

ସେ ଉଲୁପୀର ଗର୍ଭୁଂ ଉପୁଜିଲା ନାନ

ସେ ପୁତ୍ର ନାଥ ଦିଲେକ ବବ୍ରୁ ଯେ ବାହାନ।୨୬୩।

ଶୁଣ ଯୁଝେଷ୍ଠି ଦେବ ସହଦେବ କହଇ

ପିତାପୁତ୍ର ବୋଲି ଦେବ ନଜାଣନ୍ତି କେହି।୨୬୪।

ଦୁହେଂ ସମାନ ଦେବ ନୁହନ୍ତି କେହି ଓଛ

ତେଣୁ କରି ତାସମରେ ପଡିଲେ ବିବଚ୍ଛ।୨୬୫।

ବଡ ବଳବନ୍ତା ସେ ବବ୍ରୁ ଯେ ବାହାନ

ମନ୍ଦର ଲୋକାଲୋକି ମଧ୍ୟରେ ତାହାର ଯେ ତାନ।୨୬୬।

କଟକ ନାମ ତାର ଜେନାବଳୀ ଅଟଇ

ବଡାଇ ସମ୍ଭର୍ବେ ରାଜା ରାଜ୍ୟ ତା ପାଳଇ।୨୬୭।

କଳପି ରାଜା ହୋୟେ ଅର୍ଜୁନେ ବିବାଦୀ

ପଳାଇଯାଇ ବବ୍ରୁବାହାନ ଶରଣ ସମ୍ପାଦି।୨୬୮।

ତାହାର ନିମନ୍ତେ ଦେବ ହୋଇଲା ଅନ୍ୟୋଅନି

ୟେକ ସମରେ ସେ ଦେବ ପଡିଲେ ଯେ ବେନି।୨୬୯।

ବ୍ୟାସ ବୋଇଲେ ଯୁଝେଷ୍ଠି ଯାଗ କରିଥାଅ ତୁମ୍ଭେ

ସେହି ରଣ ସ୍ତାନକୁ ଯେ ଯାଉଅଛୁଂ ଆମ୍ଭେ।୨୭୦।

ଯୁଝେଷ୍ଠି ଦେବେ ବୋଇଲେ ସେ ଅଛି ଅଶି ସହସ୍ର ଯୋଜନେ

ତୁମ୍ଭେ ଯାଇଂ ସେଠାରେ ମିଳିବ କେତେ ଦିନେ।୨୭୧।

ଆବର ସୋଦର କି ମୁଂ ନୟନେ ଦେଖଇ

ପାଞ୍ଚଭ୍ରାଥ ଥିଲୁଂ ଆଝୁଂ ୟେକ ଉପେଖଇଂ।୨୭୨।

ବ୍ୟାସେ ବୋଇଲେ ତୁ ଆଉ ନକର କାରୁଣ୍ୟ

ଆମ୍ଭେଯାଇଂ ପ୍ରବେଶ ହୋଇବୁ ୟେହିକ୍ଷଣ।୨୭୩।

ଜୟ ତୁ ବେଦବ୍ୟାସେ ମାହୀନ୍ଦ୍ର ଯୋଗକାୟେ

ପିତା ପାରେଶ୍ଵର କଇବର୍ତ୍ତୀ ଯାର ମାୟେ।୨୭୪।

ଅନୁବ୍ରତେ ଭାବନା ଯେ ବିଷ୍ଣୁନାଥ ମହିମାଂ

ଯାହାକଇଂ ହୃଦରେ ସୁମରଇ ବେଦବ୍ରହ୍ମା।୨୭୫।

ମନ ଯେତେ କର୍ମ ତେତେ ତାହାର ତେଡେ କାୟା

କୋଟି ବ୍ରହ୍ମାଣ୍ଡେ ୟେକା କ୍ଷଣକେ ହୋୟେ ମାୟା।୨୭୬।

ଅଛି ଅଛି ନାହିଂ ନାହିଂ ଯେବଣ ପୁରୁଷ

ମନ ପବନ ଯାହାର ୟେକ ତହିଂ ଅଭ୍ୟାସ।୨୭୭।

କେ ସ୍ଵର୍ଗ କେ ପାତାଳ କେ ରାତ୍ର କେ ଦିବସ

ଯାହାର ଗର୍ବ ଅନ୍ତ କରି ନୁଆରନ୍ତି ତ୍ରିଦଶ।୨୭୮।

ମୁହିଂ କିସ ସଞ୍ଚପି କହିବି ତାହାଂକ ମହିମାଂ

ଅକାଳ ଅମୃତୁ ଯେବଣ ମହାତମା।୨୭୯।

ସେ ବ୍ୟାସ ଚରଣେ ଜନ୍ମେ ଜନ୍ମେ ମୁହିଂ ସେବି

ପ୍ରଣପତ୍ୟ ଶତେ ସହସ୍ର ସାରୋଳଦାସ କବି।୨୮୦।

ଯୁଝେଷ୍ଠିଂକ ସଙ୍ଗେ କଥା ହୋଉଥିଲେ ସଥେ

ଅଶିସହସ୍ର ଯୋଜନ ଗଲେ ନିମିଷକର ମଧ୍ୟେ।୨୮୧।

କ୍ଷଣେକେ ପ୍ରବେସ ହୋଇଲେ ଯାଇଂ ରଣସ୍ଥାନ

ଦେଖିଲେ ପଡିଛନ୍ତି ଯହିଂଅର୍ଜୁନ ବବ୍ରୁ ଯେ ବାହାନ।୨୮୨।

ନାତି ଅଣନାତି ଦେଖିଲେ ୟେକଠାବେ

ଅର୍ଜୁନକଇଂ କୋଳକରି ଧଇଲେ ବ୍ୟାସମୁନି ଦେବେ।୨୮୩।

ଶହସ୍ର ଦ୍ରୋଚ୍ଛନାୟେ ଅର୍ଜୁନ ହୋଇଥଲେ ମୋହ

ବ୍ୟାସଂକର ଦ୍ରଶନେ ସେ ପାଇଲେ ସ୍ଵଦେହ।୨୮୪।

କୁମଣ୍ଡଳୁଂ ପାଣି ଯେ ସିଞ୍ଚଲେ ବ୍ରହ୍ମଯତି

ସାଷ୍ଟାମ ହୋଇ ବସିଲେ ଅର୍ଜୁନ ଯେ ଧାତି।୨୮୫।

ବ୍ୟାସଂକର ମୁଖଚାହିଂ ଧାତିକାରେ ଉଠି

ଚରଣେ ପ୍ରଳମ୍ବିତ ହୋଇଲେ କିରୀଟୀ।୨୮୬।

ସାଷ୍ଟାମ କରି ବ୍ୟାସେ ବସାଇଲେ କୋଡର

କିମ୍ଭୂତ କାରଣେ ଆସାଷ୍ଟମ କଲୁଟି ତୋ ଶରୀର।୨୮୭।

ବ୍ୟାସ ବୋଇଲେ ତୋତେ ଜିଣିଲା ଯେହୁ ପାଥ

ଦେଖ ୟେ ବବ୍ରୁବାହାନ ତୋହୋର ନିଜସୁତ।୨୮୮।

ଚିତ୍ରାଂକୁର ରାଜାର ଦୁହିତା ଉଲୁପୀ ଚିତ୍ରାଙ୍ଗଦା

ବନବାସ କାଳେ ପ୍ରଦାନ ହୋଇଲୁ ସେ ତୋହୋର ପ୍ରମଦା।୨୮୯।

ତୋହୋର ବୀର୍ଯ୍ୟେ ବାବୁ ଉଲୁପୀର ରଜେ

ବବ୍ରୁବାହାନଟି ଉପୁଜିଲା ତୋହୋର ଆତ୍ମାଜେ।୨୯୦।

ଅର୍ଜୁନ ବୋଇଲା ମୁଂ ନିସ୍ତରିଲି ନିସ୍ତିରିଲି

ଆନର ହାଥେ ଯାହା ମୁଂ ପ୍ରଭବ ନ ପାଇଲି।୨୯୧।

ମୋହୋର ନନ୍ଦନ ମୋତେ କଲାଟି ଝିଂଘାସ

ପୁତ୍ରକୁ କୋଳେ ଯାଇଂ ଧଇଲେ ମୁନିବ୍ୟାସ।୨୯୨।

ମୃତ ସଞ୍ଜୀବନୀ ମନ୍ତ୍ରେ ଜୀବଦାନ ଦିଲେ

ବେଗେ ବବ୍ରୁବାହାନ ଯେ ଉଠିଣ ବସିଲେ।୨୯୩।

ପୁତ୍ରକଇଂ ଅର୍ଜୁନ ଯେ ବସାଇଲେ କୋଳେ

ଅନେକ ପୁର ସରି କହଇ ପ୍ରିୟ ଭୋଳେ।୨୯୪।

ଆଗହୁଂ ଯେବେ ତୋତେ ଜାଣନ୍ତିରେ ପୁତ୍ର

ୟେତେ କଟାଳ କିଂପେ କରନ୍ତି ତୁମ୍ଭନ୍ତ।୨୯୫।

ବ୍ୟାସେ ବୋଇଲେ ଯେବେ ଜାଣନ୍ତୁ ଆଦିହୁଂ

ୟେତେଦିନ ଯାୟେ ବ୍ରତିଥାଆନ୍ତା ୟେ କାହୁଂ।୨୯୬।

ପୃଥିବୀର ମଧ୍ୟେ ୟେ ଶକତା ବଳବନ୍ତା

ଭାରଥ ଯୁଦ୍ଧରେ ସେହୁ ପ୍ରଥମ ଦିନରେ ପଡନ୍ତା।୨୯୭।

ରଣସ୍ତମ୍ଭ ଗଡେ ଜେନାବଳୀ ନାମେ ପୁର

ହିଙ୍ଗୁଳା ବୋଇଳେ ତୁ ୟେଥି ରାଜ୍ୟ କର।୨୯୮।

ହିଙ୍ଗୁଳାର ପ୍ରସନ୍ନେ କୁମର ମହାଦକ୍ଷ

ଶୁଣିଣ ସାନନ୍ଦ ଯେ ହୋଇଲେ ବିବତ୍ସ।୨୯୯।

ବୋଇଲେ ଆନ ମୋତେ ନୋହିଲା ପରାଭବ

ତୁ ମୋହୋର ପୁତ୍ରସିନା ୟେଥକୁ କିସ କ୍ଷୋଭ।୩୦୦।

ବବ୍ରୁବାହାନ ବୋଲେ ମୋତେ ସୁଦୟା କରିବା

ମୁହିଂ ଯେ ଦୋଷକଲି ମୋ ଦୋଷ ନଘେନିବା।୩୦୧।

ୟେତେ କହି ଚଳିଗଲା ସେ ବବ୍ରୁବାହାନ

କଳପି ରାଜାକୁ ଆଣି କରାଇଲା ଦ୍ରଶନ।୩୦୨।

ଶତେ ସହସ୍ର ଦଣ୍ଡବତ ପ୍ରଳମ୍ବିତ ହୋଇ

ବେନିରାଜାୟେ ଶୁତିଲେକ ଦଣ୍ଡଲାଇଂ।୩୦୩।

ଦେବ ଅଶ୍ଵକୁ ଆଣି ବବ୍ରୁବାହାନ ସମର୍ପିଲା

ସେ ବେନିରାଜାଂକୁ ଅର୍ଜୁନ ନିମନ୍ତ୍ରଣ ଦିଲା।୩୦୪।

ଭଗତି ଭାବ ହୋଇ ବବ୍ରୁବାହାନ ରୁହାଇଲା ଦିନାତିନି

ପୁତ୍ରକୁ ରାଜ୍ୟ ଦେଇ ସେ ଅଶ୍ଵମାନନ୍ତ ଯେ ଘେନି।୩୦୫।

ବ୍ୟାସେ ପାଦୁକା ବାହାନେ ଚଳନ୍ତି ବହନ

କୁବଳୟା ପିଠିରେ ଯେ ବିଜୟେ ଅର୍ଜୁନ।୩୦୬।

ରାତ୍ରକ ମଧ୍ୟେ ଗଲେ ଅଶି ସହସ୍ର ଯୋଜନ

ବ୍ୟାସେ ପ୍ରବେଶ ହୋଇଲେ ଯାଇଂ ଇନ୍ଦ୍ରପ୍ରଶସ୍ତ ଥାନ।୩୦୭।

ଅର୍ଜୁନ ବିଜେୟ କଲେକ ଦ୍ଵାରାବତୀ ଭୁବନ

ନିମନ୍ତ୍ରଣ ଯୋଗାଡ ଦିଲେ ନେଇରାମ କୃଷ୍ଣ ସନ୍ନିଧାନ।୩୦୮।

ଯୁଝେଷ୍ଠି ଦେବଂକର ଅଶ୍ଵମେଧ ଯାଗର ଚରିତ

ଶୁଣିଣ ସାନନ୍ଦ ହୋଇଲେ ପଦ୍ମନେତ୍ର।୩୦୯।

ଉଗ୍ରସେନ ସହିତେ ସାତ ବଂଶର ଯେତେକ ସଇନି

ରାମକୃଷ୍ଣ ବିଜେକଲେ ନିଜ ବଳ ଘେନି।୩୧୦।

ଦ୍ଵାରିକା ଭୁବନେ ଯେ ହୋଉଛନ୍ତି ସଜ

ଅର୍ଜୁନକଇଂ ଘେନି ଧନୁ ଉତ୍ସବ ଯାତ୍ରା କରନ୍ତି ଦେବରାଜ।୩୧୧।

*******

 

ମୋଢାସୁରବଧ

 

ବଦୟନ୍ତି ଅଗସ୍ତି ଶୁଣ ବଇବସୁତ ମନୁ

ମୋଢାସୁର ବୋଲିଣ ଯେ ବାଣାସୁର ତନୁ।୧।

ମନ୍ତ୍ରୀ ନାମ ତାହାର ଶବ୍ଦାସୁର ବୋଲି

ଦିନକର ଜମ୍ବୋଦୀପ ଭ୍ରମି ଆସଇ ସେ ବୁଲି।୨।

ସେ ମନ୍ତ୍ରୀ ଜଣାଇଲା ତୁ ଶୁଣ ଦଇତାରି

ଆମ୍ଭେ ଯିବା ଚାଲ ଶ୍ରୋଣିତ ନାମେ ଗିରି।୩।

କୃଷ୍ଣର ତେଜ ତ ହୋଇଲା ନିହତ

ଅଷ୍ଟାବକ୍ର ଶାପ୍ୟେ ସେହୁ ହୋଇଲେ ବଡ ଭୀତ।୪।

ମନ୍ତ୍ରୀର ବଚନେ ସେ ଚାଳଇ ଦଣ୍ଡଧାରୀ

ସରସ୍ଵତୀ ନଦୀତୀରେ ଥାଠ ଯେ ଉଭାରି।୫।

ଆସନ୍ତେ ମିଳିଲେ ସେ ଋଷ୍ୟମୁଖ ବନେ

ଗନ୍ଧ ଆମୋଦିଣ ଆସେ ଆକାଶ ଭୁବନେ।୬।

ଦଇତ ପଚାରଇ ଆହୋ ମନ୍ତ୍ରୀ ୟେତ ବଡାଇ ଅସମ୍ଭବ

ଗନ୍ଧ ଆମୋଦଇ ୟେତ କେମନ୍ତ ସମ୍ଭର୍ବ।୭।

ମନ୍ତ୍ରୀ ବୋଲନ୍ତି ୟେତ ପାଣ୍ଡବ ପଞ୍ଚୁଭ୍ରାଥେ

ଅଶ୍ଵମେଧ ଯାଗକରନ୍ତି ହତ୍ୟା ବିମୋଚନ ଅର୍ଥେ।୮।

ପୃଥୀରାଜନ୍ତ ୟେ ଆଣିଲେ ସର୍ବବରି

ମୋଢାସୁର ବୋଇଲା ହୋ ମୁହିଂତ ଦଣ୍ଡଧାରୀ।୯।

ମୋତେ ଅବରଣ କଲେକ କିସ ଅର୍ଥେ

ଅସୁର ବୋଲି କରିକି ନବରିଲେ ମୋତେ।୧୦।

ମୋଢାସୁର ବୋଇଲେ ମୋର ବାହା ଅସୁର ବଳ

ମାରିବି ପାଣ୍ଡବନ୍ତ ଭାଙ୍ଗବି ଯାଗଶାଳ।୧୧।

ଶୁଣିଣ ମନ୍ତ୍ରୀ ତାର ସାଜଇ ସମଦଣ୍ଡ

ମେଦିନୀ ଟଳ ଟଳିତ କମ୍ପନ୍ତ ଭୂଅଖଣ୍ଡ।୧୨।

ବାଇଶି ମର୍ଭୁତ ଅଟନ୍ତି ତାହାର ସଇନି

ଗଦା ଖଡଗ କୋନ୍ତ ହାଥରେ ଛନ୍ତି ଘେନି।୧୩।

ମାର ମାର ଧର ଧର ପକାନ୍ତି ଯେ ବୋବି

ମହାପ୍ରଳୟ କାଳେ ଯେହ୍ନେ ଡାକନ୍ତି ଭଇରୋବୀ।୧୪।

ଶୁଣିଣ ରାଜାମାନେ ହୋଇଲେ ତରସ୍ତ

ବ୍ୟାସେ ବୋଲନ୍ତିଭୀମ ଯାଗ ହେଲା ଭଗନ୍ତ।୧୫।

ଭୀମସେନ ବୋଇଲା ନକର ତୁମ୍ଭେ ଭୟେ

ମୁହିଂ ସମରେ ମାରିବି ମୋଢାସୁର ରାୟେ।୧୬।

ୟେତେକ କହିଣ ସେ ପାଣ୍ଡବ ବ୍ରିକୋଦର

ନକୁଳ ସହଦେବ ଦୋହେଂ ଅଛନ୍ତି ସଙ୍ଗତର।୧୭।

ମୋଢାସୁର ରହିଅଛି ଯମୁନା ନଦୀ କୂଳେ

ତିନି ପାଣ୍ଡବେ ଆସି ଜଟୀ ବଟ ତଳେ।୧୮।

ରନ୍ଧନ ଭୋଜନେ ଲାଗିଛନ୍ତି ଦତ୍ୟବଳେ

ରାତ୍ର ଅର୍ଦ୍ଧମାନେ ବେଢିବେ ବୋଲି ଯାଗଶାଳେ।୧୯।

ସର୍ବଗ୍ୟଂ ମନ୍ତ୍ରୀ ଯାଇ ଜଣାଇଲା ରାଜାକୁ

ୟେହିଠାରେ ତ ଆମ୍ଭେ ଭେଟିଲୁଂ ପାଣ୍ଡବଂକୁ।୨୦।

ଅସୁରେ ବୋଲନ୍ତି ୟେକା କୃଷ୍ଣ ଭୟକୁ ଆମ୍ଭେ ଲୁଚୁଂ

ପାଣ୍ଡବ ବିବାଦେ କାହିଂକି ଆମ୍ଭେ ଘୁଞ୍ଚୁ।୨୧।

ୟେତେ ବୋଲି ଦାନବେ ଦିଲେ ରଡି ଯେ ଶବଦେ

ଅଶିଲକ୍ଷ କୋନ୍ତ ଘେନି ଉଠିଲେ ଦତ୍ୟେ ମହାନାଦେ।୨୨।

ଦତ୍ୟବଳ ଦେଖି ରଡ଼ି ଶବଦ ଦିଲା ଭୀମ

କାଳଦଣ୍ଡ ଘେନି ବିଜେ କଲା କିବା ଯମ।୨୩।

ଦୃଗମ ଗିରି ଜାଣି ଭୀମସେନର କାୟେ

ନୟନ ବୁଲାଇଲା ସେ କାଳଚକ୍ର ପ୍ରାୟେ।୨୪।

ରେ ରେ କାର ଶବଦେଣ ଉଠଇ ମାରୁତି

ନକୁଳ ସହଦେବ ବେନି ବାମ ଡାହାଣେ ଅଛନ୍ତି।୨୫।

ବାଇଶି ମର୍ଭୁତ ଯେ ଅସୁର ସଇନି

ଆରମ୍ଭିଲେ ପାଣ୍ଡବେ ରଣ ସର୍ବେ ଜଣ ତିନି।୨୬।

ଗଦା ମୁଦୁଗର ଛେଲ ଚକ୍ର କୁନ୍ତ ବାଣ

ବିନ୍ଧନ୍ତି ଯୋଦ୍ଧା ଯେ ୟେକୁଂ ୟେକ ଟାଣ।୨୭।

ବଢିଲା ରଣରଙ୍ଗ ଅସୁର ବଳ ସଇନି

ଭୀମର ପ୍ରହାରନ୍ତେ ନ ଯାନ୍ତି ପ୍ରାଣ ଘେନି।୨୮।

ଲୋହ ପର୍ବତେକ ଉପାଡିଣ ବୀରଭୀମ

ଧାମଇ ଭାରୋଇ ମଲ୍ଲ ରଣରଂକା ଯାର ନାମ।୨୯।

ଗଦା ମୁଦୁଗର ଯେ ପିଟନ୍ତି ଦତ୍ୟେ ଅତିବେଗେ

ଶହସ୍ର ଚୂର ହୁଅନ୍ତି ବାଜି ଭୀମସେନର ଅଙ୍ଗେ।୩୦।

ଦେବ ଶହସ୍ରମାନନ୍ତ ସେ କରନ୍ତି ଭୟେ

ବଜ୍ର ସମାନ ଅଟଇ ଯାର କାୟେ।୩୧।

ଅନେକ ଦତ୍ୟ ସନ୍ୟ ପଡିଲେକ ରଣେ

ସମରେ ଧନ୍ଦୋଳ ଭୀମ କଲା ୟେକା ଜଣେ।୩୨।

ଭୀମର ବିଘାତେ ଯହୁଂ ପଡିଲେ ବହୁତ ସଇନି

ରାହୁ ପରାୟେ ହୋଇ ଘୋଟିଲେ ଜଣ ତିନି।୩୩।

ସଇନି ଭଙ୍ଗ ଦେଖିକରି ମୋଢାସୁର ରାୟେ

ଯମଦଣ୍ଡ କାଳଦଣ୍ଡ ଦେବଦଳନ ନରଦଳନ ଚାରି ସେନାୟେ।୩୪।

ୟେ ଚାରିଂକର ତୁଲେ ଚାରି ମର୍ଭୁତ ଯୋଧୀ

ୟେହାର ଧନୁମାନ ଘେନିଣ ସେହୁ ବିନ୍ଧି।୩୫।

ଅଶିସହସ୍ର ବଳଅଛନ୍ତି ଧନୁଶର ସନ୍ଧି

ଯୋଦ୍ଧାମାନେ ରହିଛନ୍ତି ୟେକକୁ ଆରେ ବାଦୀ।୩୬।

ଆକାଶରେ ଶୁଭିଲା ଧନୁଗୁଣ ଘୋଷ ନାଦ

ତିନିପୁରେ ପୂରିଅଛି ଅସୁରଂକ ଶବଦ।୩୭।

ମେଦିନୀ କମ୍ପିଲା ଯେ ତ୍ରାସିଲେ ସର୍ବରାୟେ

ନାରାଜେ ଝଟକନ୍ତି ଅନଳ ତେଜ ପ୍ରାୟେ।୩୮।

ଭୀମକୁ କଟାଳିଲା ଯମଦଣ୍ଡ ସେନାପତି

ଶତେକ ଲୁହାର ନାରାଜ ବିନ୍ଧିଲାକ ଝାତି।୩୯।

ହାଥର ବ୍ୟଗ୍ର ଯେ କେହି ଦେଖିତ ନୁଆରି

ୟେ ବିଧି ବିନ୍ଧିଲା ସେ ଆକ୍ରେଷି ବେଳଚାଳି।୪୦।

ବାମ ଅଙ୍ଗ ପାତି ତାହା ବ୍ରିକୋଦର ସହଇ

ପୁଣପୁଣ ଅଗ୍ନି ଝଲକଇ ଭୀମସେନ ଦେହୀ।୪୧।

ବାମଅଙ୍ଗ ପାତି ଭୀମ ଉଠିଲା ଗଳଗାଜି

ଯମଦଣ୍ଡର ଧନୁ ବୀର ଉଛୁଡି ପକାଇଲା ଭାଞ୍ଜି।୪୨।

ଗଦାବର ବୁଲାଇଣ ଭୀମସେନ ପିଟି

ପଡିଣ ଯମଦଣ୍ଡ ଦେହରେ ଧୁନି ଉଠି।୪୩।

କାଳଦଣ୍ଡ ସେନାପତିକି ଧଇଲା ବେନି କରେ

ବୁଲାଇ ପଟିଲା ନେଇ ନରଦଳନର ଉପରେ।୪୪।

ଅସୁର ଦୁରାନ୍ତକ ଅଟଇ ମହାବଳୀ

ବଜ୍ର ପଡ଼ି ତାଳ ପ୍ରାୟେ ଉଠିଲାକ ଜଳି।୪୫।

ଯମଦଣ୍ଡ କାଳଦଣ୍ଡ ନରଦଳନ ତିନିବୀରେ

ପଡିଲେ ତିନିହେଂ ଭୀମସେନର ପ୍ରହାରେ।୪୬।

ତିନିହେଂ ପଡନ୍ତେଣ ଭାଜିଲେ ଅସୁର ସଇନି

ଧାମନ୍ତେ ତିନି ପାଣ୍ଡବେ ଯେହ୍ନେ ବନାନଳ ବହନି।୪୭।

ବ୍ରଜଅଙ୍ଗ ପାତିଣ ଉଠଇ ଭୀମସେନ

ଭୀମଅଙ୍ଗେ ପଡିଣ ସହସ୍ରମାନ ହୁଅନ୍ତି ଯେ ଚୂର୍ଣ୍ଣ।୪୮।

ପର୍ବତ ଉହାଡେ ତେହ୍ନେ ନଲାଗଇ ବାଣ

ନକୁଳ ସହଦେବଂକୁ ଭୀମ ତେହ୍ନେ ଆବୋରଣ।୪୯।

ତିନି ମର୍ଭୁତ ସୈନ୍ୟ ଥିଲେ ଯେ ତିନିଂକରି ତୁଲେ

ପାଞ୍ଚକୋଶ ପରିଯନ୍ତେ ସମସ୍ତେ ପଡିଲେ।୫୦।

ସନ୍ୟହତ ଦେଖିଣ ଦେବଦଳନ ସେନାପତି

ବେନି ମର୍ଭୁତ ଘେନିଣ ଓଗାଳିଲାକ ଧାତି।୫୧।

ନକୁଳ ସହଦେବ ଭୀମସେନ ତିନି

ବହଡଇ ବ୍ରିକୋଦର କରେ ଗଦାବର ଘେନି।୫୨।

ଅସୁର ବଳ ସଇନି ଧରଣ କଚାଡି

ପୁଣିପୁଣି ପିଟନ୍ତି ଗିରିବର ଉପାଡି।୫୩।

ଅନେକ ଦତ୍ୟବଳ ବେଢିଲେ କୋପେ ଆସି

ପୋଡିଲା ପର୍ବତ ପ୍ରାୟେକ ଅସୁର ବଳ ଦିଶି।୫୪।

ଭୀମର ବିଘାତେ ଯେ ପଡିଲେ ଦଇତ ଥାଟେ

ଦଣ୍ଡଭଗ୍ନ ଦେଖିଣ ଧାମନ୍ତି ଦ୍ରପିଷ୍ଟେ।୫୫।

ଅସୁର ସେନାପତି ଅଟଇ ଯେ ଦେବଦଳଣ

ଭୀମସେନ ଛାମୁରେ ଆବୋରିଲା ରଣ।୫୬।

ଲୁହାର ବେନି ଗଦା ଧରି ଶତେ ଶତେଭାର ତୁଲେ

ଭୀମର ଉପରେ ପ୍ରହାର କରେ ମହାମଲ୍ଲେ।୫୭।

ଦେଖିଣ ମାରୁତି ବେନି ଗଦା ପାଡିଲାକ ଧରି

ବ୍ରିକୋଦର ବେନିଗଦା ହୋଇଲାକ ଚୂରି।୫୮।

ପୁଣ ପ୍ରହାର କଲାକ କଉଣୋପ

ଗଦା ବିଘାତେ ଭାଙ୍ଗିଲାକ ବ୍ରିକୋଦର ଦର୍ପ।୫୯।

ଭୀମର ପଡନ୍ତେ ସେ ନକୁଳ ସହଦେବ

କରନ୍ତି ସମର ସେ ସୋଦର ଅଭାବ।୬୦।

ପୁଣ ଲୁହାର ଗଦା ଦଇତ ଘେନିଉଠି

ନକୁଳ ଉପରେ ଦେବଦଳନ ନେଇ ପିଟି।୬୧।

ଅସୁର ବିଘାତେଣ ପଡିଲେ ନକୁଳ

ସହଦେବଂକୁ ପ୍ରହାର କଲା ମହାବଳ।୬୨।

ହୃଦରେ ପଡିଣ ଯେ ବହିଲାକ ଶ୍ରୋଣି

ଅଗ୍ୟାନରେ ପଡିଲାକ ମନ୍ତ୍ରୀ ଚୂଡାମଣି।୬୩।

ତିନିହେଂ ନିଚେଷ୍ଟ ରଣଭୂମିରେ ଲଟକାଳି

ଧାମନ୍ତି ଯାଗଶାଳକୁ ଅସୁରେ ଆଗସରି।୬୪।

ଅନେକ ରାଜାମାନେ ଥିଲେ ଇନ୍ଦ୍ର ସେ ପ୍ରଶସ୍ତେ

ଅସୁରଂକ ଭୟେ ପଳାଇ ଲୁଚିଲେ ସମସ୍ତେ।୬୫।

ଋଷିଗଣମାନେ ତହୁଂ ଗଲେ ଅନ୍ତର୍ଧ୍ୟାନେ

ଯାଗଶାଳ ଭାଙ୍ଗି ଦତ୍ୟେ କଲେ ରଣଭଣେ।୬୬।

ଅନେକ ଧନଭଣ୍ଡାର ବେଢି ଜୁରକରି

ବାଳଖିଳା ମାନନ୍ତ ଖାଇଲେ ସର୍ବପୋଡି।୬୭।

ରାନ୍ଧଣା ଯୋଗାଡନ୍ତ ଯୋତେ ଥିଲାକ ଯାଗଶାଳେ

ସମସ୍ତେ ଆଧାର କଲେ ମନର କୁତୂହୋଳେ।୬୮।

ପୋରୁହ ଛାଗଳ ହରିଣ ନାନା ଜୀବମାନେ

କେଉଂଣ ଦ୍ରବ୍ୟ ନଥାଇଟି ଯାଗର ବିଧାନେ।୬୯।

ସମସ୍ତ ଆହାର ସେ କଲେ କଉତୁକେ

ଯୁଝେଷ୍ଠିଂକି ଧଇଲେ ପୋଡିଲେ ଯାଗନିକେ।୭୦।

ଯମରାଜ୍ୟ ଭାଙ୍ଗିଣ ଜୂରକଲେ କଉଣୋପେ

ଶୋଣିତ ପୁରକୁ ଯୁଝେଷ୍ଠିଂକି ଘେନିଚଳିଲେ ମହାକୋପେ।୭୧।

ଦ୍ଵାରିକା ଭୁବନୁ ଆସନ୍ତେଣ ରାମକୃଷ୍ଣେ

ଅସୁରବଳ ସଇନି ଦେଖିଲେକ ବାଟେ।୭୨।

ଆକାଶୁଂ ବିଜେ କରନ୍ତି ନାରଦ ମହାଋଷି

ଇନ୍ଦ୍ରଦେବତା ତାହାଂକଇଂ ଦିଲେ ପେଷି।୭୩।

ନାରଦ ମହଋଷି ଗଲେକ ବହନେ

ବାରତା କହିଲେ ଯାଇଂ ରାମକୃଷ୍ଣଂକ ସନ୍ନିଧାନେ।୭୪।

ଭୋ ବାସୁଦେବେ ତୁମ୍ଭେ ନ ଜାଣ ଯୋଗନାଶ କଲେନି ଦୟିତେ

ମୋଢାସୁର ଦୟିତ ବାହିଲା ଇନ୍ଦ୍ର ଯେ ପ୍ରଶସ୍ତେ।୭୫।

ଭୀମସେନ ନକୁଳ ଯେ ସହଦେବ ତିନି

ପଡିଲେ ଅନେକ ମାରିଣ ଅସୁର ସଇନି।୭୬।

ୟେ ତିନିହେଂ ପଡିଲେ ଯେ ଯମୁନା ନଦୀ କୂଳେ

ଧସାଇଂଣ ଦଇତେ ପଶିଲେକ ଯାଗଶାଳେ।୭୭।

ଅନେକ ଧନଭଣ୍ଡାର ମାନ ଜୂରକରି

ବାଳଖିଳାମାନନ୍ତ ଖାଇଲେ ସର୍ବ ପୋଡି।୭୮।

ସମସ୍ତ ଯୋଗାଡନ୍ତି ଖାଇଲେ ଦଇତେ

ଧରିଣ ନେଉଛନ୍ତି ଯୁଝେଷ୍ଠି ଯାଗ୍ୟସେନୀ ସହିତେ।୭୯।

ଡରେ ଆକାଶୁଂ ନୁଆରିଲେ ଆସି ସୁରପତି

ବଳରାମଂକ ଛାମୁରେ କହିଲେ ନାରଦ ମହାଯତି।୮୦।

ଶୁଣିଣ ଥମ୍ବୀଭୂତ ହୋଇଲା ଧନର୍ଜୟେ

ଆରୋହିଣ ଅଛନ୍ତି କୁବଳୟା ନାମ ହୟେ।୮୧।

ଶ୍ରୀଭୁଜେ ଗାଣ୍ଡିମ ଧନୁ ଧରିଣ ଫାଲଗୁନି

ଧାମନ୍ତି ତୁରିତେ ଶ୍ରୀରାମକୃଷ୍ଣ ବେନି।୮୨।

ତୁଲେଣ ଅଛନ୍ତି ସ୍ଵାମୀଂକର ସାତବଂଶ ଯାଦବ ବଳ

ଅସୁରକଇଂ ଓଗାଳିଲେ ଦେବ କାମପାଳ।୮୩।

ଦଇତବଳ ଦେଖି ପାଣ୍ଡବ କିରଟୀ

କକଡା ଦୃଷ୍ଟି ଜାଣିଣ କଲାକ ଶର ବୃଷ୍ଟି।୮୪।

ପଞ୍ଚମର୍ଭୁତ ସନ୍ୟ ରାକ୍ଷସ ବଳମାନେ

ବିକଟ ବିକରାଳ ସେ ଘୋଟନ୍ତି ଗଗନେ।୮୫।

ଦେବଦଳନ ନାମ ଯେବଣ ସେନାପତି

ରାମ ସନ୍ନିଧ୍ୟେ ମିଳିଲେ ଅନେକ ଦତ୍ୟକ୍ଷତ୍ରୀ।୮୬।

ରୋହିଣୀ ନନ୍ଦନ ଯେ ଅତି ବଳେବଳୀ

ରଣରଙ୍ଗ ଧନ୍ଦୋଳେ ପଶି ମନ୍ଥନ କଲେ ଦେବହଳୀ।୮୭।

ତ୍ରଇଲୋକ୍ୟ କମ୍ପଇଟି ଯେଉଣ ରାମ କୋପେ

କାଳାନ୍ତକ ରୂପେ ଦେଖି ପଳାଇଲେ କଉଣୋପେ।୮୮।

ବଜ୍ର ବିଘାତେ ଯେହ୍ନେ ଲୋଟନ୍ତି ପର୍ବତେ

ପଡ଼ିଲେ ଦନୁଜବଳ ରାମର ବିଘାତେ।୮୯।

ଦେବଦଳନ ନା‌ମେ ଯେଉଂଣ ଅସୁର

ଅର୍ଜୁନର ତୁଲେ ତାର ସମର ଗୁରୁତର।୯୦।

ଅସୁର ଦୁରାନ୍ତକ ନୋହିଲେକ ଉଣା

ଦେବଗଣ ଗନ୍ଧର୍ବେ ସେ ନଯାଇ କଳଣା।୯୧।

ଅପାର ସମର ଯହୁଂ ବାଜିଲା ରଣରଙ୍ଗ

ନାରାଜ ବିଘାତେଣ ଅଦୃଶ୍ୟ ହୋୟେ ସ୍ୱର୍ଗ।୯୨।

ପଶୁପତ୍ର ନାରାଜ ଯେ ଅର୍ଜୁନ ବିନ୍ଧେ ଟାଣି

ବାହାନ ସହିତରେ ସବୁ ପକାଇ‌ଲେ ହାଣି।୯୩।

ପୁଣି ବିନ୍ଧିଲେ ପାଥ ଅମୋହ ଶକତି

କଉଣୋପ କୋବନ୍ଧ କାଟି ପକାଇଲା ତତକ୍ଷଣାନ୍ତି।୯୪।

ଦେବଦଳନ ଦତ୍ୟ ବଧ ଗଲା ଯହୁଂ ରଣେ

ସାଧୁ ସାଧୁ ଧୁନି କଲେ ଆକାଶେ ଦେବଗଣେ।୯୫।

ସେନା ପଡ଼ନ୍ତେଣ ଭାଜିଲେ ସଇନି

ସମରେ ଗୋଡ଼ାଇଣ ଯେ ବିନ୍ଧଇ ଫାଲଗୁନି।୯୬।

ନାରାଜ ଗୋଟିକେ ଅସୁର କୋଟିୟେ ପଡ଼ି

ଯେସନେକ ବାତ ବିଘାତେ ପଂକୁ ଫଳମାନ ଝଡ଼ି।୯୭।

ସଇନି ନିଶୋଧେନ କରିଣ ଫାଲଗୁନି

ଦେବଦଳନ ବାନ୍ଧିଥିଲା ଯୁଝେଷ୍ଠିଂକି ପାଶଘେନି।୯୮।

ଅସୁର ପଡନ୍ତେଣ ଯୁଝେଷ୍ଠିଂକି ଆଣିଲେ ଧନୁର୍ଜୟେ

ନନ୍ଦିଘୋଷ ରଥେ ନେଇ ଯୁଝେଷ୍ଠିଂକି ବସାୟେ।୯୯।

ଭୋ ରାଜନ ମୋଢାସୁର ରାମର ୟେଣେ ହୋଇଛି ବଡ଼ାଇ ସମର

ଲୋହଶର ଧନୁରେ ଯୋଖିଣ ବିନ୍ଧଇ ଅସୁର।୧୦୦।

ସହେସ୍ରକ ନାରାଜ ସେ ବିନ୍ଧଇ ମୋଢାସୁର

ସହସ୍ରମାନ ପଡିଲେ ଆସି ରାମ ଉପର।୧୦୧।

ତୀକ୍ଷସର ହୋୟେ କଂକପଚ୍ଛୀ ତୀକ୍ଷମୁନା

ବଳଦେବ ଶରୀରରେ ପଡି ଶହସ୍ରେ ହୋଇଲେକ ଚୂନା।୧୦୨।

ସେତେବେଳ ପରିଯନ୍ତେ କଉଣପ କଲା ଶରବୃଷ୍ଟି

ବଳଦେବ ଉପରେ ପଡି ଶହସ୍ରମାନ ଗୁଣ୍ଡା ଉଠି।୧୦୩।

ଶତେସିଂହ ଯେସନେକେ ଧାମଇଂ ରୋଷ ଭରି

ତେସନେକେ କାମପାଳ ବାହାନାଦ କରି।୧୦୪।

ଗର୍ଜନ ଶବଦ କରିଣ ମତ୍ତଭୋଳେ

ଅସୁର ଉପରେ ପ୍ରହାର କଲାକ ବଜ୍ର ଯେ ମୂଷଳେ।୧୦୫।

ମୂଷଳ ପଡନ୍ତେ ତାର ଧନୁ ହତ ଗଲା

ଲୋହାର ଶତେ ଭାର ଗଦାଧରି ଦତ୍ୟ ରାମଂକୁ ପିଟିଲା।୧୦୬।

ଦତ୍ୟର ଗଦା ପଡିଲା ଆସି ରାମର ବକ୍ଷସ୍ଥଳେ

ନିଚେଷ୍ଟ ହୋଇଲେ ପୁଣ ଦେବ କାମପାଳେ।୧୦୭।

ବଳରାମଂକୁ ନିଉନ ଦେଖିଣ ଦେବହରି

ରଥରୁ ଡେଇଂଲେକ ଦେବ ସୁଦ୍ରିଶେଣ ଚକ୍ରଧାରୀ।୧୦୮।

ତାଳଧ୍ୱଜ ରଥେ ଶୁଆଇଣ ଯେ ବଳଦେବଂକୁ

ଦାରୁକ ସାରଥୀ ଘେନିଗଲା ଦ୍ୱାରିକା ଭୁବନକୁ।୧୦୯।

ଶ୍ରୀକୃଷ୍ଣଂକ ସମର ଯେ ମୋଢାସୁର ତୁଲେ

କଉମୋଦୀ ଗଦା ଘେନି ତାକୁ ପ୍ରହାର ଦେବ କଲେ।୧୧୦।

ଶ୍ରୀକୃଷ୍ଣ ଗଦା ପଡନ୍ତେଣ ଦତ୍ୟ ପାତିଲା ତାର ଭୁଜ

ପୁଣପୁଣ ପ୍ରହାର କରନ୍ତି ଦେବରାଜ।୧୧୧।

ପାଞ୍ଚ ବେଳ ପରିଯନ୍ତ ପିଟିଲେ ମୁରାରୀ

ଭୁଜ ପାତି ଗଦା ମେଣ୍ଟାଇଲା ଦୈତାରୀ।୧୧୨।

କଉମୁଦକୀ ଗଦାରେ ଯହୁଂ ନଇଂଲା ପ୍ରାଣ କ୍ଷୟେ

ଦେଖିଣ ବିସରନ୍ତି ପ୍ରଭୁ ଦେବରାୟ।୧୧୩।

ଲୋହସାର ଗଦା ଯେ ଘେନିଣ କଉଣୋପ

କୃଷ୍ଣଙ୍କ ଉପରେ ନେଇ ପିଟିଲା ମହାକୋପ।୧୧୪।

ବେଳେକ ବଞ୍ଚାଇଲେ ଦେବ ଜନାର୍ଦ୍ଦନ

ପୁଣିହିଂ ଆରକ ବେଳ ପ୍ରହାର କଲାକ ବହନ।୧୧୫।

ଗଦା ପଡ଼ି ଶ୍ରୀକୃଷ୍ଣ ହୋଇଲେ ଅସାଷ୍ଟମ

ଦେଖିଣ ପାଥ ଯେ ଆବୋରିଲାକ ସାଂଗ୍ରାମ।୧୧୬।

ନନ୍ଦିଘୋଷ ରଥେ ନେଇ ଶ୍ରୀକୃଷ୍ଣ ଶୁଆଇ

ଦାରୁକ ରଥ ତହୁଂ ନେଲାକ ଆଡ଼ିଆଇ।୧୧୭।

ଚଉଦ ଲକ୍ଷ ଯେ ଥିଲେ ଯାଦବ ବଳ

କୃଷ୍ଣର ଅପଚୟ ଦେଖି ଘୁଞ୍ଚିଲେ ସକଳ।୧୧୮।

ଲକ୍ଷେକ ଭ୍ରାଥ ତୁଲେ ଘେନିଣ ପଦ୍ମନ

ଅର୍ଜୁନ ତୁଲେ ରହିଣ କରନ୍ତି ସାଂଗ୍ରାମ।୧୧୯।

ଭଗ୍ନବଳ ମାନେ ଶ୍ରୀରାମକୃଷ୍ଣକୁ ସଂଗେ ଘେନି

ରଇବତ ପର୍ବତେ ଯାଇ ରହିଲେ ସଇନି।୧୨୦।

କୁବଳୟା ଅଶ୍ୱ ପିଠିରେଣ ବିଜୟ ବୀର ପାଥ

ଅସୁର ତୁ‌ଲେ ସମର କରନ୍ତି ଅପ୍ରମିତ।୧୨୧।

ଶାମ୍ବ ଗଦ ପଦ୍ମନ ବାସୁଦେବଙ୍କର ଲକ୍ଷେ ଷାଠିଏ ସହସ୍ର ପୁତ୍ରେ

ରଣେ ନିର୍ଭୟେ ସେ ଅର୍ଜୁନର ଦେଖନ୍ତେ।୧୨୨।

ଯେସନେକ ୟେକ ଆତ୍ମା ଅଟଇ ଅଭେଦ

ଅସୁର ନିଧନେ ସେ କରନ୍ତି ମହାଯୁଦ୍ଧ।୧୨୩।

ପାଞ୍ଚ ମର୍ଭୁତ ସନ୍ୟ ଅସୁର ତୁଲେ ଥିଲେ

ବେନି ଦିବସର ମଧ୍ୟେ ସମସ୍ତେ ପଡ଼ିଲେ।୧୨୪।

ସମସ୍ତ ମରାଇ ମୋଢାସୁର ହେଲା ୟେକା

ସମର କରଇ ସେ ହୋଇଣ ନିଶଂକା।୧୨୫।

ବେଳୁ ବେଳ ସମର ଅତିୟ ଅଗୋଚର

ମକର କୁହୁଡ଼ି ଜାଣି ବିନ୍ଧୁଛନ୍ତି ଶର।୧୨୬।

ମୋଢାସୁର ଅଙ୍ଗରେ ସମସ୍ତ ଶର ପଡ଼ି

ପର୍ବତେ ଟେକା ଜାଣି ପଡ଼ୁଛନ୍ତି ଝଡ଼ି।୧୨୭।

ମୋଢାସୁର ଚରିତ ଦେଖିଣ ମହାମୁନି

ଶୀଘ୍ରେଣ ଗମନ ଯେ କଲେ ତପୋଧନୀ।୧୨୮।

ନାରଦେ କହିଲେ ଯାଇଂ ଅସକନ୍ଦ ନାମେ ବନେ

ମୋଢାସୁର ଚରିତ ଶୁଣ ହୋ ହନୁମାନେ।୧୨୯।

ଭୀମସେନ ନକୁଳ ସହଦେବ ଯୁଝେଷ୍ଠି

ରାମକୃଷ୍ଣ ସହିତେଣ ସମସ୍ତେ ସମରେ ନିଚେଷ୍ଟି।୧୩୦।

ଶ୍ରୀକୃଷ୍ଣଂକ ଲକ୍ଷେପୁତ୍ର ସଙ୍ଗତେଣ ଘେନି

ଏହିକ୍ଷଣି ସମର ଯେ ପଡ଼ିବେ ଫାଲଗୁନି।୧୩୧।

ନାରଦଙ୍କ ମୁଖୁ ୟେସନେକ ବାକ୍ୟଶୁଣି

ପବନକୁମାର ଯେ ଧାମଇଂ ଶିର ଝୁଣି।୧୩୨।

ୟେକା ପାଦକେ ବିଶ୍ୱରୂପେ ତହୁଂ କ୍ଷେପି

ନବସହସ୍ର ଯୋଜନେ ଇନ୍ଦ୍ରପ୍ରଶସ୍ତେ ଯାଇଂ କପି।୧୩୩।

ଅର୍ଜୁନକଇଂ ପଛକରି ହନୁ ମିଳେ ଆଗେ

ଲୋହସାର ଗଦା ଘେନି ପିଟଇ ଦତ୍ୟ ବେଗେ।୧୩୪।

ନିର୍ଘାତ ପ୍ରାୟେକ ଯେ ପିଟିଲା ଗଳଗାଜି

ଲୋହସାର ବେନିଗଦା ପଡ଼ି ତାର ଅଙ୍ଗେ ଗଲା ଭାଞ୍ଜି।୧୩୫।

ଲୋହଗିରି ଘେନିଣ ପିଟଇ ହନୁମନ୍ତ

ମୋଢାସୁର ଉପରେ ପଡି ଭାଜିଲା ପରବତ।୧୩୬।

କୋପେ ମୋଢାସୁରକୁ ଧଇଲା ହନୁମନ୍ତ

ବଜ୍ର ବିଘାତେ ପ୍ରାୟେକ ମାଇଲା ୟେକ ମୁଥ।୧୩୭।

ଭୁଜେଣ ଭୁଜ ଦେଇ ଧରାଧରି ହୋଇ

ପାଦେଣ ପାଦଦେଇ ଛନ୍ଦାଛନ୍ଦି ହୋଇ।୧୩୮।

ତର୍ଜନ୍ତି ଗର୍ଜନ୍ତି ଯେ ପ୍ରହାର କରନ୍ତି ବିଧା

ପାଦେଣ ପାଦଛନ୍ଦି ହୋଇ ପଡିଲେ ବସୁଧା।୧୩୯।

ଶିରେଣ ଶିର ପଡି ତାଳ ବାଜିଣ ଲଲାଟ ପାଟି

କାଳାନଳ ଜାଣି ବହନି ତେଜ ଉଠି।୧୪୦।

ରଡି ବିଘାତେଣ କମ୍ପିଲା ଭୁବନ ଯେ ତିନି

ଚରଣ ବିଘାତେ ଦଲଦଲିତ କମ୍ପଇ ମେଦିନୀ।୧୪୧।

ଦୁହେଂତ ବଜ୍ରଅଙ୍ଗ ନୁହନ୍ତି କେହି ଓଛ

କରନ୍ତି ସମର ଯେ ଦୋହେଂ ସମକଛ।୧୪୨।

ଚଉଦ କୋଶ ଆୟତନ ହତ ହୋୟେ ବନ

ପର୍ବତ ଡିଙ୍ଗର ବୃକ୍ଷ ସବୁ ହୋଏ ଚୂର୍ଣ୍ଣ।୧୪୩।

ହନୁମନ୍ତକଇଂ ମାଡିବସିଛି ମୋଢାସୁର

ମହାବଳେ ମାଡିବସିଛି ବକ୍ଷସ୍ଥଳ।୧୪୪।

ଦୁସହ ପ୍ରତଗ୍ୟାଂ ବଡ କରଇ ସେ ଚଣ୍ଡାଳ

ରେ ରେ ମର୍କଟ ଆଜ ପୂରିଲା ତୋର କାଳ।୧୪୫।

ହୁଂକାର ଶବଦେକ ହନୁମନ୍ତ କଲା

ଅସୁରକୁ ଲେଉଟାଇ ବକ୍ଷସ୍ଥଳେ ବସିଲା।୧୪୬।

ବଜ୍ରମୁଥ ପ୍ରହାର କରଇ ଯେ କୋପେ

ମୁଥଘାତ ଅଷାଷ୍ଟମ ନୋହିଲା କଉଣୋପେ।୧୪୭।

ବେନିଚରଣ ଧରି ବୁଲାଇ ଆକ୍ରେଷି

ହରିମେଖଳା ପର୍ବତେ ନେଇ କଚାଡିଲା ତେଜରାଶି।୧୪୮।

ପାଞ୍ଚକୋଶ ଆୟତନ ଯେବଣ ସେ ଗିରି

ଅସୁରକୁ କଚାଡନ୍ତେ ହୋଇଲା ସେ ଚୂରି।୧୪୯।

ନିଖିଳ ପର୍ବତେ ନେଇଣ ବୀର ପୁଣ ପିଟି

ଭାଜିଣ ପର୍ବତ ଯେ ଗଲା ଗୁଣ୍ଡା ଉଠି।୧୫୦।

ସେତେବେଳ ପରିଯନ୍ତେ ପ୍ରହାର କଲାକ ମାରୁତି

ଶତେକ ପର୍ବତ ଭାଞ୍ଜିଣ ଚୂର ହୋଇଯାନ୍ତି।୧୫୧।

ରଣେ ହନୁମନ୍ତ ବଡ଼ ପାଇଲା ବିମୁଖ

ମୋହ ତେଜି ସହଦେବ ବୋଲନ୍ତି ହନୁମନ୍ତ ରଖ।୧୫୨।

ରଣେ ବିମୁଖ ତୁମ୍ଭେ ନୁହ ବୀରମଣି

ମୋହ ତେଜିଲେ ସଚରାଚର ଭକ୍ଷିବ ୟେହିକ୍ଷଣି।୧୫୩।

ଅସୁରକୁ ମାଡି ବସ ବକ୍ଷସ୍ଥଳ

ସାବଧାନ ହୋଇ ତୁମେ ଶୁଣ ମହାବଳ।୧୫୪।

ରାହୁର ବଂଶେ ଜାତ ହୋଇଲା ମୁରାଦତ୍ୟ

କାଳନଉମି ଜପାସୁର ବୋଲି ତାହାର ବେନିପୁତ୍ର।୧୫୫।

କାଳନଉମିର ପୁତ୍ର ମୟ ଯେ ଦାନବ

ଅବୟେସୁର ଦାନବ ତାହାର ତନୁଜ।୧୫୬।

ଅବୟେସୁର ପୁତ୍ର ହୋଇଲା ଅମୟା

ଅମୟା ଦନୁଜ ଜାତୁ ଧାନ ବଡ଼ାଇ ଅଭୟା।୧୫୭।

ଯାତୁଧାନର ପୁତ୍ର ମେଦାସୁର ବୋଲି

ତାହାର ମାୟେଂସ ଭିଆଇଲେ ସେ ମେଦିନୀରୁ ପେଲି।୧୫୮।

ମେଦାସୁରର ପୁତ୍ର ଯେ ବସୁସୁର ନାମ

ମହିଦାସୁର ବୋଲି ତାହାର ପୁତ୍ର ଅନପାମ।୧୫୯।

ମହିଦାସୁର ପୁତ୍ର ଶଙ୍ଖ ଯେ ରାକ୍ଷସ

ପୂର୍ବର ଜନ୍ମ କଥା ତା କରୁଛି ପ୍ରକାଶ।୧୬୦।

ଶଙ୍ଖାସୁରର ନନ୍ଦନ ଦେବ ଅସୁର ଅବନୀ

କୂର୍ମ ରୂପେ କୃଷ୍ଣ ତାକୁ ଚାପିଲେ ମେଦିନୀ।୧୬୧।

ଅବନୀର ପୁତ୍ର ଯେ ଅଟଇ ହିରଣାକ୍ଷ

କୋଳ ରୂପେ ନାରାୟଣ ଧରିଲେ ଅବଲକ୍ଷ।୧୬୨।

ହିରଣାକ୍ଷର ଭ୍ରାତା ଯେ ହିରଣ୍ୟକଶିପୁ

ନରସିଂହ ରୂପେ ବିଦାରିଲେ ତାର ବପୁ।୧୬୩।

ହିରଣ୍ୟକଶିପୁ ପୁତ୍ର ହୋଇଲା ପ୍ରହଲାଦ

ଶ୍ରୀକୃଷ୍ଣ କଥାରେ ହୋଇଥାଇ ସେ ପ୍ରମୋଦ।୧୬୪।

ପ୍ରହଲାଦର ନନ୍ଦନ ବଇଲୋଚନ ନୃପତି

ବିଶ୍ୱାସେଣ ବଧିଲେ ଶବରୀନାରାୟଣ ମାଳତୀ।୧୬୫।

ବଇଲୋଚନ ପୁତ୍ର ଉପୁଜିଲେ ବଳୀ

ବାବନ ରୂପେଣ ତାକୁ ଚାପିଲେ ପାତାଳୀ।୧୬୬।

ବଳୀର ନନ୍ଦନ ଯେ ଉପୁଜିଲା ବାଣୀ

ନଅଶ ଅଠାଣୋଇ ଭୁଜ ତାର ଛେଦିଲେ ନାରାୟଣୀ।୧୬୭।

ବାଣାସୁର ନନ୍ଦନ ୟେ ମୋଢାସୁର ବୀର

ରୁଦ୍ର ସେବା କରିୟେ ପାଇଅଛି ବର।୧୬୮।

ସୁଦ୍ରିଶେଣ କାଳଚକ୍ର ସୂର୍ଯ୍ୟବ୍ରତେକ ମନଭେଦୀ

ବ୍ରହ୍ମଶର ନାରାୟଣ ଶର ପଶୁପତ୍ର ଆଦି।୧୬୯।

କେଉଂଣସି ଶହସ୍ରମାନ ମୋର ଶରୀରେ ନଭେଦି।୧୭୦।

ଜଳଫାଶି କାଳଫାଶି ପନ୍ନଗା ନାଗଫାଶି

ୟେଣେ ବଧ ନୋହିବି ଆହୋ ଦେବକାଶୀ।୧୭୧।

ନାନାଦି ଶହସ୍ରମାନ ନଭେଦିବ ମୋର କାୟେ

ପିଟିଲେ କଚାଡିଲେ ନୋହିବି ମୁହିଂ କ୍ଷୟେ

ତୋଷେଣ ବରଦିଲେ ପ୍ରଭୁ ଦେବରାୟେ।୧୭୨।

ଦେବଲୋକ ନାଗଲୋକ ଜଳପବନ ବହନି

ୟେମାନ କେ ବଧ ନୋହିବି କାଳତିନି।୧୭୩।

ଈଶ୍ୱର ବୋଇଲେରେ ସୁତ ସମସ୍ତ ହୋଇଅସ୍ତୁ

ଯାହା ମାଗିଲୁ ସମସ୍ତ ପ୍ରାପତ ହୋଉ ତତ୍ତୁ।୧୭୪।

ଆହୋ ଚଇତନ ବର ଦେଇ ତ୍ରିପୁରାରି ବିଜେୟ କପିଳାସେ

ବ୍ରାହ୍ମଣେକ ହୋଇ ପିତାମହ ମିଳିଲେ ଦତ୍ୟପାଶେ।୧୭୫।

ବ୍ରହ୍ମାୟେ ବୋଇେଲ ଅନେକ କରିଲୁ ତୁ ତପ

କିସ ବର ତୁହିରେ ପାଇଲୁ କହ କଉଣୋପ।୧୭୬।

ମୋଢାସୁର ବୋଇଲା ଯାହା ମାଗିଲି ତାହା ଦିଲେ ମୋତେ

ଉଦେ କାଳୁ ବର ମାଗିଲି ଅସ୍ତକାଳ ପରିଯନ୍ତେ।୧୭୭।

ଦେବ ନର ନାଗ ଲୋକ ବହନି ପବନ

ୟେଣେ ଅବଧ ବର ମୋତେ ଦିଲେ ତ୍ରିଲୋଚନ।୧୭୮।

ବ୍ରହ୍ମା ବୋଇଲେ ୟେଡେ ଜଣ ହୋଇ କିଂପେ ହୁଡୁ

ଜାତ ହୋଇଲେ ଅବଶ୍ୟ ତ ମୃତୁ କିମ୍ପାଇ ତୁ ଡରୁ।୧୭୯।

ଯେବଣ ଈଶ୍ୱର ବର ମୋତେ ଦିଲାକ ବାବୁ ତୋତେ

ସେହି ସିନା ମରିବ ଅବଶ୍ୟ କାଳଅନ୍ତେ।୧୮୦।

ୟେବେ ତୁହି ଯାଇ କରି ପଚାର ଈଶ୍ୱରଂକୁ

ମୃତୁ ଭେଦ ଖଣ୍ଡି ସ୍ୱାମୀ କହିଥାଅ ମୁକୁ।୧୮୧।

ସେ ମୃତୁ ଖଣ୍ଡି ଧରିଥିବୁ ତୁ ହୃଦଗତେ

ତହିଂକି ଘୁଞ୍ଚିଣ ନେଉଥାଅ କାଳ ଯେତେ।୧୮୨।

କହିଣ ପରିମେଷ୍ଠୀ ହୋଇଲେ ଅନ୍ତର୍ଧାନ

ବାହୁଡି ମୋଢାସୁର ଭେଟିଲା ତ୍ରିଲୋଚନ।୧୮୩।

ମୃତୁଭେଦ ପୁଛନ୍ତେ କହିଲେ କପାଳୀ

ବାମପାଦ ତୋହର ଜ୍ୟେଷ୍ଠ ଯେ ଅଙ୍ଗୁଳି।୧୮୪।

ସେହି ଅଙ୍ଗୁଳି ଯେବେ ପଶଇ ତୋର ତୁଣ୍ଡେ

ଭସ୍ମୀଭୂତ ହୋଇ ଜଳିଯିବ ତୋର ପିଣ୍ଡେ।୧୮୫।

ଦେବ ଦାନବ ନର ନାଗ ବହନି ପବନ ଜଳ

ୟେଣେ ନାଶ ତୁ ନୋହିବୁ ମହାବଳ।୧୮୬।

ମର୍କଟ ସମରେ ତୋର ହୋଇବ ମୃତୁ ଭେଦ

ବାନର ଭକ୍ଷ ବୋଲି ନ ମଣିଲା ପରମାଦ।୧୮୭।

ସ୍ୱାମୀ ତୁମ୍ଭେ ଯେ ପିଟିଲ ଯେ ଗିରିବର ଉପରେ

ଶରୀର ବଜ୍ର ତେଣେ ନ ମରଇ ଅସୁରେ।୧୮୮।

ସହଦେବର ବଚନ ଶୁଣିଣ ବୀରଉଠି

ବକ୍ଷସ୍ଥଳେ ପାଦଦେଇ ବାମପାଦେ ବୃଦ୍ଧା ଯେ ଅଙ୍ଗୁଷ୍ଠି।୧୮୯।

ଆକ୍ରେଷିଣ ପୂରାଇଲା ଆଣି ଦଇତ ତୁଣ୍ଡେ

ଭସ୍ମୀଭୂତ ହୋଇଗଲା ଅସୁର ପିଣ୍ଡେ।୧୯୦।

ଆକାଶରେ ଶୁଭିଗଲା ସାଧୁ ସାଧୁ ଧ୍ୱନି

ଜୟେ ମାଳ ହନୁକୁ ଦିଲେ ପଦ୍ମଯୋନି।୧୯୧।

ମୋହ ତେଜି ସାଷ୍ଟାମ ହୋଇଲେ କୃଷ୍ଣ ବଳରାମ

ଯୁଧେଷ୍ଠି ନକୁଳ ସହଦେବ ଭୀମ।୧୯୨।

ହନୁମନ୍ତ ନମଇ ଶ୍ରୀକୃଷ୍ଣ ଚରଣେ

ଅସ୍କନ୍ଦ ବନକୁ ସେ ଚଳିଗଲେହନୁମାନେ।୧୯୩।

ତହୁଂ ଇନ୍ଦ୍ରପ୍ରଶସ୍ତ ରାଇଜକୁ ବିଜେକଲେ

ରଷିମାନନ୍ତ ଘେନି ଅଶ୍ୱମେଧ ଯାଗ ଆରମ୍ଭିଲେ।୧୯୪।

ପାଞ୍ଚକୋଟି ଅଶ୍ୱ ଯେ କୁବଳୟା ସମାନେ

ଦିବ୍ୟଅଳଂକାରେ ଆଭରଣ କଲେ ଦେବ ଦାନେ।୧୯୫।

ଅଶ୍ୱ ଗୋଟିକେ ଭୂଷଣ କୋଟିୟେ ଶୁଦ୍ଧ ସୁବର୍ଣ୍ଣ

ଅଶ୍ୱେକ ଦକ୍ଷିଣା ଦିଲେ ସତେ ମାଢ ଦାନ।୧୯୬।

ଯାଗ ସମାପତ ସେ ହୋଇଲା ଯେତେବେଳେ

ଆକାଶୁଂ ଅମୃତ ବୃଷ୍ଟି କଲେ ସର୍ବ ଦିଗପାଳେ।୧୯୭।

ଆକାଶର ଅଶ୍ୱକଇଂ ଅଶ୍ୱିନୀକୁମାରେ ନେଲେ

ଦୋହୋରା କର୍ମ ସବୁ ସମାପତ କଲେ।୧୯୮।

ଶୁଣିମା ସୁଗ୍ୟଂ ଜନେ ଅଶ୍ୱମେଧ ଯାଗକଥା

ସଞ୍ଚପି କହିବାକୁ ମୁହିଂ କିସ ସାମରଥା।୧୯୯।

ଯେତେକ ହତ୍ୟାକରି ଆବର ପାପଦୋଷ

ଅଶ୍ୱମେଧ ଯାଗକଥା ଶୁଣିଲେ ହୁଅଇ ସର୍ବନାଶ।୨୦୦।

ଯେ ଅବା ପଢନ୍ତି ଶୁଣନ୍ତି ନରଲୋକେ

ନରକ ନ ଭେଟନ୍ତି ବସନ୍ତି ସ୍ୱର୍ଗଲୋକେ।୨୦୧।

ଅବଶ୍ୟ ଫଳ ପାଇ ମନରେ କଲେ ଇଚ୍ଛା

ଆଶ୍ୟ ଧନସମ୍ପଦ ପୁତ୍ର ଶିରୀ ସମ୍ପଦକଇଂ ବାଞ୍ଛା।୨୦୨।

ଯମ ନ ଦଣ୍ଡନ୍ତି ଯେ ନିକଳଂକ ହୋୟେ କାୟେ

ନକ୍ଷତ୍ର ଲୋକେ ଅବଶ୍ୟ ହୁଅଇଟି ଉଦୟେ।୨୦୩।

ଯମଦଣ୍ଡ ରାଜଦଣ୍ଡ ମୋହଦଣ୍ଡୁଂ ତରି

ଅଶ୍ୱମେଧ ଫଳଶ୍ରୁତି ଯେହୁ ହୃଦପଦ୍ମେ ଧରି।୨୦୪।

କୃପାଜଳ ନନ୍ଦିନୀ ନର୍ମଦା ସରସ୍ୱତୀ

କାମେଶ୍ୱର କୋଶଳେ ଯାହାର ମନ ଥିତି।୨୦୫।

ପ୍ରଳୟ ଉତ୍ତାରିଣୀ ଗୋ ଅଭୟେ ନର୍ମଦା

ସେ ଦେବୀର ଚରଣେ ମୁଂ ବିନୋୟୀ ସର୍ବଦା।୨୦୬।

କଳିକାଳ ଧ୍ୱଂସିନୀ ଗୋ ପ୍ରସନ୍ନେ ହିଙ୍ଗୁଳା

ରଙ୍ଗ ବସ୍ର ପରିହରଣ ମା ଗୋ କାବେରୀ ପିଙ୍ଗୁଳା।୨୦୭।

ପରମ ଆନନ୍ଦ ମା ଗୋ ପର ଦୁଖେ ଦୁଖି

ସର୍ବଜନ ବୋଧିନୀ ଗୋ ସର୍ବମଙ୍ଗଳା କାମାକ୍ଷୀ।୨୦୮।

ଜାତ ଅନ୍ତ ମଧ୍ୟେ ହୋୟେ ସାଧୁ ଯାର ବୁଦ୍ଧି

ସାଧୁବୁଦ୍ଧ ଜନେ ଯାହାର ଚରଣେ ଆରାଧି।୨୦୯।

ଜଙ୍ଖେରପୁର ମଣ୍ଡନୀ ମାଗୋ ଓଡରାଷ୍ଟ୍ର ମଣ୍ଡଳେ

ଯମ ଦର୍ପ ବିଦାରିଣୀ ମା ଗୋ ଶ୍ରୀଚଣ୍ଡୀ ସାରୋଳେ।୨୧୦।

ଆଦି ଅନ୍ତ ମଧ୍ୟେ ଯାର ନାହିଂ ଅବକାଶ

ଭୁବି ଭୁବନ ମାହେଶ୍ୱରୀ ଶୂନ୍ୟ ଆସନ ନିବାସ।୨୧୧।

ପାପକର୍ମେ ଯାହାର ନାହିଁ ପୁଣ ଲେଶ

ଭଗତ ଜନ ମତ୍ସଳୀ ଗୋ ହରିବା ସର୍ବ ଦୋଷ।୨୧୨।

ଅଭଗତି ଭଗତି ନାହିଂ ଯାହାର ବିଚାର

ବୃନ୍ଦାଅର୍କ ମଧ୍ୟେ ଯାହାରମହିମାଂ ଅପାର।୨୧୩।

ଦୁରାନ୍ତେକ ପାତେକ ନଥାଇ ଯାହାର ନାମେ

କାଳଦୂତ ଅପସରଇ ନପଶଇ ଯମେ।୨୧୪।

ରାହାସେ ରସିଲା ଭୋଳା ନାନା ରସେ ଭୋଳି

ରୋଧିରେ ଦ୍ରଶନେ ମା ଗୋ ସର୍ବଦା କୁତୂହୋଳି।୨୧୫।

ଶ୍ରୀଚଣ୍ଡୀସାରଳା ଚରଣାରବିନ୍ଦେ

ମୁହିଂ ତହିଂ ଷଟପଦ ହୋଇ ପାଇଲି ମକରନ୍ଦେ।୨୧୬।

ମମ ପଞ୍ଚଭୂତେ ଅହନିଶି ମାଗୋ ଦୟିନୀ

ବଦୟନ୍ତି ସାରୋଳାଦାସ ଗ୍ରନ୍ଥକାର ଶୂଦ୍ରମୁନି।୨୧୭।୧୩୪୬।

******

ଅଶ୍ୱମେଧ ପର୍ବ ସମାପ୍ତ